Latest Odisha News

୨୦୨୪ ନିର୍ବାଚନରେ ଓଡ଼ିଶାରେ ସମସ୍ତ ଆସନରେ ପ୍ରାର୍ଥୀ ଦେବ ଆମ୍ ଆଦମୀ ପାର୍ଟି

ଭୁବନେଶ୍ୱର: ଆମ୍ ଆଦମୀ ପାର୍ଟି (ଆପ୍) ଓଡ଼ିଶାରେ ଆସନ୍ତା ବିଧାନସଭା ଓ ଲୋକସଭା ନିର୍ବାଚନରେ ସମସ୍ତ ଆସନରେ ପ୍ରାର୍ଥୀ ଦେବ। ଓଡ଼ିଶାର ସମସ୍ତ ୨୧ଟି ଲୋକସଭା ଓ ୧୪୭ଟି ବିଧାନସଭା ଆସନରେ ନିର୍ବାଚନ ଲଢ଼ିବାକୁ ଦଳ ନିଷ୍ପତ୍ତି ନେଇଛି। ଏ ନେଇ ଆପର ଓଡ଼ିଶା ଆବାହକ ନିଶିକାନ୍ତ ମହାପାତ୍ର ସୂଚନା ଦେଇଛନ୍ତି।

ନିଶିକାନ୍ତ ନୂଆଦିଲ୍ଲୀ ଗସ୍ତରେ ଯାଇଥିଲେ। ସେଠାରେ ସେ ଦଳର ଅନ୍ୟ ନେତାଙ୍କ ସହ ଆଲୋଚନା କରିଥିଲେ। କିଭଳି ରାଜ୍ୟରେ ଦଳକୁ ଆଗକୁ ବଢି ହେବ। ଲୋକଙ୍କ ମୁଡ କିଭଳି ରହିଛି ଏବଂ କି କି ସମସ୍ୟା ରହିଛି ସେ ନେଇ ଶୀର୍ଷ ନେତାଙ୍କ ସହ ଆଲୋଚନା କରିଥିଲେ। ବୁଧବାର ନୂଆଦିଲ୍ଲୀରେ ଦଳର ରାଷ୍ଟ୍ରୀୟ ସମ୍ପାଦକ (ସଙ୍ଗଠନ) ସନ୍ଦୀପ ପାଠକଙ୍କ ସହ ଆଲୋଚନା ପରେ ଆସନ୍ତା ନିର୍ବାଚନରେ ଦଳ ମୈଦାନକୁ ଓହ୍ଲାଇବ ଏବଂ ପୂର୍ବ ଅପେକ୍ଷା ଅଧିକ ସକ୍ରିୟ ହୋଇ ନିର୍ବାଚନରେ ଭାଗ ନେବ ବୋଲି ଦଳ ପକ୍ଷରୁ ନିଷ୍ପତ୍ତି ନିଆଯାଇଥିବା ସୂଚନା ରହିଛି।

ଗୁରୁବାର ନିଶିକାନ୍ତ ମହାପାତ୍ର ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲଙ୍କ ସହ ଏ ନେଇ ଆଲୋଚନା କରିଥିବା ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି। କେରଳ ସହ ଓଡ଼ିଶା ଆଗାମୀ ନିର୍ବାଚନରେ ଆପର ଫୋକସ୍ ରାଜ୍ୟ ରହିବ ବୋଲି ସୂଚନା ରହିଛି। ଅନ୍ୟପଟେ ସନ୍ଦୀପ ପାଠକ ଚଳିତ ମାସ ଶେଷ ସୁଦ୍ଧା ଓଡ଼ିଶା ଆସିବାର କାର୍ଯ୍ୟକ୍ରମ ରହିଛି। ଭୁବନେଶ୍ୱରରେ ଏକ ସାଧାରଣ ସଭାରେ ଦଳର ନିଷ୍ପତ୍ତି ବାବଦରେ ବିଧିବଦ୍ଧ ଭାବେ ଘୋଷଣା କରିବେ ବୋଲି ସୂଚନା ରହିଛି। ଏହି ବୈଠକରେ ଅନ୍ୟ ରାଜନୈତିକ ଦଳର ବହୁ ନେତା ଯୋଗଦେବାର କାର୍ଯ୍ୟକ୍ରମ ରହିଛି।

୧୪୭ ବିଧାନସଭା ଆସନରୁ ୧୩୨ଟିରେ ନିର୍ବାଚନ ମଣ୍ଡଳୀସ୍ତରୀୟ ବୈଠକ ଶେଷ କରି ଆପ୍ ଓଡ଼ିଶାରେ ଆଗକୁ ବଢିବାକୁ ପ୍ରସ୍ତୁତ ହୋଇଛି। ସେହିପରି ୩୧୪ଟି ବ୍ଲକରୁ ୨୭୧ଟି ବ୍ଲକରେ ସାଙ୍ଗଠନିକ ୟୁନିଟ୍ ଗଠନ କରିଛି। ଆଗାମୀ ଦିନରେ ଦଳର ବହୁ ବରିଷ୍ଠ ନେତା ରାଜ୍ୟର ବିଭିନ୍ନ ସ୍ଥାନରେ ସାଙ୍ଗଠନିକ ବୈଠକରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ବୋଲି ନିଶିକାନ୍ତ ମହାପାତ୍ର କହିଛନ୍ତି।

ନିକଟରେ ହୋଇଥିବା ଗୁଜରାଟ ବିଧାନସଭାର ୧୮୨ଟି ଆସନରୁ ଆପ୍ ୧୨.୯୨ ପ୍ରତିଶତ ଭୋଟ୍ ପାଇ ପାଞ୍ଚଟି ଆସନରେ ବିଜୟୀ ହୋଇଥିଲା। ଗୁଜରାଟରେ ମାତ୍ର ସାତ ମାସ ସମୟରେ ପାଞ୍ଚଟି ଆସନ ଜିତିଥିଲା ଦଳ। ଓଡ଼ିଶା ପାଇଁ ଅଧିକ ସମୟ ମିଳିବ ଏବଂ ଏଠିକାର ରାଜନୈତିକ ସମୀକରଣ ଦଳକୁ ସୁହାଇବ ବୋଲି ଆପ୍ ଆଶା ରଖିଛି।

 

Leave A Reply

Your email address will not be published.