Latest Odisha News

ଲୋକନାଥ ଚୌଧୁରୀ ସ୍ମରଣେ

ଅଭୟ ସାହୁ 

ଆଜି ମଇ ୧୨ । ବିଶିଷ୍ଟ କମ୍ୟୁନିଷ୍ଟ ଜନନେତା, ପୂର୍ବତନ ସାଂସଦ, ପୂର୍ବତନ ବିଧାୟକ ଓ ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ପୂର୍ବତନ ରାଜ୍ୟ ସମ୍ପାଦକ ଲୋକନାଥ ଚୌଧୁରୀଙ୍କ ଜନ୍ମଦିନ ।

ଲୋକନାଥ ଚୌଧୁରୀ ୧୯୨୫ ମସିହା ମେ ୧୨ ତାରିଖରେ କୁଜଙ୍ଗ ନିକଟସ୍ଥ ତାଳଦଣ୍ଡା ଗ୍ରାମର ଏକ ଜମିଦାର ପରିବାରରେ ଜନ୍ମଗ୍ରହଣ କରିଥିଲେ । ବାଲ୍ୟ ଓ ଛାତ୍ର ଜୀବନ ଅୟସରେ କାଟିବାର ସମସ୍ତ ବ୍ୟବସ୍ଥା ଥାଇ ମଧ୍ୟ ଦୁଃଖ, ଅଭାବ ଓ ଅନାଟନରେ ଆକ୍ରାନ୍ତ ସାଙ୍ଗ ଛାତ୍ରଛାତ୍ରୀମାନଙ୍କର ସ୍କୁଲ ବ୍ୟାଗ ଓ ଆର୍ଥିକ ସମସ୍ୟାର ସମାଧାନ ପାଇଁ ବ୍ୟାକୁଳ ହେଉଥିଲେ । ବିଶେଷକରି ରେଭେନ୍ସା ମହାବିଦ୍ୟାଳୟରେ ଅଧ୍ୟୟନ ସମୟରେ ଷ୍ଟୁଡେଣ୍ଟ ଫେଡ଼େରେସନ ପ୍ରତି ଆକୃଷ୍ଟ ହୋଇ ବାମପନ୍ଥୀ ମତାଦର୍ଶ ଗ୍ରହଣ କରି କଟକ ସହରର ଛାତ୍ର-ଯୁବ ରାଜନୀତିରେ ପ୍ରମୁଖ ଭୂମିକା ନେଇଥିଲେ । ଏପରିକି ବିଏ ପରୀକ୍ଷା ଦେବା ପୂର୍ବରୁ ଗିରଫ ହୋଇ ଜେଲ୍‌ବରଣ କରିବାକୁ ପଡ଼ିଥିଲା । ଜେଲ୍‌ରୁ ଫେରି ବିଏ ପରୀକ୍ଷା ଦେଇ ଉତ୍ତୀର୍ଣ୍ଣ ହୋଇଥିଲେ । ସେବେଠାରୁ ସେ ଆଉ ପଛକୁ ଫେରି ଚାହିଁ ନାହାନ୍ତି ।

ବାମପନ୍ଥୀ ରାଜନୀତିରେ ତାଙ୍କର ସକ୍ରିୟ ଭୂମିକା ତାଙ୍କୁ ୧୯୫୨ ମସିହାରେ ଅବିଭାଜିତ ଏରସମା ବିଧାନସଭା ଆସନରେ ଲଢ଼ିବା ପାଇଁ ସିପିଆଇ ପକ୍ଷରୁ ସୁଯୋଗ ମିଳିଥିଲା । ଏହି ନିର୍ବାଚନରେ ପରାଜିତ ହୋଇଥିଲେ ମଧ୍ୟ ଏକ ଅଗ୍ନିବର୍ଷୀ, ବାମପନ୍ଥୀ, ଲୋକପ୍ରିୟ ଯୁବନେତା ଭାବେ ତାଙ୍କ ପ୍ରତି ଜନଗଣଙ୍କର ଗ୍ରହଣୀୟତା ବଢ଼ି ଚାଲିଥିଲା । ଫଳରେ ୧୯୫୭, ୧୯୬୭ ଓ ୧୯୭୪ରେ ରେକର୍ଡ ପରିମାଣର ଭୋଟ ପାଇ ତିନିଥର ବିଧାୟକ ହୋଇଥିଲେ । ୧୯୮୯ ଓ ୧୯୯୧ରେ ମଧ୍ୟ ଜଗତ୍‌ସିଂହପୁର ଲୋକସଭା ଆସନରୁ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ । ୧୯୭୪ରେ ବିଧାନସଭାରେ ଦଳର ନେତା ଭାବରେ ଜନଗଣଙ୍କ ସ୍ୱାର୍ଥରେ ଯୁଗାନ୍ତକାରୀ ଆଇନ ପ୍ରଣୟନ ପାଇଁ ସରକାରଙ୍କୁ ବାଧ୍ୟ କରାଇ ପାରିଥିଲେ । ଉପକୂଳ ଚାଷଜମିକୁ ଲୁଣା ଜୁଆର କବଳରୁ
ରକ୍ଷା ପାଇଁ ଲୁଣି ଘେରିବନ୍ଧର ଯୋଜନା, ଭାଗଚାଷୀ ସପକ୍ଷରେ ଆଇନ ପ୍ରଣୟନ, ଅସହାୟ ବୃଦ୍ଧ, ବୃଦ୍ଧା ଓ ବିଧବାଙ୍କୁ ଭତ୍ତା ପ୍ରଦାନ ଓ ଶିକ୍ଷକ ସମାଜକୁ ପରିଚାଳନା କମିଟିର ଶୋଷଣରୁ ମୁକ୍ତ କରାଇ ପ୍ରତ୍ୟକ୍ଷ ବେତନ ପ୍ରଦାନର ଯୁଗାନ୍ତକାରୀ ନେତୃତ୍ୱ ତାଙ୍କୁ ଚିର ସ୍ମରଣୀୟ କରି ରଖିବ ।

ବାଗ୍ମୀ ଲୋକନାଥଙ୍କର ବିଧାନସଭା ଓ ଲୋକସଭାରେ ବିଭିନ୍ନ ବିଲ୍ ଉପରେ ତାଙ୍କ ବିବୃତି ସଂଗ୍ରହ କରିବାର ଆବଶ୍ୟକତା ଜରୁରୀ ଅଟେ । ବାସ୍ତବରେ ବିପ୍ଳବୀ ଲୋକନାଥ ଚୌଧୁରୀଙ୍କର ରାଜନୈତିକ ଜୀବନ ଓଡ଼ିଶାରେ ବାମପନ୍ଥୀ ଆନ୍ଦୋଳନର ଅର୍ଦ୍ଧଶତାବ୍ଦୀର ଇତିହାସ ଅଟେ ।

ରାଜ୍ୟ ସମ୍ପାଦକ, ସିପିଆଇ
ମୋ: ୯୫୫୬୬୬୬୫୫୨

Comments are closed.