Latest Odisha News

BREAKING NEWS

କୋଟିଆକୁ ନେଇ ଜଗନ ଖେଳିଲେ ନୂଆ ଚାଲ

କୋଟିଆ:  କୋରାପୁଟ କୋଟିଆକୁ ନେଇ ବିବାଦ ଚାଲିଛି । ମାମଲା ସୁପ୍ରିମକୋର୍ଟରେ ରହିଛି । ଏହି ସମୟରେ କିନ୍ତୁ କୋଟିଆର ୨୮ଟି ଗାଁ ଏବଂ ୧୨ଟି ପଡାକୁ ଆନ୍ଧ୍ର ପ୍ରଦେଶ ସରକାର ନିଜ ମାନଚିତ୍ରରେ ସାମିଲ କରିଛନ୍ତି । ସୋମବାର ମୁଖ୍ୟମନ୍ତ୍ରୀ ଜଗନ ରେଡ୍ଡୀ ୧୩ଟି ନୂଆ ଜିଲ୍ଲା ଘୋଷଣା କରିଥିଲେ । ସେଥିରେ ପାର୍ବତୀପୁରମ ମାନ୍ୟମ ଜିଲ୍ଲାରେ କୋଟିଆର ୨୮ଟି ଗାଁ ଏବଂ ୧୨ଟି ପଡାକୁ ସାମିଲ କରିଛନ୍ତି । ତେଲୁଗୁ ଭାଷାରେ ମାନ୍ୟମର ଅର୍ଥ ପଛୁଆ ଅଞ୍ଚଳ। ତେବେ ବିବାଦୀୟ ଅଞ୍ଚଳକୁ ନିଜ ମାନଚିତ୍ରରେ ସାମିଲ କରାଇ ଆନ୍ଧ୍ର ସରକାର ନୂଆ ରଣନୀତି ଆପଣାଇଥିବା ଜଣାପଡିଛି। ଏହି ଜିଲ୍ଲାର ଜିଲ୍ଲାପାଳ ଭାବେ ନିଶାନ୍ତ କୁମାର ଓ ଆରକ୍ଷୀ ଅଧିକାରୀ ଭାବେ ବିଦ୍ୟାସାଗର ନାଇଡ଼ୁ ନିଯୁକ୍ତ ହୋଇଛନ୍ତି। ୧୩ଟି ନୂଆ ଜିଲ୍ଲା ଘୋଷଣା ପରେ ଆନ୍ଧ୍ରରେ ଏବେ ମୋଟ ଜିଲ୍ଲା ସଂଖ୍ୟା ୨୬କୁ ବୃଦ୍ଧି ପାଇଛି।

ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଓ୍ୱାଇ.ଏସ ଜଗନ୍ ମୋହନ ରେଡ୍ଡୀ ସରକାରୀ ବାସଭବନରୁ ଭର୍ଚୁଆଲ୍ ମୋଡରେ ନୂଆ ଜିଲ୍ଲା ଘୋଷଣା କରିଛନ୍ତି। ମାନ୍ୟମ ଜିଲ୍ଲା ମୁଖ୍ୟାଳୟ ପାର୍ବତୀପୁରମ ଠାରୁ କୋଟିଆର ଦୂରତା ମାତ୍ର ୬୦ କିଲୋମିଟର । ତେବେ ପୂର୍ବରୁ ଭତ୍ତା , ବିଭିନ୍ନ ଯୋଜନା ଜରିଆରେ ପ୍ରଲୋଭନ ଦେଖାଉଥିବା ଆନ୍ଧ୍ର ସରକାର ଏବେ ନୂଆ ଘୋଷଣା କରି ଓଡ଼ିଶା ସୀମାବର୍ତ୍ତୀ ଲୋକଙ୍କୁ ପ୍ରଲୋଭନ ଦେଖାଇ ଷଡଯନ୍ତ୍ର ରଚିଥିବା ଚର୍ଚ୍ଚା ହେଉଛି।

ସେହିପରି କୋରାପୁଟର ପୂର୍ବତନ ଜିଲ୍ଲାପାଳ ଗଦାଧର ପରିଡା କହିଛନ୍ତି, ପଡୋଶୀ ରାଜ୍ୟ ସରକାରଙ୍କ ଏହି ପଦକ୍ଷେପ କୋଟିଆ ଅଞ୍ଚଳ ପ୍ରତି ଆଗ୍ରହ ଦେଖାଉଛି। କୋଟିଆରେ ଏକ ବିକାଶ ପରିଷଦ ଗଠନ ଏବଂ ଏହି ଅଞ୍ଚଳ ପାଇଁ ସ୍ୱତନ୍ତ୍ର ଯୋଜନା ଆରମ୍ଭ କରିବାକୁ ଆମେ ଓଡିଶା ସରକାରଙ୍କୁ ଅନେକ ଥର ପ୍ରସ୍ତାବ ଦେଇଛୁ ଯାହା ଦ୍ୱାରା ଆମେ ପଡୋଶୀ ରାଜ୍ୟର ସ୍ଥାନୀୟ ଲୋକଙ୍କୁ ପ୍ରଲୋଭନ ଦେଖାଇପାରିବା।

ସେହିପରି ପୂର୍ବତନ ସାଂସଦ ଜୟରାମ ପାଙ୍ଗି କହିଛନ୍ତି, ନୂଆ ଜିଲ୍ଲା ଗଠନ ପଛରେ ଆନ୍ଧ୍ରର ଷଡଯନ୍ତ୍ର ରହିଛି। ମାନ୍ୟମ ଏକ ଆଦିବାସୀ ପ୍ରାଧାନ୍ୟ ଜିଲ୍ଲା ହେବ। ଏହି ପଦକ୍ଷେପ ଦ୍ୱାରା ଏହି ଅଞ୍ଚଳର ବାସି ହଇରାଣ ହେବେ। ସେହିପରି ଜିଲ୍ଲା ପରିଷଦର ସଦସ୍ୟ ଟିକାଇ ଜେମେଲ କହିଛନ୍ତି ଯେ ଆନ୍ଧ୍ର କ’ଣ ପଦକ୍ଷେପ ନେଉଛି ସେଥିପ୍ରତି ମୋର ଧ୍ୟାନ ନାହିଁ କାରଣ ମୁଁ ଜାଣେ କୋଟିଆ ଓଡିଶାର। ସମାନ ମତ ରଖି କୋଟିଆ ସରପଞ୍ଚ ଲିଓ ଜେମେଲ କହିଛନ୍ତି, କୋଟିଆ ଓଡିଶାର। ଯଦି ସେମାନେ ଆମକୁ ସେମାନଙ୍କ ରାଜ୍ୟରେ ଅନ୍ତର୍ଭୁକ୍ତ କରିବାକୁ ଚେଷ୍ଟା କରନ୍ତି ତେବେ ଆମେ ଆନ୍ଧ୍ରକୁ ବିରୋଧ କରିବୁ।

Leave A Reply

Your email address will not be published.