Latest Odisha News

୨୫ ବର୍ଷ ପରେ ପ୍ରତିଶୋଧ ନେବା ପାଇଁ ଭାରତ ନିକଟରେ ସୁଯୋଗ

ଦୁବାଇ: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଆଇସିସି ଚାମ୍ପିୟନ୍ସ ଟ୍ରଫି ଫାଇନାଲ ମ୍ୟାଚ ମାର୍ଚ୍ଚ ୯ରେ ଖେଳାଯିବ । ଉଭୟ ଦଳ ଗ୍ରୁପ ପର୍ଯ୍ୟାୟ ଏବଂ ସେମିଫାଇନାଲରେ ଭଲ ପ୍ରଦର୍ଶନ କରି ଟାଇଟଲ ମୁକାବିଲାରେ ଅବତୀର୍ଣ୍ଣ ହୋଇଛନ୍ତି । ୨୫ ବର୍ଷ ପରେ ଏହି ଦୁଇ ଟିମ ଆଇସିସିର ସୀମିତ ଓଭର ମୁକାବିଲାର ଫାଇନାଲରେ ପୂନର୍ବାର ସାମ୍ନାସାମ୍ନି ହୋଇଛନ୍ତି । ଦୀର୍ଘ ଦିନ ପରେ ଟିମ ଇଣ୍ଡିଆ ନିକଟରେ ମଧୂର ପ୍ରତିଶୋଧ ନେବା ସୁଯୋଗ ରହିଛି । ରୋହିତ ଶର୍ମା ନେତୃତ୍ୱାଧୀନ ଟିମ ଏହି ସୁଯୋଗ କେବେ ହେଲେ ହାତଛଡା କରିବାକୁ ଚାହିଁବେ ନାହିଁ । ଚଳିତ ଚାମ୍ପିୟନ୍ସ ଟ୍ରଫି ଗ୍ରୁପ ପର୍ଯ୍ୟାୟରେ ନ୍ୟୁଜିଲାଣ୍ଡକୁ ଭାରତ ପରାସ୍ତ କରିଥିବାରୁ ଦଳର ମନୋବଳ ଉଚ୍ଚରେ ରହିଛି ।

୨୦୦୦ ଆଇସିସି ନକଆଉଟ ଟ୍ରଫିରେ ଭାରତକୁ ୪ ୱିକେଟରେ ହରାଇ ନ୍ୟୁଜିଲାଣ୍ଡ ଟାଇଟଲ ହାସଲ କରିଥିଲା । ସୌରଭ ଗାଙ୍ଗୁଲି ନେତୃତ୍ୱାଧୀନ ଭାରତ ୫୦ ଓଭରରେ ୬ ୱିକେଟ ବିନିମୟରେ ୨୬୪ ରନ କରିଥିଲା । ଗାଙ୍ଗୁଲି ୧୧୭ ଓ ସଚିନ ତେନ୍ଦୁଲକର ୬୯ ରନ କରିଥିଲେ । ନ୍ୟୁଜିଲାଣ୍ଡ ଏହି ଲକ୍ଷ୍ୟ ସହଜରେ ହାସଲ କରି ନେଇଥିଲା । କ୍ରିସ କ୍ରେନସ ୧୧୩ ବଲରେ ୧୦୨ ରନ କରି ଦଳକୁ ବିଜୟୀ କରାଇଥିଲେ ।

ଏହା ପରଠାରୁ ନ୍ୟୁଜିଲାଣ୍ଡ ଧଳା ବଲରେ ଆଉ କୌଣସି ଟୁର୍ଣ୍ଣାମେଂଟ ଜିତିପାରି ନାହିଁ । ୨୦୧୫ ଓ ୨୦୧୯ ଦିନିକିଆ ବିଶ୍ୱକପ ଫାଇନାଲରେ ଦଳ ପ୍ରବେଶ କରିଥିଲେ ମଧ୍ୟ ଚାମ୍ପିୟନ ହୋଇପାରି ନ ଥିଲା । ଅପରାଜେୟ ଭାରତ ଜବରଦସ୍ତ ଫର୍ମରେ ଥିବା ବେଳେ ନ୍ୟୁଜିଲାଣ୍ଡ ଫାଇନାଲରେ କଡା ଟକ୍କର ଦେବ ବୋଲି ଅନୁମାନ କରାଯାଉଛି । ଦୁବାଇ ପିଚ ଧୀମା ରହୁଥିବାରୁ ଏଠାରେ ପ୍ରଥମେ ବ୍ୟାଟିଂ କରିଥିବା ଦଳ କିଛିମାତ୍ରାରେ ଫାଇଦାରେ ରହିବ ବୋଲି ଆଶା କରାଯାଉଛି ।

Comments are closed.