ନାଗୋୟା (ଜାପାନ): ଜାପାନର ଆଇଚି-ନାଗୋୟାଠାରେ ଚାଲିଥିବା ୨୦୨୬ ଏସିଆନ୍ ଗେମ୍ସର ପୁରୁଷ ହକି ଫାଇନାଲ୍ରେ ଭାରତୀୟ ଦଳ ଏକ ଚିତ୍ତାକର୍ଷକ ପ୍ରଦର୍ଶନ କରି ମଲେସିଆକୁ ୫-୧ ଗୋଲ୍ରେ ପରାସ୍ତ କରି ସ୍ୱର୍ଣ୍ଣ ପଦକ ହାସଲ କରିଛି । ଏହି ସଫଳତା ସହ ଭାରତୀୟ ପୁରୁଷ ଦଳ ଲଗାତାର ଦ୍ୱିତୀୟ ଥର ପାଇଁ ଆସିଆନ୍ ଗେମ୍ସ ସ୍ୱର୍ଣ୍ଣ ପଦକ ବଜାୟ ରଖିବା ସହ ୨୦୨୮ ଲସ୍ ଆଞ୍ଜେଲସ୍ ଅଲିମ୍ପିକ୍ସ ପାଇଁ ନିଜର ସ୍ଥାନ ପକ୍କା କରିଛି । ଏହି ସଂସ୍କରଣରେ ଭାରତୀୟ ହକି ଇତିହାସରେ ପ୍ରଥମ ଥର ପାଇଁ ଉଭୟ ପୁରୁଷ ଓ ମହିଳା ଦଳ ଏକାସାଙ୍ଗରେ ଏସିଆନ୍ ଗେମ୍ସରେ ସ୍ୱର୍ଣ୍ଣ ପଦକ ଜିତିବାର ଗୌରବ ହାସଲ କରିଛନ୍ତି । ପୂର୍ବରୁ ମହିଳା ଦଳ ଚୀନ୍କୁ ହରାଇ ୪୪ ବର୍ଷ ପରେ ନିଜର ପ୍ରଥମ ସ୍ୱର୍ଣ୍ଣ ପଦକ ଜିତିଥିଲେ । ପୁରୁଷ ଦଳର ଏହା ୫ମ ସ୍ୱର୍ଣ୍ଣ ପଦକ । ଅଧିନାୟକ ହରମନପ୍ରୀତ ସିଂହ ପେନାଲ୍ଟି କର୍ନରକୁ ଗୋଲ୍ରେ ରୂପାନ୍ତରିତ କରି ଭାରତକୁ ୧-୦ରେ ଆଗୁଆ କରିଥିଲେ। ତେବେ ମଲେସିଆ ୩ ମିନିଟ୍ ମଧ୍ୟରେ ଗୋଲ୍ ପରିଶୋଧ କରିଥିଲା । ଶିଲାନନ୍ଦ ଲାକ୍ରାଙ୍କ ଦମଦାର ପ୍ରଚେଷ୍ଟାରୁ ଭାରତ ପେନାଲ୍ଟି କର୍ନର ପାଇଥିଲା, ଯାହାକୁ ଯୁଗରାଜ ସିଂହ ଗୋଲ୍ କରି ଭାରତକୁ ୨-୧ରେ ଆଗୁଆ କରିଥିଲେ ।
ଏହାପରେ ପେନାଲ୍ଟି ଷ୍ଟ୍ରୋକ୍ରୁ ହାର୍ଦ୍ଦିକ ସିଂହ ଗୋଲ୍ କରି ସ୍କୋର ୩-୧ କରିଥିଲେ । ଶିଲାନନ୍ଦ ଲାକ୍ରା ନିଜେ ଏକ ସୁନ୍ଦର ଫିଲ୍ଡ ଗୋଲ୍ କରି ସ୍କୋର ୪-୧ କରିଥିଲେ । ଶେଷ ସମୟରେ ଅଧିନାୟକ ହରମନପ୍ରୀତ ସିଂହ ନିଜର ଦ୍ୱିତୀୟ ଗୋଲ୍ ସହ ଭାରତର ବିଜୟ ୫-୧ରେ ନିଶ୍ଚିତ କରିଥିଲେ । ଏହି ସ୍ୱର୍ଣ୍ଣ ପଦକ ସହ ଭାରତର ମୋଟ ସ୍ୱର୍ଣ୍ଣ ପଦକ ସଂଖ୍ୟା ୨୧ରେ ପହଞ୍ଚିଛି । ଏହା ସହ ଭାରତ ପଦକ ତାଲିକାରେ ଉଜବେକିସ୍ତାନକୁ ପଛରେ ପକାଇ ଚତୁର୍ଥ ସ୍ଥାନକୁ ଉଠିଛି । ଫାଇନାଲ୍ ପୂର୍ବରୁ ସେମିଫାଇନାଲ୍ରେ ଭାରତ ନିଜର ଚିରପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ୪-୩ ଗୋଲ୍ରେ ପରାସ୍ତ କରି ଫାଇନାଲ୍କୁ ପ୍ରବେଶ କରିଥିଲା ।

