ସ୍ମୃତି ପଟ୍ଟନାୟକଙ୍କ ସ୍ମୃତିରେ ସାହିତ୍ୟିକା ବୀଣାପାଣି ମହାନ୍ତି
କଣ ଲେଖିବି, କାହିଁକି ଲେଖିବାକୁ ଚାହୁଁଛି,ଏ କଥା ଭାବନା ଭିତରକୁ ଆପେ ଆପେ ଚାଲି ଆସୁଛି, ଖୁବ୍ ଆପେକ୍ଷିକ ଏ ସତ କାହାଣୀ । ସେଦିନଟି ମୋର ଠିକ୍ ସେ ମନେ ପଡୁନି ଯେବେ ମୁଁ ପ୍ରଥମ ଥର ବୀଣା ଅପାଙ୍କ ଘରକୁ ଯାଇଥିଲି । ମୋର ପ୍ରଥମ ଗଳ୍ପ ସଂକଳନ ଚନ୍ଦ୍ରମାର ସପ୍ନ ଦେଲି । ସେ ଭାରି ଖୁସି ହେଲେ ; କହିଲେ ଏଇ ଗଳ୍ପଟି ପଢିଥିଲି ଅମୃତାୟନ ପତ୍ରିକାର ପୂଜା ସଂଖ୍ୟାରେ । ବହୁତ ଭଲ ଲାଗିଥିଲା । ନାରୀର ନିଷ୍ଠା ଓ ପରାକାଷ୍ଠା ଖୁବ୍ ସୁନ୍ଦର ଭାବରେ ବର୍ଣ୍ଣନା କରାଯାଇଛି ଗଳ୍ପରେ । ମୋ ମିଷ୍ଟର୍ ଓ ମୁଁ ଦୁହେଁ ଯାଇଥିଲୁ ବୀଣା ଅପା ବହୁତ ଗପିଲେ । ଭାରି ଖୁସି ହେଉଥିଲେ । ଆମେ ଫେରିଲୁ ରାତି ଦଶଟାରେ । ଆସିଲା ବେଳେ ଅପା କହିଲେ ଫୋନ୍ ନମ୍ବର ଦେଇଯା ଗପ ସବୁ ପଢିସାରିଲା ପରେ ଫୋନ୍ କରିବି।
ସେଦିନର କଥା ସେଇଠି ରହିଲା । ତା’ ପରେ ଘର କାମ, କଲେଜ୍ କାମରେ ବ୍ୟସ୍ତ ରହି କିଛି ଦିନ ବିତିଯାଇଥିଲା । ହଠାତ୍ ସନ୍ଧ୍ୟା ସାତଟା ବେଳକୁ ଦିନେ ଲ୍ୟାଣ୍ଡ ଫୋନକୁ କଲ୍ ଆସିଲା । ମୁଁ ଫୋନ୍ ଉଠାଇ ହ୍ୟାଲୋ କହିଲା ବେଳକୁ ସେପଟଟେ ଥିଲେ ସମ୍ମାନନୀୟା ବୀଣା ଅପା । ” ଆରେ ସ୍ମୃତି ମୁଁ ବୀଣା ଅପା କହୁଛି ମୁଁ ହଠାତ୍ ଆଶ୍ଚର୍ଯ୍ୟ ହୋଇ ଯାଇଥିଲି । ହଁ ଶୁଣ ତୋର ଗପ ସବୁ ପଢିଲି ଭଲ ଲାଗିଲା, ଗପର ଥୀମ୍ ବହୁତ ବଳିଷ୍ଠ ।” ମୁଁ ସ୍ଥିର ହୋଇ ଯାଇଥିଲି ଯେମିତି ବୀଣା ଅପା ଫୋନ୍ କରିଛନ୍ତି ଏକଥା ମୁଁ ଭାବିପାରୁନଥିଲି । ବହୁତ ସମୟ କଥା ହେଲେ, ସେଦିନ ଏତେ ଖୁସି ଲାଗୁଥିଲା ଯେ ମୁଁ ରାତି ସାରା ଖାଲି ସ୍ବପ୍ନ ଦେଖୁଥିଲି ମୋ ଗପର ଚରିତ୍ରମାନଙ୍କୁ ନେଇ, ମୋ ପ୍ରଥମ ଗଳ୍ପ ସଙ୍କଳନର ପ୍ରଥମ ପୁଲକ ।
କାଦମ୍ବିନୀ ପତ୍ରିକାରେ ଗଳ୍ପ ଅନ୍ଧାର ଗୋହିରୀ ପଢି ଫୋନ୍ କରିଥିଲେ ଅପା । କହିଲେ ବହୁତ ଭଲ ଲେଖିଛୁ,କଥାରୁ ମୋ ଗଳ୍ପ ଏଇ ତ ଜୀବନ ପଢିଥିଲେ କହିଲେ ଏଇ ଗଳ୍ପଟି ମୋତେ ସତ କାହାଣୀ ପରି ଲାଗିଲା, ସତରେ ଅପାଙ୍କର କଥା ଶୁଣିଲା ପରେ ଗପଟିଏ ଲେଖିବା ପାଇଁ ମୋ ଭିତରେ କେମିତି ଗୋଟେ ଉର୍ଜା ଜାଗ୍ରତ ହୋଇଯାଏ।
କେନ୍ଦ୍ରାପଡା ଅଟୋନମସ୍ ମହାବିଦ୍ୟାଳୟରେ ଇଂରାଜୀ ବିଭାଗରେ ପ୍ରାଧ୍ୟାପକ ତଥା ଏନ୍ ସି ସି ରେ ମେଜର୍ ଭାବେ କାର୍ଯ୍ୟ କରନ୍ତି ମୋ ମିଷ୍ଟର୍ । ସେ ଓଡିଆ, ଇଂରାଜୀ ରେ ଫିଚର, ପୋଏଟ୍ରି, ଓ ଷ୍ଟୋରି ଲେଖନ୍ତି । ତାଙ୍କୁ ବହୁତ ଭଲ ପାଆନ୍ତି ବୀଣା ଅପା, ଯେତେବେଳେ ବୀଣା ଅପା ଜାଣିଲେ ଯେ ସେ ଭି.ଏସ୍ .ନାଇପଲ୍ ଙ୍କ ଉପନ୍ୟାସ ଉପରେ ପି.ଏଚ୍ .ଡି କରୁଛନ୍ତି,ଭାରି ଖୁସି ହେଲେ । ତାପରେ କେତେ ଗୁଡିଏ ଲେଖା ପଢି ବହୁତ ପ୍ରଶଂସା କରିଥିଲେ । ଏମିତିରେ ଓଡ଼ିଶା ଲେଖିକା ସଂସଦର ବାର୍ଷିକୋତ୍ସବରେ ମୋର କବିତା ସଂକଳନ, ଉପନ୍ୟାସ, ଗଳ୍ପ ସଂକଳନ ଉନ୍ମୋଚନ ହେଇଛି । ବୀଣା ଅପା ପ୍ରତି ଥର ସବୁ ଲେଖା ଉପରେ ନିଶ୍ଚିତ ମତାମତ ଦେଇଛନ୍ତି । ତାଙ୍କର ମତାମତ ଶୁଣିଲା ପରେ ମୁଁ ଖୁସିରେ ବିହ୍ୱଳ ହୋଇ ପଡେ।
କେନ୍ଦ୍ରାପଡା ଅଟୋନମସ୍ ମହାବିଦ୍ୟାଳୟର ଷାଠିଏ ତମ ବାର୍ଷିକ ଉତ୍ସବରେ ବୀଣା ଅପାଙ୍କୁ ଦୀନବନ୍ଧୁ ସାହୁ ସ୍ମୃତି ସମ୍ମାନରେ ସମ୍ମାନିତ କରାଯାଇଥିଲା । ମୋ ମିଷ୍ଟରଙ୍କୁ ଦାୟିତ୍ୱ ଦିଆଯାଇଥିଲା ସବୁ କାର୍ଯ୍ୟ କରିବା ପାଇଁ । ସେଦିନ ବୀଣା ଅପାଙ୍କ ସହ ମୁଁ ଯାଇଥିଲି । ଆମେ ଚାରିଜଣ ଥିଲୁ କାର୍ ଭିତରେ । ମୋ ମିଷ୍ଟର୍ ଡ୍ରାଇଭିଂ କରୁଥିଲେ ତାଙ୍କ ପାଖରେ ଆଗ ସିଟରେ ଅପା ବସିଥିଲେ । ପଛରେ ମୁଁ ଓ ମାମା (ତାଙ୍କ ପାଖରେ ରହୁଥିବା ଝିଅଟି) । ବହୁତ ମଜାଳିଆ କଥା କହି ଗପୁଥିଲେ ସେ ବାଟ ସାରା । ପ୍ରଥମ ପ୍ରଥମ ସେ ଲେଖିଲା ବେଳେ ଯେଉଁ ପତ୍ର ପତ୍ରିକାକୁ ଲେଖା ପଠାଉ ଥିଲେ , ବାହାରୁ ନ ଥିଲା ସେ ଦିନେ ତାଙ୍କ ଘର ପଛରେ ଥିବା ପିଜୁଳି ଗଛ ମୂଳରେ ବସି କାନ୍ଦୁଥିଲେ ତାଙ୍କ ଲେଖା କାଇଁ ବାହାରୁନି ବୋଲି । ତା ପରେ ତାଙ୍କ ବୋଉ ବୁଝାଇ ଥିଲେ । କହିଥିଲେ ଦେଖିବୁ ତୁ ଭବିଷ୍ୟତରେ ନିଶ୍ଚୟ ଜଣେ ଖ୍ୟାତନାମା ଲେଖିକା ଟିଏ ହେବୁ । ତୁ ଏବେ ଖାଲି ଲେଖିଚାଲ୍ । ବୋଉଙ୍କ କଥା ମାନି ସେ ଅବିରାମ ଭାବେ ଲେଖିଚାଲିଥିଲେ । ତାପରେ ଏମିତି ଦିନ ଆସିଥିଲା, ସେ ପାଲଟି ଯାଇଥିଲେ ସମସ୍ତଙ୍କର ପ୍ରିୟ ଲେଖିକା । ନାରୀର ଦୁଃଖ ଓ ସଂଘର୍ଷର କଥାକୁ ସେ ଏମିତି ଲେଖିପାରନ୍ତି ପଢି ସାରିଲା ପରେ ଜଣକ ଆଖିରୁ ଲୁହ ଝରିଯିବ ।
ନାରୀ ସ୍ବାଧୀନତା ଓ ଅଧିକାରକୁ ନେଇ ସେ ଖୁବ୍ ସଚେତନ ଥିଲେ । ସେ ଏମିତି ଗପୁଥିଲେ ଆମେ ସମସ୍ତେ ଶୁଣୁଥିଲୁ, କେତେ ବେଳେ ଯାଇ ମେନ୍ ଗେଟ୍ ପାଖରେ ପହଞ୍ଚି ଯାଇଥିଲୁ ଜଣାପଡିଲା ନାହିଁ ।ସେଦିନ ଉତ୍ସବରେ ସୀତାକାନ୍ତ ମହାପାତ୍ର ସାର୍, ଗୌରହରି ଦାସ ଭାଇ, ରାମଚନ୍ଦ୍ର ବେହେରା ସାର୍ ସମସ୍ତେ ଉପସ୍ଥିତ ଥିଲେ । କେନ୍ଦ୍ରାପଡା ମାଟିର ଝିଅ ସେ ସେଠି ସମ୍ମାନିତ ହେବା ତାଙ୍କ ପାଇଁ ଗର୍ବ ଓ ଗୌରବର ବିଷୟ ବୋଲି ସେ ତାଙ୍କ ବକ୍ତବ୍ଯରେ କହିଥିଲେ । ତାଙ୍କର ଗଳ୍ପ ସଂକଳନ ପାଟଦେଈକୁ ନେଇ କହିଥିଲେ ଯେ ମୁଁ ଯେତେବେଳେ ଶୈଳବାଳା ମହାବିଦ୍ୟାଳୟରେ ଚାକିରୀ କରୁଥିଲି ଦିନେ ଭୁବନେଶ୍ବର ଯାଇଥିଲି ଫେରିଲା ବେଳକୁ ଫୁଲନଖରା ପାଖରେ ଗୋଟିଏ ଅଳ୍ପ ବୟସ ର ସ୍ତ୍ରୀ ଲୋକଟିଏ କାଖରେ ଗୋଟିଏ ଛୋଟ ଛୁଆଟିକୁ ଧରି ବସ୍ ଭିତରକୁ ଆସିଲା । ସେ ମୋ ପାଖରେ ବସିଲା, ଭାରି କାନ୍ଦୁଥିଲା ତା ଶାଶୁଘର ତାକୁ ଘରୁ ବାହାର କରି ଦେଇଛନ୍ତି । ତାର ନାଁ ପାଟ ବୋଲି କହିଲା । ସେଦିନ ସେ ହଷ୍ଟେଲରେ ପହଞ୍ଚିଲା ପରେ ଜମା ଖାଇ ପାରିଲେନି କି ଶୋଇ ପାରିଲେନି । ପାଟର ମୁହଁ ଆଖି ସାମ୍ନାରେ ପ୍ରତିବିମ୍ବିତ ହେଉଥିଲା ସେଇ ରାତିରେ ସେ ଲେଖିଲେ ବହୁ ଚର୍ଚ୍ଚିତ ଗଳ୍ପ ପାଟ ଦେଈ । ସେଇ ଗଳ୍ପ ସଂକଳନ ବିଦ୍ୟାପୁରୀ ପବ୍ଲିକେସନସର ସମ୍ମାନନୀୟ ପିତାମ୍ବର ମିଶ୍ର ମଉସା କରିଥିଲେ ଏବଂ ସଙ୍କଳନଟି କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ଲାଭ କରିଥିଲା । ସେ ନିଜେ ସେଦିନ ପାଟଦେଈର ଜନ୍ମବୃତ୍ତାନ୍ତ ଭାବ ବିହ୍ଵଳ ହୋଇ କହିଥିଲେ । ଆମେ ସମସ୍ତେ ବାହାରିଲା ବେଳକୁ ବୀଣା ଅପା କହିଲେ ଭାଇକୁ ଟିକେ ଦେଖିକି ଯିବା । ତାଙ୍କ ଭାଇ ସଚ୍ଚିଦାନନ୍ଦ ମହାନ୍ତି ଜଣେ ବିଶିଷ୍ଟ ଆଡଭୋକେଟ ଥିଲେ କେନ୍ଦ୍ରାପଡା ସହରରେ । କଲେଜ୍ ଠାରୁ ମାତ୍ର ଚାରି କିଲୋମିଟର ଦୂରରେ ସାଆନ୍ତସାହିରେ ଘର କରିଥିଲେ । ଆମେ ସମସ୍ତେ ଗଲୁ ତାଙ୍କ ଘରକୁ । । ଗେଟ୍ ଖୋଲି ସମସ୍ତେ ଗଲୁ ଭିତରକୁ ଅପା ଟିକେ ରହିଗଲେ ପିଜୁଳି ଗଛ ପାଖରେ ଥିବା ସମାଧିରେ । ହାତ ଯୋଡି ପ୍ରଣାମ ଜଣାଇଲେ, କହିଲେ ଭାଉଜଙ୍କର ସମାଧି, ବାହାଘର ର ଅଳ୍ପ ଦିନ ମଧ୍ୟରେ ଭାଉଜ କର୍କଟ ରୋଗରେ ଚାଲିଯାଇଥିଲେ । ତାପରେ ଆମେ ସମସ୍ତେ ଘର ଭିତରକୁ ଗଲୁ, ଡ୍ରଇଁରୁମ୍ ଟପି ବେଡ୍ ରୁମ୍ କୁ ଗଲୁ, ବେଡ୍ ରୁମ୍ ରେ ଚେୟାର୍ ରେ ଅପା ଙ୍କ ବଡ ଭାଇ ବସିଥିଲେ, ଅପା ଓ ଆମ ସମସ୍ତଙ୍କୁ ଦେଖି ବହୁତ ଖୁସି ହୋଇଗଲେ, ଘରେ ଆଉ କେହି ନଥିଲେ, ଜଣେ ଲୋକ ରୋଷେଇ ବାସ କାମ କରିବା ପାଇଁ ଥିଲେ, ସେ ଆମ ସମସ୍ତଙ୍କୁ କଫି କରିକି ଆଣି ଦେଲେ । ଆମେ ସେଦିନ କଟକ ରେ ପହଞ୍ଚିଲା ବେଳକୁ ରାତି ନଅଟା, ଅପାଙ୍କୁ ତାଙ୍କ ଘରେ ଛାଡିଲୁ । ଆସିଲା ବେଳକୁ ଅପାଙ୍କ ଆଖି କଣରେ ଲୁହ ମୁଁ ସ୍ପଷ୍ଟ ଦେଖି ପାରୁଥିଲି ।
ତାପରେ ବି ବହୁତ ଥର ଆମେ ଦୁହେଁ ଅପାଙ୍କ ଘରକୁ ଯାଇଛୁ । ଶେଷ ଥର ଦେଖା ହୋଇଥିଲା ଏଇ ବର୍ଷ ଜାନୁଆରୀ ମାସରେ । ଅପା ଖୁବ୍ କ୍ଷୀଣ ସ୍ବରରେ କଥା କହୁଥିଲେ । ସେଦିନ ଯେ ଶେଷ ଦେଖା ହେବ ଏବେ ଭାବିଲା ବେଳକୁ ଛାତି ରୁନ୍ଧିଲା ଭଳି ଲାଗୁଚି, ମନ ଭିତରେ କୋହ ଆସୁଛି। ଜନ୍ମ ଥିଲେ ମୃତ୍ୟୁ ଅନିବାର୍ଯ୍ୟ ଜାଣି ମଧ୍ୟ ବେଳେବେଳେ ଭାରି ଅବୁଝା ଲାଗେ ଏଇ ସଂସାରର ନିୟମ । ଅପା ଯେଉଁଠି ଥାନ୍ତୁ ଭଲରେ ଥାନ୍ତୁ ଆମକୁ ଆଶୀର୍ବାଦ କରନ୍ତୁ ।
ୟୁ ଏନ୍ କଲେଜ୍ ଅଡଶପୁର କଟକ
Comments are closed.