Latest Odisha News

BREAKING NEWS

ବାଂଲାଦେଶ ପ୍ରଧାନମନ୍ତ୍ରୀଙ୍କୁ ଦିଲ୍ଲୀ ଆସିବାକୁ ନିମନ୍ତ୍ରଣ, କିନ୍ତୁ ଭାରତ ଗସ୍ତକୁ ନେଇ ଦ୍ୱନ୍ଦ୍ୱରେ ଢାକା

ନୂଆଦିଲ୍ଲୀ: କୂଟନୈତିକ ସ୍ତରରେ ବର୍ତ୍ତମାନ ଭାରତ ଏବଂ ବାଂଲାଦେଶ ମଧ୍ୟରେ ଏକ ଅସ୍ଥିର ପରିସ୍ଥିତି ଲାଗି ରହିଥିବା ବେଳେ ଏକ ଗୁରୁତ୍ୱପୂର୍ଣ୍ଣ ଖବର ସାମ୍ନାକୁ ଆସିଛି। ଆସନ୍ତା ସେପ୍ଟେମ୍ବର ୧୨ ଓ ୧୩ ତାରିଖରେ ନୂଆଦିଲ୍ଲୀରେ ଆୟୋଜିତ ହେବାକୁ ଥିବା ‘ବ୍ରିକ୍ସ’ ଶିଖର ସମ୍ମିଳନୀରେ ସାମିଲ ହେବା ପାଇଁ ଭାରତ ସରକାର ବାଂଲାଦେଶର ନବନିର୍ବାଚିତ ପ୍ରଧାନମନ୍ତ୍ରୀ ତାରିକ ରହମାନଙ୍କୁ ଆନୁଷ୍ଠାନିକ ଭାବେ ନିମନ୍ତ୍ରଣ କରିଛନ୍ତି। ତେବେ ତାଙ୍କର ଏହି ଦିଲ୍ଲୀ ଗସ୍ତକୁ ନେଇ ଏବେ ସସ୍‌ପେନ୍ସ ଜାରି ରହିଛି।

ସୂଚନା ଅନୁଯାୟୀ, ବିମ୍‌ଷ୍ଟେକ୍ ଗୋଷ୍ଠୀର ସାମ୍ପ୍ରତିକ ଅଧ୍ୟକ୍ଷ ଭାବରେ ତାରିକ ରହମାନଙ୍କୁ ଭାରତ ପକ୍ଷରୁ ଏହି ସ୍ୱତନ୍ତ୍ର ଆମନ୍ତ୍ରଣ ପଠାଯାଇଛି। କିନ୍ତୁ ବାଂଲାଦେଶ ପକ୍ଷରୁ ଏହି ଗସ୍ତ ଉପରେ ଏପର୍ଯ୍ୟନ୍ତ କୌଣସି ଚୂଡ଼ାନ୍ତ ନିଷ୍ପତ୍ତି ନିଆଯାଇ ନାହିଁ। ବାଂଲାଦେଶର କିଛି ବରିଷ୍ଠ କୂଟନୀତିଜ୍ଞ ସୂଚାଇ ଦେଇଛନ୍ତି ଯେ, ବର୍ତ୍ତମାନ ପରିସ୍ଥିତିରେ ପ୍ରଧାନମନ୍ତ୍ରୀଙ୍କ ଭାରତ ଗସ୍ତ ପାଇଁ “ସମୟ ଅନୁକୂଳ ନୁହେଁ”।

ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନା ବର୍ତ୍ତମାନ ଭାରତରେ ଆଶ୍ରୟ ନେଇଛନ୍ତି, ଯାହାକୁ ନେଇ ବାଂଲାଦେଶର ନୂଆ ସରକାର ସମ୍ପୂର୍ଣ୍ଣ ସନ୍ତୁଷ୍ଟ ନାହାନ୍ତି ଏବଂ ତାଙ୍କ ପ୍ରତ୍ୟର୍ପଣ ଦାବି କରୁଛନ୍ତି । ଏହା ସହିତ ସୀମାରେ ଭାରତର ବିଏସ୍‌ଏଫ୍ ଓ ବାଂଲାଦେଶୀ ସୀମା ସୁରକ୍ଷା ବଳ ମଧ୍ୟରେ ଲାଗି ରହିଥିବା ଉତ୍ତେଜନା ମଧ୍ୟ ଦୁଇ ଦେଶର ସମ୍ପର୍କକୁ ପ୍ରଭାବିତ କରିଛି। ଢାକାର କହିବା କଥା ହେଉଛି, ଯେପର୍ଯ୍ୟନ୍ତ କିଛି ବିଶେଷ ପ୍ରସଙ୍ଗରେ ଉଭୟ ଦେଶ ମଧ୍ୟରେ ଉପଯୁକ୍ତ ସହମତି ନ ହୋଇଛି, ସେପର୍ଯ୍ୟନ୍ତ କୌଣସି ଉଚ୍ଚସ୍ତରୀୟ ଗସ୍ତର ସମ୍ଭାବନା କମ୍ ।

ଅନ୍ୟପକ୍ଷରେ, ଅନ୍ତର୍ଜାତୀୟ ବ୍ୟାପାର ବିଶେଷଜ୍ଞଙ୍କ ମତରେ ଯଦି ତାରିକ ରହମାନ ବ୍ରିକ୍ସ ସମ୍ମିଳନୀରେ ଯୋଗ ନ ଦିଅନ୍ତି, ତେବେ ବାଂଲାଦେଶ ପାଇଁ ଏହା ଏକ ବଡ଼ କ୍ଷତି ହେବ। ବିଶ୍ୱସ୍ତରରେ ନିଜ ସରକାରଙ୍କ ଭାବମୂର୍ତ୍ତି ଗଢ଼ିବା, ଦେଶର ଅର୍ଥନୀତି ପାଇଁ ନୂଆ ପୁଞ୍ଜିନିବେଶ ଆକୃଷ୍ଟ କରିବା ତଥା ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ସିଧାସଳଖ ଆଲୋଚନା କରିବାର ଏକ ସୁବର୍ଣ୍ଣ ସୁଯୋଗ ଢାକା ହାତଛଡ଼ା କରିବ। ଏଭଳି ସ୍ଥିତିରେ ବାଂଲାଦେଶ ଯେପରି ଭାବେ ଚୀନ୍ ଏବଂ ପାକିସ୍ତାନ ସହ ସମ୍ପର୍କ ବଢ଼ାଉଛି, ଭାରତ ସହ ଏହି କୂଟନୈତିକ ଦୂରତା ଦକ୍ଷିଣ ଏସିଆ ରାଜନୀତିରେ ଏକ ନୂଆ ରାଜନୈତିକ ସମୀକରଣ ସୃଷ୍ଟି କରିପାରେ।

Comments are closed.