Latest Odisha News

BREAKING NEWS

ଜି-୨୦ ପରେ ବିଗିଡିଲା କାନାଡା-ଭାରତ ସମ୍ପର୍କ: ବରିଷ୍ଠ ରାଷ୍ଟ୍ରଦୂତଙ୍କୁ ବହିଷ୍କାର କଲେ ଦୁଇ ଦେଶ

ନୂଆଦିଲ୍ଲୀ:ଜି-୨୦ ସମ୍ମିଳନୀରେ ବିଗୁଡୁଛି କାନାଡା-ଭାରତ ସମ୍ପର୍କ । ଖଲିସ୍ତାନୀ ଆତଙ୍କୀ ହରଦୀପ ସିଂହ ହତ୍ୟାକାଣ୍ଡରେ ଭାରତର ସଂପୃକ୍ତି ଥିବା ଅଭିଯୋଗ କରି କାନାଡା ସୋମବାର ଭାରତର ଜଣେ ବରିଷ୍ଠ ରାଷ୍ଟ୍ରଦୂତଙ୍କୁ ଦେଶରୁ ବାହାର କରି ଦେଇଛି । ଏହାର ପାଲଟା ଜବାବ ଦେଇ ଭାରତ ମଧ୍ୟ କାନାଡାର ଜଣେ ବରିଷ୍ଠ ରାଷ୍ଟ୍ରଦୂତଙ୍କୁ ଦେଶରୁ ବହିଷ୍କାର କରି ଦେଇଛି ।

ମିଳିଥିବା ଖବର ଅନୁଯାୟୀ, ଭାରତ ସରକାରଙ୍କ ପକ୍ଷରୁ ଆଜି ସକାଳୁ କାନାଡା ହାଇ କମିଶନରଙ୍କୁ ଡକା ଯାଇଥିଲା । ଭାରତରେ ଥିବା କାନାଡାର ଜଣେ ବରିଷ୍ଠ ରାଷ୍ଟ୍ରଦୂତଙ୍କୁ ବହିଷ୍କାର କରାଯାଇଥିବା ସୂଚନା ଦିଆ ଯାଇଥିଲା । ନିଷ୍କାସିତ ରାଷ୍ଟ୍ରଦୂତଙ୍କୁ ଆସନ୍ତା ୫ ଦିନ ଭିତରେ ଦେଶ ଛାଡିବା ପାଇଁ କୁହାଯାଇଛି ।

ଭାରତର ନିଜସ୍ୱ ମାମଲାରେ କାନାଡାର ରାଜନୈତିକ ହସ୍ତକ୍ଷେପ ଏବଂ ଭାରତ ବିରୋଧୀ କାର୍ଯ୍ୟକଳାପରେ କାନାଡାର ସଂପୃକ୍ତିକୁ ନେଇ ଭାରତ ସରକାରଙ୍କ ଯେ ଚିନ୍ତା ବଢିଛି ତାହା ଏଥିରୁ ସ୍ପଷ୍ଟ ହୋଇଛି ।

ଅନ୍ୟପକ୍ଷେ ଖଲିସ୍ତାନୀ ନେତା ହରଦୀପ ସିଂହ ମୃତ୍ୟୁ ଘଟଣାରେ ଭାରତର ସଂପୃକ୍ତି ଅଛି ବୋଲି କାନାଡା କରିଥିବା ଅଭିଯୋଗକୁ ଭାରତ ଖଣ୍ଡନ କରିଛି । ହରଦୀପ ସିଂହଙ୍କୁ ଭାରତୀୟ ସୁରକ୍ଷା ଏଜେନ୍ସି ପଳାତକ ଏବଂ ଆତଙ୍କବାଦୀ ଘୋଷିତ କରିଥିଲେ । ଏପରିକି ତାଙ୍କ ମୁଣ୍ଡ ପାଇଁ ୧୦ ଲକ୍ଷ ଟଙ୍କାର ପୁରଷ୍କାର ଘୋଷଣା କରିଥିଲେ । ହରଦୀପ ସିଂହଙ୍କୁ ୨୦୨୩ ଜୁନରେ କାନାଡାରେ ଗୁଳିକରି ହତ୍ୟା କରାଯାଇଥିଲା ।

Leave A Reply

Your email address will not be published.