Latest Odisha News

BREAKING NEWS

ଗହଣା ଦୋକାନରୁ ଚୋରି ଅଭିଯୋଗ, କର୍ମଚାରୀଙ୍କୁ ପିଟି ପିଟି ହତ୍ୟା !

ଝାରସୁଗୁଡ଼ା (ରୋଶନ ପୃଷ୍ଟି): ଗହଣା ଦୋକାନୀର କର୍ମଚାରୀଙ୍କୁ ହତ୍ୟା। ୬୦ ଲକ୍ଷ ଟଙ୍କାର ଗହଣା ଚୋରି ଅଭିଯୋଗରେ ଦୋକାନୀ ମାଲିକ କର୍ମଚାରୀଙ୍କୁ ପିଟି ପିଟି ହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତକ ଜଣଙ୍କ ବୌଦ୍ଧ ମନମୁଣ୍ଡାର ସୁରଶ ପାଣ୍ଡେ। ପରିବାର ଲୋକେ ଏବେ ସୁରେଶଙ୍କ ମୃତ୍ୟୁରେ ଭାଙ୍ଗିପଡିଛନ୍ତି। ତାଙ୍କର ପତ୍ନୀଙ୍କ ସହିତ ନଅ ମାସର ଏକ ଛୋଟ ଛୁଆ ଓ ବାପା, ମା ରହିଛନ୍ତି।

ହତ୍ୟା ଅଭିଯୋଗରେ ଝାରସୁଗୁଡା ପୋଲିସ ଗହଣା ଦୋକାନୀ ନବନୀତ ସରଓ୍ୱଗି (୨୯), ମେଘନା ପଟେଲ (୨୦), ବେହେରାପାଟ, ଏବଂ ମହେନ୍ଦ୍ର କିଶାନ (୨୫)ଙ୍କୁ ଚିହ୍ନଟ କରିବା ପରେ ଗିରଫ କରି କୋର୍ଟ ଚାଲାଣ କରିଛି।

ଓଡ଼ିଶୀ ଜୁଏଲର୍ସର କର୍ମଚାରୀ ସୁରଶ ପାଣ୍ଡେଙ୍କୁ ଚୋରି ଅଭଯୋଗରେ ଦୋକାନୀ ମାଲିକ ନିଜ ଘରେ ବନ୍ଦୀରଖି ନିସ୍ତୁକ ମାଡ଼ ମାରି ହତ୍ୟା କରିଥିବା ଅଭିଯୋଗ ହୋଇଛି । ମୃତକ ସୁରେଶ ପାଣ୍ଡେଙ୍କ ମା’ ଏ ନେଇ ଥାନାରେ ଅଭିଯୋଗ କରିଛନ୍ତି।

ମାଲିକଙ୍କ ଅଭିଯୋଗ ଅନୁସାରେ ଗହଣା ଦୋକାନରେ କାମ କରୁଥିଲେ ସୁରେଶ। ୬୦ ଲକ୍ଷ ଟଙ୍କାର ସୁନା ଗହଣା ହେରଫେର ହୋଇଥିବା ଜଣାପଡିବା ପରେ ସେ ଥାନାରେ ଏତଲା ଦେଇଥିଲେ। ଏହାପରେ ଦୋକାନ ମାଲିକ ଏବଂ ଅନ୍ୟମାନେ ସୁରେଶଙ୍କ ମାଡ ମାରିଥିବା ସୂଚନା ରହିଛି। ଏହି ଘଟଣା ଅଗଷ୍ଟ ୧ ତାରିଖରେ ଘଟିଥିଲା। ପରେ ସୁରେଶଙ୍କ ଅବସ୍ଥା ଗୁରୁତର ହେବା ପରେ ୭ ତାରିଖରେ ଦୋକାନ ମାଲିକ ସୁରେଶଙ୍କ ପରିବାର ଲୋକଙ୍କୁ ଫୋନ କରି ସୁରେଶ ଅବସ୍ଥା ଗୁରୁତର ଥିବା କଥା କହିଥିଲେ। ସୁରେଶଙ୍କ ବାପା ମା’ ଝାରସୁଗୁଡା ଆସି ପୁଅ ସମ୍ପର୍କରେ ପଚାରିବାରୁ ଦୋକାନ ମାଲିକ ତାଙ୍କ ଘରର ଉପର ମହଲାକୁ ନେଇ ଯାଇଥିଲେ।

ସେଠାରେ ସୁରେଶ ମୁର୍ମୁଷ ଅବସ୍ତାରେ ପଡି ରହିଥିଲେ। ସୁନା ଓ ଟଙ୍କା ନ ଫେରାଇବା ପର୍ଯ୍ୟନ୍ତ ସମସ୍ତେ ବନ୍ଦୀ ରହିବ କହି ସୁରେଶଙ୍କୁ ନିସ୍ତୁକ ମାଡ଼ ମାରିଥିଲେ ଏବଂ ସୁରେଶଙ୍କ ବାପା ମା’ କାକୁତିମିନତି ହେବାରୁ ଓଲଟା ତାଙ୍କ ବାପା ମା’ଙ୍କୁ ମଧ୍ୟ ମାଡ଼ ମାରିଥିବା ଅଭିଯୋଗ ରହିଛି। ଖବର ପାଇ ବୌଦ୍ଧରୁ ସୁରେଶଙ୍କ ଭିଣୋଇ ଆସି ଝାରସୁଗୁଡ଼ା ପୋଲିସକୁ ସବୁକଥା ଜଣାଇଥିଲେ କିନ୍ତୁ ପୋଲିସ କିଛି ପଦକ୍ଷେପ ଗ୍ରହଣ କରିନଥିଲା ।

ସୁରେଶଙ୍କ ଅବସ୍ଥା ଖରାପ ଆଡ଼କୁ ଗତି କରୁଥିବା ଦେଖି ୧୦ ତାରିଖ ଦିନ ଝାରସୁଗୁଡ଼ା ପୋଲିସ ତରବରିଆ ଭାବରେ ଝାରସୁଗୁଡ଼ା ଡ଼ାକ୍ତର ଖାନାକୁ ଚିକିତ୍ସା ପାଇଁ ପଠାଇଥିଲେ। କିନ୍ତୁ ସ୍ବାସ୍ଥ୍ୟ ଅବସ୍ଥାରେ କିଛି ସୁଧାର ନ ଆସିବାରୁ ଡାକ୍ତର ତାଙ୍କୁ ବୁର୍ଲା ଭିମ୍ ସାରର ଡାକ୍ତରଖାନାକୁ ସ୍ଥାନାନ୍ତର କରିଥିଲେ। କିନ୍ତୁ ଶରୀର ରେ ପ୍ରବଳ ମାଡ଼ ଯୋଗୁଁ ବୃକକ ରେ ରକ୍ତ ଜାମାଟ ବାନ୍ଧି ତାଙ୍କର ହୃଦଘାତ ହୋଇଥିବା କହିବା ସହିତ ଆଇସିୟୁରେ ଭର୍ତ୍ତି କରିଥିଲେ।

ରବିବାର ଗହଣା ଦୋକାନ ମାଲିକ ସୁରେଶଙ୍କ ଚିକିତ୍ସା ବାବଦରେ ଖର୍ଚ୍ଚ ଭରଣ କରିବେ ବୋଲି କହିଥିଲେ। କିନ୍ତୁ କେସ ଉଠାଇବାକୁ ସର୍ତ୍ତ ରଖିଥିଲେ। କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ଗତକାଲି ଅପରାହ୍ନରେ ସୁରେଶଙ୍କ ମୃତ୍ୟୁ ଘଟିଥିଲା।

ଝାରସୁଗୁଡା ଏସଡିପିଓ ନିର୍ମଳ ମହାପାତ୍ର କହିଛନ୍ତି, ଝାରସୁଗୁଡା ଥାନାରେ ଏ ସଂକ୍ରାନ୍ତରେ ଦୁଇଟି ମାମଲା ରୁଜୁ ହୋଇଛି। ଗୋଟିଏ ସୁରେଶ ଚୋରି କରିଥିବା ନେଇ ଦୋକାନୀ ଥାନାରେ ଏତଲା ଦେଇଛନ୍ତି। ଅନ୍ୟଟି ସୁରେଶଙ୍କୁ ହତ୍ୟା କରାଯାଇଥିବା ନେଇ ତାଙ୍କ ପରିବାର ଲୋକେ ଥାନାରେ ଏତଲା ଦେଇଛନ୍ତି।

Leave A Reply

Your email address will not be published.