ଇନ୍ଦୋର: ଆଗାମୀ ଦୁଇ ବର୍ଷ ଭିତରେ ଭାରତୀୟ ମେଟ୍ରୋ ରେଳ ନେଟୱାର୍କ ଆମେରିକାକୁ ପଛରେ ପକାଇ ଏକ ନୂଆ ଇତିହାସ ରଚିବାକୁ ଯାଉଛି । ଦ୍ରୁତ ସହରୀକରଣ ଯୋଗୁଁ ବିଭିନ୍ନ ସହରକୁ ମେଟ୍ରୋ ସଂଯୋଗ ପ୍ରକ୍ରିୟା ଜାରି ରହିଥିବା ବେଳେ, ବର୍ତ୍ତମାନ ଭାରତ ବିଶ୍ୱର ତୃତୀୟ ବୃହତ୍ତମ ମେଟ୍ରୋ ନେଟୱାର୍କରେ ପରିଣତ ହୋଇଛି । ଶନିବାର ମଧ୍ୟପ୍ରଦେଶର ଇନ୍ଦୋରଠାରେ ମେଟ୍ରୋ ରେଳର ସମ୍ପ୍ରସାରିତ ମାର୍ଗକୁ ଉଦଘାଟନ କରିବା ଅବସରରେ କେନ୍ଦ୍ର ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ମନୋହର ଲାଲ୍ ଏହି ବଡ଼ ସୂଚନା ଦେଇଛନ୍ତି ।
କେନ୍ଦ୍ରମନ୍ତ୍ରୀ ମନୋହର ଲାଲଙ୍କ ସୂଚନା ଅନୁଯାୟୀ, ବର୍ତ୍ତମାନ ବିଶ୍ୱରେ ଚୀନ୍ ପ୍ରାୟ ୮,୦୦୦ କିଲୋମିଟର ଲମ୍ବ ମେଟ୍ରୋ ନେଟୱାର୍କ ସହ ପ୍ରଥମ ସ୍ଥାନରେ ରହିଛି । ସେହିପରି ୧,୩୮୬ କିଲୋମିଟର ମେଟ୍ରୋ ଲାଇନ୍ ସହ ଆମେରିକା ଦ୍ୱିତୀୟ ସ୍ଥାନରେ ଥିବା ବେଳେ ଭାରତ ମାତ୍ର କିଛି ପାଦ ପଛରେ ରହିଛି । ଭାରତରେ ଏବେ ୨୬ଟି ସହରରେ ମୋଟ ୧,୧୭୦ କିଲୋମିଟର ଲମ୍ବର ମେଟ୍ରୋ ରେଳ ଚଳାଚଳ କରୁଛି। ଅର୍ଥାତ୍ ଆମେରିକାକୁ ଟପିବା ପାଇଁ ଭାରତକୁ ଆଉ ମାତ୍ର ୨୧୬ କିଲୋମିଟରର ନେଟୱାର୍କ ଆବଶ୍ୟକ । ଆଗାମୀ ଦୁଇ ବର୍ଷ ମଧ୍ୟରେ ଦେଶର ବିଭିନ୍ନ ନିର୍ମାଣାଧୀନ ପ୍ରକଳ୍ପ ସମ୍ପୂର୍ଣ୍ଣ ହେଲେ ଭାରତ ନିଶ୍ଚିତ ରୂପେ ବିଶ୍ୱର ଦ୍ୱିତୀୟ ସର୍ବବୃହତ୍ ମେଟ୍ରୋ ନେଟୱାର୍କର ମାନ୍ୟତା ହାସଲ କରିବ ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ।
୨୦୧୪ ମସିହା ପୂର୍ବରୁ ଦେଶର ମାତ୍ର ୫ଟି ସହରରେ ୨୪୫ କିଲୋମିଟରର ମେଟ୍ରୋ ସେବା ଉପଲବ୍ଧ ଥିଲା । କିନ୍ତୁ ବିଗତ ଦଶନ୍ଧିରେ ଏହା ବହୁଗୁଣିତ ହୋଇଛି ଏବଂ ସହରାଞ୍ଚଳ ଯୋଗାଯୋଗ କ୍ଷେତ୍ରରେ ଏକ ବିରାଟ ପରିବର୍ତ୍ତନ ଆସିପାରିଛି । କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ କ୍ରମାଗତ ବଢ଼ୁଥିବା ସହରୀକରଣ ଏବଂ ଲୋକଙ୍କ ଯାତାୟାତ ସମସ୍ୟାକୁ ଦୂର କରିବା ପାଇଁ ଏବେ ମେଟ୍ରୋ ନେଟୱାର୍କ ଅପରିହାର୍ଯ୍ୟ ହୋଇପଡ଼ିଛି। ଯାହାକି ‘ବିକଶିତ ଭାରତ-୨୦୪୭’ର ଲକ୍ଷ୍ୟ ପୂରଣ ଦିଗରେ ଏକ ପ୍ରମୁଖ ପଦକ୍ଷେପ ।
ଅନ୍ୟପକ୍ଷରେ, ଇନ୍ଦୋରରେ ଉଦଘାଟିତ ନୂତନ ମେଟ୍ରୋ ପ୍ରକଳ୍ପ ପାଇଁ ୨,୮୫୦ କୋଟି ଟଙ୍କା ବ୍ୟୟ କରାଯାଇଛି । ଗାନ୍ଧୀ ନଗରରୁ ସୁପର କରିଡର୍-୩ ପର୍ଯ୍ୟନ୍ତ ଥିବା ୬ କିମି ରାସ୍ତାକୁ ଏବେ ବୃଦ୍ଧି କରାଯାଇ ମାଲବୀୟ ନଗର ଛକ ପର୍ଯ୍ୟନ୍ତ ୧୭ କିମି କରାଯାଇଛି । ମୋଟ ୧୬ଟି ଷ୍ଟେସନ୍ ଦେଇ ଯାଉଥିବା ଏହି ରୁଟ୍ ଇନ୍ଦୋରର ପ୍ରମୁଖ ବ୍ୟବସାୟିକ ଏବଂ ଆବାସିକ ଅଞ୍ଚଳକୁ ସଂଯୋଗ କରିବ। ଏହି ମେଟ୍ରୋ ଟ୍ରେନ୍ ପ୍ରତିଦିନ ସକାଳ ୯ଟାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଯାତ୍ରୀମାନଙ୍କୁ ସେବା ଯୋଗାଇବ। ଷ୍ଟେସନରେ ପ୍ରତି ୧୫ ମିନିଟ୍ ବ୍ୟବଧାନରେ ଟ୍ରେନ୍ ଉପଲବ୍ଧ ହେବ ଏବଂ ଦୈନିକ ୮୦ରୁ ଊର୍ଦ୍ଧ୍ୱ ଟ୍ରିପ୍ ଚଳାଚଳ କରିବାର ବ୍ୟବସ୍ଥା ହୋଇଛି ।
ଉଦଘାଟନୀ ଉତ୍ସବରେ ଉପସ୍ଥିତ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ମୋହନ ଯାଦବ ଘୋଷଣା କରିଛନ୍ତି ଯେ ଆଗାମୀ ଦିନରେ ଏହି ମେଟ୍ରୋ ଲାଇନ୍କୁ ଉଜ୍ଜୟିନୀ ସମେତ ଅନ୍ୟ ପାଖ ଅଞ୍ଚଳକୁ ସମ୍ପ୍ରସାରଣ କରାଯିବ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଯାଦବ ୧୮,୫୦୦ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବାକୁ ଥିବା ଇନ୍ଦୋର-ମନମାଡ଼ ରେଳପଥ ପ୍ରକଳ୍ପର ପ୍ରଶଂସା ମଧ୍ୟ କରିଥିଲେ । କେନ୍ଦ୍ର ସରକାରଙ୍କ ଦ୍ୱାରା ଅନୁମୋଦିତ ଏହି ବୃହତ୍ ପ୍ରକଳ୍ପ ମଧ୍ୟପ୍ରଦେଶ, ମହାରାଷ୍ଟ୍ର ଏବଂ ଗୁଜରାଟ ମଧ୍ୟରେ ରେଳ ଯୋଗାଯୋଗକୁ ସୁଦୃଢ଼ କରିବ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି ।

