Latest Odisha News

‘ମହାରାଷ୍ଟ୍ର ରାଜନୀତି’ ସିନ୍ଦେ ଆଉଟ ପାୱାର ଇନ !

ଭୁବନେଶ୍ୱର: ମହାରାଷ୍ଟ୍ର ରାଜନୀତିରେ ଘଡିକେ ଘୋଡା ଛୁଟୁଛି। ନିର୍ବାଚନ ପରେ ବିଜେପି ଶିବସେନା ସରକାର ଗଢିବାର ଥିଲେ ମଧ୍ୟ ଶେଷ ମୁହୂର୍ତ୍ତରେ ମହା ବିକାଶ ଅଘାଡି ମେଣ୍ଟ ସରକାର ହୋଇଥିଲା। ଶିବସେନା, କଂଗ୍ରେସ ଓ ଏନସିପି ମିଳିତ ସରକାର ଗଢ଼ିଥିଲେ।

ଏହା ପରେ ଶିବସେନାର ଏକନାଥ ସିନ୍ଦେଙ୍କ ବିଦ୍ରୋହ ପରେ ଏକନାଥ ବିଜେପି ସରକାର ଏବେ ଚାଲିଛି। ଏ ଭିତରେ ପୁଣି ମହାରାଷ୍ଟ୍ର ରାଜନୀତି ନୂଆ ମୋଡ଼ ନେବ ବୋଲି ଚର୍ଚ୍ଚା ହେଉଛି।

ଏନସିପି ନେତା ତଥା ମହାରାଷ୍ଟ୍ରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ନେତୃତ୍ୱରେ ୪୦ ରୁ ଅଧିକ ଏନସିପି ବିଧାୟକ ବିଜେପିରେ ମିଶିବାର ଚର୍ଚ୍ଚା ଜୋର ଧରିଛି।

ଏ ନେଇ କିଛି ଦିନ ତଳୁ ଚର୍ଚ୍ଚା ଆରମ୍ଭ ହୋଇଥିବା ବେଳେ ଏନସିପି ମୁଖ୍ୟ ଶରଦ ପାୱାର ଓ ଖୋଦ ଅଜିତ ପାୱାର ଏହାକୁ ଖଣ୍ଡନ କରିଛନ୍ତି। ତଥାପି ଏ ଚର୍ଚ୍ଚା ଥମୁନି। ଆଗକୁ ମହାରାଷ୍ଟ୍ରର ଶିବସେନା ବିବାଦକୁ ନେଇ ସୁପ୍ରିମକୋର୍ଟ ଖଣ୍ଡପୀଠରେ ଶୁଣାଣି ରହିଛି। ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି ଡି ୱାଇ ଚନ୍ଦ୍ରଚୁଡ଼ଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିବେ।

ଏଥିରେ ଏକନାଥ ସିନ୍ଦେ ଗୋଷ୍ଠୀର ବିଧାୟକଙ୍କ ସଭ୍ୟପଦ ରଦ୍ଦ ହୋଇପାରେ ବୋଲି କଳ୍ପନାଜଳ୍ପନା ପ୍ରକାଶ ପାଇଛି। ଏହାକୁ ନେଇ ମହାରାଷ୍ଟ୍ର ରାଜନୀତିରେ ନୂଆ ସମୀକରଣକୁ ନେଇ ଚର୍ଚ୍ଚା ହେଉଛି।

ଏକନାଥ ସିନ୍ଦେ ଗୋଷ୍ଠୀର ବିଧାୟକଙ୍କ ସଭ୍ୟ ପଦ ରଦ୍ଦ ହେଲେ ବର୍ତ୍ତମାନ ସରକାର ସଂଖ୍ୟା ଗରିଷ୍ଠତା ହରାଇବ। ତେଣୁ ତା ପୂର୍ବରୁ ବିଜେପି ଅଜିତ ପାୱାରଙ୍କୁ ମୁଖ୍ୟମନ୍ତ୍ରୀ ଆଶା ଦେଇ ନିଜର ୪୦ ରୁ ଅଧିକ ବିଧାୟକଙ୍କ ସହ ଦଳକୁ ନେବାକୁ ଉଦ୍ୟମ କରୁଥିବା ଚର୍ଚ୍ଚା ହେଉଛି।

ଏପରିକି ଅଜିତ ପାୱାରଙ୍କର ରାଜନୈତିକ ମହତ୍ୱାକାଂକ୍ଷା ଥିବାରୁ ସେ ମଧ୍ୟ ତାଙ୍କୁ ସମର୍ଥନ କରିଥିବା ୪୦ ରୁ ଅଧିକ ବିଧାୟକଙ୍କୁ ପ୍ରସ୍ତୁତ କରୁଥିବା କୁହାଯାଉଛି। ଅବଶ୍ୟ ଏ କଥାକୁ ଅଜିତ ପାୱାର ଖଣ୍ଡନ କରିଥିଲେ ମଧ୍ୟ ମହାରାଷ୍ଟ୍ର ରାଜନୈତିକ ଗଣିତ ଦୃଷ୍ଟିରୁ ଏହା ହୋଇପାରେ ବୋଲି ଆଲୋଚନା ହେଉଛି।

ନିକଟ ଅତୀତକୁ ଦେଖିଲେ ମହାରାଷ୍ଟ୍ର ରାଜନୀତିରେ ଏହା ନୂଆ କଥା ନୁହେଁ। କିନ୍ତୁ ଆଗକୁ ସାଧାରଣ ନିର୍ବାଚନ ଆସୁଥିବାରୁ ମହାରାଷ୍ଟ୍ରରେ ଶାସନକୁ ହାତଛଡା କରିବାକୁ ବିଜେପି ଚାହୁଁ ନ ଥିବା କୁହାଯାଉଛି।

ଏପରିକି ମହାରାଷ୍ଟ୍ର ଦେଶର ଏକ ପ୍ରମୁଖ ପ୍ରଭାବଶାଳୀ ଓ ବ୍ୟବସାୟିକ ପେଣ୍ଠସ୍ଥଳ ଭାବେ ଜଣାଶୁଣା। ତେଣୁ ଆଗକୁ କ୍ଷମତାକୁ ନେଇ ମହାରାଷ୍ଟ୍ରରେ ରୋଚକ ସ୍ଥିତି ଦେଖିବାକୁ ମିଳିପାରେ ବୋଲି କୁହାଯାଉଛି।

Leave A Reply

Your email address will not be published.