Latest Odisha News

BREAKING NEWS

ବିଜେପିକୁ ବହିରୁ ବାହାର କରିଦେବେ !

ଭୁବନେଶ୍ୱର: କର୍ଣ୍ଣାଟକରେ ପୂର୍ବର ବିଜେପି ସରକାର ପକ୍ଷରୁ ନିଆଯାଇଥିବା ନିଷ୍ପତ୍ତିକୁ ତୁରନ୍ତ ପରିବର୍ତ୍ତନ କରିବାରେ ଲାଗିଛି ନୂଆ କଂଗ୍ରେସ ସରକାର। ବିଜେପି ଦ୍ୱାରା କରାଯାଇଥିବା କିଛି ଯୋଜନାକୁ ବନ୍ଦ କରାଯିବା ସହ ଯୋଜନା ପାଇଁ ଅର୍ଥ ବରାଦକୁ ବି ବନ୍ଦ କରିଦିଆଯାଇଛି। ଏପରିକି କିଛି ବଡ଼ ଯୋଜନାକୁ ଅଟକାଯାଇଛି।

ଏଭଳି ସ୍ଥିତିରେ ବିଜେପି ସରକାର ପକ୍ଷରୁ ବିଦ୍ୟାଳୟ ପାଠ୍ୟପୁସ୍ତକରେ କରାଯାଇଥିବା କିଛି ପରିବର୍ତ୍ତନକୁ ବଦଳାଇବାକୁ ପ୍ରକ୍ରିୟା ଆରମ୍ଭ କରିଛି କଂଗ୍ରେସ। ପୂର୍ବର ବିଜେପି ସରକାର ସମୟରେ ଦକ୍ଷିଣପନ୍ଥୀ ଚିନ୍ତାଧାରା ରଖୁଥିବା ରୋହିଥ ଚକ୍ରତୀର୍ଥଙ୍କ ଦ୍ୱାରା ପାଠ୍ୟପୁସ୍ତକରେ କିଛି ପରିବର୍ତ୍ତନ କରାଯାଇଥିଲା।

ତେଣୁ ଏହାର ପୁନଃସମୀକ୍ଷା ସହ ପାଠ୍ୟପୁସ୍ତକରେ ବିଜେପି ସମୟରେ କରାଯାଇଥିବା ପରିବର୍ତ୍ତନକୁ ବାଦ ଦିଆଯିବାର ପ୍ରକ୍ରିୟା ଆରମ୍ଭ ହୋଇଛି। କର୍ଣ୍ଣାଟକର ସ୍କୁଲ ଶିକ୍ଷା ମନ୍ତ୍ରୀ ମଧୁ ବାଙ୍ଗାରପ୍ପା ଏ ସମ୍ପର୍କରେ ସୂଚନା ଦେବା ସହ ଖୁବ ଶୀଘ୍ର ଏଥିପାଇଁ ଏକ କମିଟି ଗଠନ ହେବ ବୋଲି କହିଛନ୍ତି।

ପୁସ୍ତକରେ ବିଜେପି ସରକାର ଦ୍ୱାରା ପରିବର୍ତ୍ତନ କରାଯାଇଥିବା ବିଷୟବସ୍ତୁକୁ ଏହି କମିଟି ଅନୁଧ୍ୟାନ କରିବ। ଏ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ସିଦ୍ଦରମେୟାଙ୍କ ସହ ଆଲୋଚନା କରାଯିବ ବୋଲି ସେ କହିଛନ୍ତି। ଏପରିକି ଏ ସମ୍ପର୍କରେ କଂଗ୍ରେସର ନିର୍ବାଚନୀ ଇସ୍ତାହାରରେ ଘୋଷଣା ହୋଇଥିଲା ଓ ଖୁବ ଶୀଘ୍ର ଏ ନେଇ ପଦକ୍ଷେପ ନିଆଯିବ ବୋଲି ମନ୍ତ୍ରୀ କହିଛନ୍ତି।

ସେପଟେ ଏହାକୁ ନେଇ ବିଜେପି ପ୍ରତିକ୍ରିୟା ରଖିଛି। ପାଠ୍ୟପୁସ୍ତକରେ ପରିବର୍ତ୍ତନ ପରେ ଏହାକୁ ପୁଣିଥରେ ପରିବର୍ତ୍ତନ କରାଗଲେ ଏହା ଛାତ୍ରଛାତ୍ରୀଙ୍କୁ ସମସ୍ୟାରେ ପକାଇବା ସହ ଅଯଥା ଚିନ୍ତା ବଢାଇବ ବୋଲି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେପି ନେତା ବାସବରାଜ ବୋମାଇ କହିଛନ୍ତି।

ରାଜ୍ୟର ସ୍କୁଲଗୁଡିକ ଖୋଲିବାକୁ ପ୍ରସ୍ତୁତ ହେଉଥିବା ବେଳେ ବହିଗୁଡ଼ିକ ସ୍କୁଲରେ ପହଂଚିସାରିଛି। ତେଣୁ ପିଲା କିମ୍ବା ଅଭିଭାବକଙ୍କୁ କିଛି ଚିନ୍ତା କରିବାର ଆବଶ୍ୟକତା ନାହିଁ ବୋଲି ମନ୍ତ୍ରୀ କହିଛନ୍ତି। ଯଦି ପାଠ୍ୟପୁସ୍ତକର କୌଣସି ଚାପ୍ଟର ବାଦ ଦିଆଯିବ ତାହେଲେ ଶିକ୍ଷକ ମାନଙ୍କୁ ସେ ସମ୍ପର୍କରେ ଅବଗତ କରାଯିବ ଓ ସେମାନେ ସମାଧାନର ରାସ୍ତା କହିବେ।

ପୂର୍ବର ବିଜେପି ସରକାର ଦ୍ୱାରା ପାଠ୍ୟପୁସ୍ତକରେ ପରିବର୍ତ୍ତନ ସମ୍ପର୍କରେ କର୍ଣ୍ଣାଟକର ବୁଦ୍ଧିଜୀବୀ ଓ ସାହିତ୍ୟିକ ମାନେ ମୁଖ୍ୟମନ୍ତ୍ରୀ ସିଦ୍ଦରମେୟାଙ୍କୁ ଭେଟିଛନ୍ତି। ଚକ୍ରତୀର୍ଥ କମିଟି ଦ୍ୱାରା ପାଠ୍ୟପୁସ୍ତକରେ ହୋଇଥିବା ପରିବର୍ତ୍ତନକୁ ପ୍ରତ୍ୟାହାର ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦାବି ହୋଇଛି। ୨୦୧୯ ମସିହାରେ ବିଜେପି କର୍ଣ୍ଣାଟକରେ ଶାସନକୁ ଆସିବା ପରେ ୨୦୨୧ ମସିହାରେ ଚକ୍ରତୀର୍ଥଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରିଥିଲେ।

ଯେଉଁ କମିଟିର ସୁପାରିଶ ଅନୁଯାୟୀ ପାଠ୍ୟପୁସ୍ତକରେ ପରିବର୍ତ୍ତନ ହୋଇଥିଲା। ଏପରିକି ପାଠ୍ୟପୁସ୍ତକରୁ ବହୁ ଲେସନ ବାଦ ଦିଆଯାଇଥିଲା। ଟିପୁ ସୁଲତାନଙ୍କ ସମ୍ପର୍କିତ ବିଷୟକୁ ମଧ୍ୟ ବାଦ ଦିଆଯାଇଥିଲା। ଏପରିକି ଖାଲି ସେତିକି ନୁହେଁ ଦଶମ ଶ୍ରେଣୀ ପାଠ୍ୟପୁସ୍ତକରେ ଆରଏସଏସ ପ୍ରତିଷ୍ଠାତା କେଶବ ବଳିରାମ ହେଡ଼ଗେୱାରଙ୍କ ଏକ ଭାଷଣକୁ ସାମିଲ କରାଯାଇଥିଲା।

ଯାହାକୁ ନେଇ ସେତେବେଳେ ବିବାଦ ହୋଇଥିଲା। ସେପଟେ କିନ୍ତୁ ଏ ପ୍ରସଙ୍ଗକୁ ନେଇ ଘରୋଇ ସ୍କୁଲ ସଂଘ ବିରୋଧ କରିଛି। ପାଠ୍ୟପୁସ୍ତକରେ ବାରମ୍ବାର ପରିବର୍ତ୍ତନ ଛାତ୍ରଛାତ୍ରୀଙ୍କ ଉପରେ ପ୍ରଭାବ ପକାଉଥିବା ଅଭିଯୋଗ ହୋଇଛି। ଏହା ଶିକ୍ଷା କ୍ଷେତ୍ରରେ ଏକ ସୁସ୍ଥ ପରମ୍ପରା ନୁହେଁ ବୋଲି କୁହାଯାଇଛି।

ତେଣୁ କିଛି ପରିବର୍ତ୍ତନ କିମ୍ବା ନିଷ୍ପତ୍ତି ପୂର୍ବରୁ ସ୍କୁଲ ସଂଘ, ଅଭିଭାବକ, ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା ହେବା ଆବଶ୍ୟକ ବୋଲି କୁହାଯାଇଛି। ତେଣୁ ଏହି ପ୍ରସଙ୍ଗକୁ ନେଇ ଏବେ କର୍ଣ୍ଣାଟକ ରାଜନୀତି ସରଗରମ ହୋଇଥିବା ବେଳେ ବିଜେପି ନିଷ୍ପତ୍ତି ଗୁଡିକ ଉପରେ ଜୋରଦାର ପ୍ରହାର ଆରମ୍ଭ ହୋଇଛି।

ତେଣୁ ଆଗକୁ ଆଉ କେଉଁ କେଉଁ କ୍ଷେତ୍ରର ନିଷ୍ପତ୍ତି ଉପରେ କଂଗ୍ରେସ ସରକାରଙ୍କ କୋପ ଦୃଷ୍ଟି ପଡୁଛି ତା ଉପରେ ନଜର।

Leave A Reply

Your email address will not be published.