Latest Odisha News

BREAKING NEWS

ବଢୁଛି ହୀରାକୁଦର ଜଳସ୍ତର, ମହାନଦୀରେ ବଡ଼ ବନ୍ୟା ଆଶଙ୍କା

ଭୁବନେଶ୍ୱର: ମହାନଦୀରେ ମଧ୍ୟମ ଧରଣର ବନ୍ୟା ଆସିବ ବୋଲି ଏସଆରସି ପ୍ରଦୀପ ଜେନା କହିଥିଲେ। କିନ୍ତୁ ହୀରାକୁଦ ଡ୍ୟାମରେ ପାଣି ବଢିବା ପରେ ଏହି ଆକଳନ ଏବେ ଭୁଲ୍ ପ୍ରମାଣିତ ହେବାକୁ ଯାଉଛି। କାରଣ ଡ୍ୟାମରେ ପ୍ରବେଶ କରୁଥିବା ପାଣି ତଳୁନାରେ ନିଷ୍କାସିତ ହେଉଥିବା ପାଣିର ପରିଣାମ କମ୍ ରହିଛି। ପରିଣାମ ସ୍ୱରୂପ ମହାନଦୀରେ ଜଳସ୍ତର ବଢିବାରେ ଲାଗିଛି। ତେଣୁ ଏବେ ମହାନଦୀରେ ବଡ଼ ବନ୍ୟା ଆସିବ ବୋଲି ଆକଳନ କରାଯାଉଛି।

ମିଳିଥିବା ସୂଚନା ଅନୁଯାୟୀ ସକାଳ ୬ଟା ସୁଦ୍ଧା ହୀରାକୁଦର ଜଳସ୍ତର ୬୨୫.୦୪ ଫୁଟ୍ ଥିଲା। ଏବେ ୨୬ଟି ଗେଟ୍ ଦେଇ ଜଳ ନିଷ୍କାସିତ ହେଉଛି। ଡ୍ୟାମରେ ୭ ଲକ୍ଷ ୮୫ ହଜାର ୨୯୧ କ୍ୟୁସେକ୍ ପାଣି ପ୍ରବେଶ କରୁଥିବା ବେଳେ ୪ ଲକ୍ଷ ୩୪ ହଜାର ୮ କ୍ୟୁସେକ ଜଳ ନିଷ୍କାସିତ ହେଉଛି। ଏବେ ଡ୍ୟାମର ବାମ ପାର୍ଶ୍ୱର ୧୮ଟି ଓ ଦକ୍ଷିଣ ପାର୍ଶ୍ୱର ୮ଟି ଗେଟ୍ ମାଧ୍ୟମରେ ଜଳ ନିଷ୍କାସିତ ହେଉଛି। ସୋମବାର ରାତିରୁ ୨୬ଟି ଗେଟ ଜରିଆରେ ବନ୍ୟା ପାଣି ନିଷ୍କାସନ ହେଉଛି। ଗତକାଲି ଅପରାହ୍ନରେ ୮ଟି ଗେଟକୁ ବନ୍ଦ କରି ଦିଆଯାଇଥିଲା। ଏହା ପୂର୍ବରୁ ୩୪ଟି ଗେଟ୍ ଦେଇ ପାଣି ପ୍ରବାହିତ ହେଉଥିଲା।

ଉଲ୍ଲେଖଯୋଗ୍ୟ, ସୋମବାର ପରେ ମଙ୍ଗଳବାର ଆଜି ପାଣିପାଗରେ ପରିବର୍ତ୍ତନ ଆସିଛି। ସାଧାରଣତଃ ପାଗ ଶୁଖିଲା ରହିଛି। ସେହିପରି ମହାନଦୀରେ ଉପରମୁଣ୍ଡ ଅର୍ଥାତ ଛତିଶଗଡରେ ମଧ୍ୟ ପାଗ ଶୁଖିଲା ରହିଛି। ଉପରମୁଣ୍ଡରୁ ପାଣି ଆସୁଥିବାରୁ ମହାନଦୀର ଶାଖା ନଦୀଗୁଡ଼ିକ ଫୁଲୁଛି।

ରାଜ୍ୟରେ ବିଭିନ୍ନ ଅଞ୍ଚଳ କଟକର ଆଠଗଡ, କେନ୍ଦ୍ରାପଡା, ଜଗତସିଂହପୁର ଆଦି ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଅନେକ ନଦୀରେ ଘାଇ ଭାଙ୍ଗିଯାଇଛି।

Leave A Reply

Your email address will not be published.