ନୂଆଦିଲ୍ଲୀ: ଏସିଆନ ଗେମ୍ସରେ ଭାରତୀୟ ପୁରୁଷ କ୍ରିକେଟ ଟିମ ଜାପାନକୁ ସଂଘର୍ଷପୂର୍ଣ୍ଣ ମ୍ୟାଚରେ ହରାଇ ଦେଇଛି । ଏହା ଭାରତ ଓ ଜାପାନ ମଧ୍ୟରେ ପ୍ରଥମ ଆନ୍ତର୍ଜାତୀୟ କ୍ରିକେଟ ମ୍ୟାଚ ଥିଲା । ଏହା ପରେ ଆଇସିସି ପକ୍ଷରୁ ଜାରୀ କରାଯାଇଥିବା ଟି୨୦ ର୍ୟାଙ୍କିଙ୍ଗରେ ଭାରତ ପୂନର୍ବାର ଶୀର୍ଷ ସ୍ଥାନକୁ ଫେରିଛି । ଭାରତଠାରୁ ୧ ନମ୍ବର ସ୍ଥାନ ଛଡେଇ ନେଇଥିବା ଇଂଲଣ୍ଡ ଏବେ ଦ୍ୱିତୀୟ ସ୍ଥାନକୁ ଖସି ଆସିଛି । ଉଭୟ ଟିମର ର୍ୟାଙ୍କିଙ୍ଗ ପଂଏଟ ୨୬୯ ରହିଥିଲା । ଦଶମିକ ହିସାବରେ ଭାରତ ଆଗରେ ରହି ଶୀର୍ଷ ସ୍ଥାନ ହାସଲ କରିଛି । ନିକଟରେ ଶ୍ରୀଲଙ୍କା ବିପକ୍ଷ ଟି୨୦ ସିରିଜରେ ଇଂଲଣ୍ଡ ଚମତ୍କାର ପ୍ରଦର୍ଶନ କରି ଭାରତକୁ ଏକ ନମ୍ବର ସ୍ଥାନରୁ ହଟେଇ ଦେଇଥିଲା ।
ଅଷ୍ଟ୍ରେଲିଆ ୨୬୦ ପଂଏଟ ସହ ତୃତୀୟ ସ୍ଥାନରେ ରହିଛି । ନ୍ୟୁଜିଲାଣ୍ଡ (୨୪୭) ଓ ଦକ୍ଷିଣ ଆଫ୍ରିକା(୨୪୩) ଚତୁର୍ଥ ଏବଂ ପଂଚମ ସ୍ଥାନରେ ରହିଛନ୍ତି । ୨୪୦ ପଂଏଟ ସହ ପାକିସ୍ତାନ ଷଷ୍ଠ ଏବଂ ୱେଷ୍ଟଇଣ୍ଡିଜ, ବାଂଲାଦେଶ, ଶ୍ରୀଲଙ୍କା ଓ ଆଫଗାନିସ୍ତାନ ୭ମରୁ ୧୦ମ ସ୍ଥାନ ମଧ୍ୟରେ ରହିଛି । ଆୟର୍ଲାଣ୍ଡ ଓ ଜିମ୍ବାୱେ ୧୧ ଓ ୧୨ତମ ସ୍ଥାନ ହାସଲ କରିଛନ୍ତି । ଜାପାନ ଆନ୍ତର୍ଜାତୀୟ ଟି୨୦ ର୍ୟାଙ୍କିଙ୍ଗରେ ୪୧ତମ ସ୍ଥାନରେ ରହିଛି । ବେସବଲକୁ ପସନ୍ଦ କରୁଥିବା ଏହି ଦେଶର ଯୁବ ପିଢ଼ୀ ଏବେ ବି କ୍ରିକେଟକୁ ସମ୍ପୂର୍ଣ୍ଣ ଭାବେ ଆପଣାଇ ପାରି ନାହାନ୍ତି ।

