Latest Odisha News

BREAKING NEWS

ହକି ବିଶ୍ୱକପ: ସମ୍ପୂର୍ଣ୍ଣ ଷ୍ଟାଇଲରେ ଅଭିଯାନ ଆରମ୍ଭ କଲା ଭାରତ

ରାଉରକେଲା: ହକି ବିଶ୍ୱକପ ଭୁବନେଶ୍ୱର ଏବଂ ରାଉରକେଲାରେ ଆରମ୍ଭ ହୋଇଯାଇଛି । ବିର୍ସା ମୁଣ୍ଡା ଷ୍ଟାଡିୟମରେ ଗ୍ରୁପ ଡିରେ ଭାରତ ତାର ପ୍ରଥମ ମୁକାବିଲାରେ ଅମିତ ରୋହିଦାସଙ୍କ ଚମତ୍କାର ପ୍ରଦର୍ଶନ ବଳରେ ୨-୦ ଗୋଲରେ ସ୍ପେନକୁ ପରାସ୍ତ କରି ସମ୍ପୂର୍ଣ୍ଣ ଷ୍ଟାଇଲରେ ଅଭିଯାନ ଆରମ୍ଭ କରିଛି । ଏଥିସହ ଭାରତ ବିଶେଷ କରି ଓଡିଶା ପ୍ରଶଂସକ ଝୁମି ଉଠିଛନ୍ତି । ମ୍ୟାଚର ପ୍ରଥମ କ୍ୱାର୍ଟରରେ ଓଡିଶାର ଷ୍ଟାର ଖେଳାଳି ତଥା ଜାତୀୟ ଦଳର ଉପ ଅଧିନାୟକ ଅମିତ ରୋହିଦାସ ୧୨ତମ ମିନିଟରେ ପେନାଲ୍ଟି କର୍ଣ୍ଣରକୁ ଗୋଲରେ ପରିଣତ କରାଇ ଭାରତକୁ ଅଗ୍ରଣୀ କରାଇଥିଲେ ।

ଦ୍ୱିତୀୟ କ୍ୱାର୍ଟରର ୨୬ତମ ମିନିଟରେ ହାର୍ଦ୍ଦିକ ସିଂଙ୍କ ଗୋଲ ବଳରେ ଭାରତ ପ୍ରଥମାର୍ଦ୍ଧ ଶେଷ ସୁଦ୍ଧା ୨-୦ର ଗୁରୁତ୍ୱପୂର୍ଣ୍ଣ ଅଗ୍ରଣୀ ହାସଲ କରିଥିଲା । ସ୍ପେନର ଆଲଭେରୋ ଇଗଲେସିଆସ ପ୍ରଥମାର୍ଦ୍ଧ ଶେଷ ଭାଗରେ ଏକ ଗୋଲ ସୁଯୋଗ ହାତଛଡା କରିବା ମହଙ୍ଗା ସାବ୍ୟସ୍ତ ହୋଇଥିଲା । ଦ୍ୱିତୀୟାର୍ଦ୍ଧରେ ଭାରତର ବିବେକ ସାଗର ପ୍ରସାଦ ଓ ହରମନପ୍ରୀତ ୨ଟି ପେନାଲ୍ଟି କର୍ଣ୍ଣରକୁ ଗୋଲରେ ପରିଣତ କରିପାରି ନ ଥିଲେ । ଶେଷ କ୍ୱାର୍ଟରର ଅଧିକାଂଶ ସମୟ ଭାରତ ୧୦ ଖେଳାଳିଙ୍କୁ ନେଇ ଖେଳିବାକୁ ବାଧ୍ୟ ହୋଇଥିଲା । ବୋନାସ୍ତ୍ରେଙ୍କ ସହ ଧକା ହେବା ଫଳରେ ଅଭିଷେକଙ୍କୁ ୧୦ ମିନିଟ ପାଇଁ ସସପେଣ୍ଡ କରାଯାଇଥିଲା । ମ୍ୟାଚ ଆଉ ୨ ମିନିଟ ବାକିଥିବା ବେଳେ ଅଭିଷେକ ଫିଲ୍ଡକୁ ଫେରିଥିଲେ ।

ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ବିଶ୍ୱକପର ଉଦଘାଟନୀ ମ୍ୟାଚରେ ଆର୍ଜେଂଟିନା ୧-୦ ଗୋଲରେ ଦକ୍ଷିଣ ଆଫ୍ରିକାକୁ ହରାଇ ବିଜୟ ଅଭିଯାନ ଆରମ୍ଭ କରିଥିଲା । ଏଠାରେ ଅନୁଷ୍ଠିତ ଦ୍ୱିତୀୟ ମୁକାବିଲାରେ ୩ ଥର ବିଶ୍ୱ ଚାମ୍ପିୟନ ଅଷ୍ଟ୍ରେଲିଆ ୮-୦ ଗୋଲରେ ଫ୍ରାନ୍ସକୁ ପରାସ୍ତ କରିଛି । ସେହିପରି ବିର୍ସା ମୁଣ୍ଡା ଷ୍ଟାଡିୟମରେ ଅନୁଷ୍ଠିତ ପ୍ରଥମ ମ୍ୟାଚରେ ଇଂଲଣ୍ଡ ୪-୦ ଗୋଲରେ ୱେଲ୍ସକୁ ସମ୍ପୂର୍ଣ୍ଣ ଏକତରଫା ଭାବେ ହରାଇ ଦେଇଛି ।

Leave A Reply

Your email address will not be published.