Latest Odisha News

BREAKING NEWS

ବାୟୁସେନା ପାଇଲଟଙ୍କୁ ତୁରନ୍ତ ହସ୍ତାନ୍ତର କରିବା ନେଇ ପାକିସ୍ତାନକୁ ଦାବି କଲା ଭାରତ

ନୂଆଦିଲ୍ଲୀ: ନିଖୋଜ ଥିବା ଭାରତୀୟ ବାୟୁସେନା ପାଇଲଟଙ୍କୁ ପାକିସ୍ତାନ ସେନା ଗିରଫ କରିଥିବା ନେଇ ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ ସ୍ପଷ୍ଟ କରିଥିବା ବେଳେ ତାଙ୍କୁ ତୁରନ୍ତ ନିରାପଦ ଭାବେ ଭାରତକୁ ହସ୍ତାନ୍ତର କରିବାକୁ ପାକିସ୍ତାନକୁ ଜଣାଇ ଦିଆଯାଇଛି ।

ଗୁରୁତର ଆହତ ଅବସ୍ଥାରେ ଥିବା ଭାରତୀୟ ବାୟୁସେନା ପାଇଲଟଙ୍କୁ ଯେଭଳି ନିର୍ଦ୍ଦୟ ଭାବେ ବ୍ୟବହାର କରାଯାଇଛି ତାହାର କଡ଼ା ନିନ୍ଦା କରିଛି ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ । ପାକିସ୍ତାନ ଜେନେଭା ଚୁକ୍ତି ଅନୁଯାୟୀ ଆନ୍ତର୍ଜାତିକ ଆଇନ ଓ ମାନବାଧିକାରର ଖିଲାପ କରିଥିବା କଥା ପାକିସ୍ତାନକୁ ଅବଗତ କରିଦିଆଯାଇଛି, ତେବେ ସୋସିଆଲ୍ ମିଡ଼ିଆରେ ଭାଇରାଲ୍ ହୋଇଥିବା ଏସମ୍ପର୍କରେ ଭିଡ଼ିଓକୁ ନେଇ ଅବଗତ କରାଯାଇଛି ।

ଏକ ଭିଡ଼ିଓରେ ଅଭିନନ୍ଦନଙ୍କ ଆଖିରେ ଅନ୍ଧ ପୁଟୁଳି ବନ୍ଧାଯାଇ ସେ ତାଙ୍କ ନାମ ଓ ପରିଚୟ ପ୍ରଦାନ କରୁଥିବାର ଦୃଶ୍ୟ ରହିଛି । ଅନ୍ୟ ଏକ ଭିଡ଼ିଓରେ ତାଙ୍କୁ ଚା’ ପରଷା ଯାଉଥିବାର ଦୃଶ୍ୟ ରହିଛି ଏବଂ କିଛି ବ୍ୟକ୍ତି ତାଙ୍କୁ ସଂଘବଦ୍ଧ ଭାବେ ପିଟୁଥିବା ବେଳେ ପାକିସ୍ତାନୀ ସେନା ଦ୍ୱାରା ତାଙ୍କୁ ଉଦ୍ଧାର କରାଯାଇଛି ବୋଲି କୁହାଯାଉଛି ।

ବୁଧବାର ସନ୍ଧ୍ୟାରେ ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ସ୍ପଷ୍ଟିକରଣ ଦିଆଯାଇଥିଲା ଯେ, ଏକ ମିଗ-୨୧ ବିମାନ ଦୁର୍ଘଟଣା ଗ୍ରସ୍ତ ହୋଇଛି ଏବଂ ଏହାର ପାଇଲଟ୍ ନିଖୋଜ ଅଛନ୍ତି ।

ପାକିସ୍ତାନ ପ୍ରଧାନମନ୍ତ୍ରୀ ସନ୍ଧ୍ୟାରେ ଟିଭିରେ ସମ୍ବୋଧିତ କରି ଭାରତ ସହିତ କଥାବାର୍ତ୍ତା ଓ ଆଲୋଚନା କରିବାକୁ ଚାହୁଁଛନ୍ତି ବୋଲି କହିଛନ୍ତି, ଉଭୟ ଦେଶର ଅସ୍ତ୍ର ରହିଛି ଏବଂ ଆଲୋଚନା ବିନା ନା ସେ ନା ମୋଦି କେହି ଏହି ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିପାରିବେ ବୋଲି କହିଛନ୍ତି ।

ଇତିମଧ୍ୟରେ ପାକିସ୍ତାନ ସେନାର ମୁଖପାତ୍ର ଜଣେ ଭାରତୀୟ ବାୟୁସେନାର ପାଇଲଟଙ୍କୁ ଗିରଫ କରାଯାଇଥିବାର ସ୍ପଷ୍ଟିକରଣ ଦେଇଛନ୍ତି ।

Leave A Reply

Your email address will not be published.