Latest Odisha News

BREAKING NEWS

ଶେଷ ବଲରେ ରୋମାଞ୍ଚକର ଫାଇନାଲ୍ ଜିତି ଭାରତର ଏସିଆ କପ ହାସଲ

ଦୁବାଇ: ଭାରତ ସପ୍ତମଥର ଲାଗି ଏସିଆ କପ ଚମ୍ପିଆନ ହେବାର ଗୌରବ ହାସଲ କରିଛି । ଭରପୁର ଦର୍ଶକଙ୍କ ଉପସ୍ଥିତିରେ ଦୁବାଇରେ ଅନୁଷ୍ଠିତ ଏସିଆ କପ୍ ଫାଇନାଲ ମ୍ୟାଚରେ ଶକ୍ତିଶାଳୀ ଭାରତ ଘାଇଲା ବାଘ ବାଂଲାଦେଶ ଦଳକୁ ୩ ୱିକେଟରେ ପରାସ୍ତ କରି ପାରିଛି ।

ଅନ୍ତିମ ଓଭରରେ ଜିତିବା ଲାଗି ଭାରତକୁ ୬ ରନର ଆବଶ୍ୟକ ଥିଲା । କ୍ରିଜରେ ଥିଲେ ଅଲରାଉଣ୍ଡର କେଦାର ଯାଦବ ଏବଂ କୁଲଦୀପ ଯାଦବ । ଶେଷ ବଲରେ ୧ ରନ କରି କେଦାର ଭାରତକୁ ବିଜୟର ସ୍ୱାଦ ଚଖାଇଥିଲେ । ଭାରତ ମ୍ୟାଚ ଜିତି ହାସଲ କରିପାରିଥିଲା ସମ୍ମାନଜନକ ଏସିଆ କପ ।

ଭାରତ ଟସ ଜିତି ପ୍ରଥମେ ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଥିଲା । ବାଂଲା ବ୍ୟାଟ୍ସମ୍ୟାନ ମୂଳରୁ ହିଁ ଚମତ୍କାର ବ୍ୟାଟିଂ ପ୍ରଦର୍ଶନ କରିଥିଲେ । ଦଳୀୟ ସ୍କୋର ୧୨୦ ହୋଇଥିବା ବେଳେ ହିଁ ୧ମ ୱିକେଟର ପତନ ହୋଇଥିଲା । ଲାଗୁଥିଲା ବାଂଲାଦେଶ ଏକ ବଡ଼ ସ୍କୋର କରିବ ମାତ୍ର ଓପନର ଲିଟନ ଦାସଙ୍କ ୧୨୧ ରନ ବ୍ୟତୀତ ଅନ୍ୟ କେହି ଭାରତୀୟ ବୋଲରଙ୍କ ସାମ୍ନାରେ ବେଶି ସମୟ ତିଷ୍ଠି ପାରିନଥଲେ । ଭାରତ ପକ୍ଷରୁ କୁଲଦୀପ ଯାଦବ ୩ଟି, କେଦାର ଯାଦବ, ବୁମରା ଏବଂ ଚହଲ ଗୋଟିଏ କରି ୱିକେଟ ହାସଲ କରିଥିଲେ । ବାଂଲାଦେଶ ୪୮.୩ ଓଭରରେ ସମସ୍ତ ୱିକେଟ ହରାଇ ୨୨୨ ରନ କରିଥିଲା ।

ବିଜୟ ଲାଗି ୨୨୩ ରନର ପିଛାକରି ଭାରତ ସହଳ ଧାୱନଙ୍କ ୱିକେଟ ହରାଇଥିଲା । ଏକ କପ୍ତାନୀ ଇନିଂସ ଖେଳି ରୋହିତ ଶର୍ମା ୩ଟି ବିଶାଳ ଛକା ସହିତ ୪୮ ରନ କରିଥିଲେ । ଦିନେଶ କାର୍ତ୍ତିକ ୩୭ ଏବଂ ମହେନ୍ଦ୍ର ସିଂ ଧୋନୀ ୩୬ ରନ କରିପାରିଥିଲେ । ୧୬୦ ରନରେ ଭାରତର ୫ଟି ୱିକେଟ ପଡ଼ିଯିବା ପରେ ଭାରତୀୟ ବ୍ୟାଟିଂ ଏକ ଚାପମଧ୍ୟରେ ଗତି କରୁଥିବାର ଲକ୍ଷ୍ୟ କରାଯାଇଥିଲା । ମାତ୍ର ସମସ୍ତ ବୋଲର ମାନେ ଦାୟିତ୍ୱପୂର୍ଣ୍ଣ ଭାବେ ବ୍ୟାଟିଂ କରି ଭାରତକୁ ପରାଜୟ ମୁହଁରୁ ମୁକୁଳାଇଥିଲେ । ଅଲରାଉଣ୍ଡର ରବିନ୍ଦ୍ର ଜାଡ଼େଜା ୨୩ ରନ ଏବଂ ଭୁବନେଶ୍ୱର କୁମାର ଉପଯୋଗୀ ୨୧ ରନର ପାଳି ଖେଳିଥିଲେ ।

କୁଲଦୀପ ଯାଦବ ୫ ରନ ଖେଳି ଭାରତୀୟ ବିଜୟର ଅନ୍ୟତମ କର୍ଣ୍ଣଧାର ସାଜିଥିବା ବେଳେ ୨୩ ରନ କରିଥିବା କେଦାର ଯାଦବ ଟୁର୍ଣ୍ଣାମେଣ୍ଟର ଅନ୍ତିମ ବଲରେ ୧ରନ କରି ଭାରତୀୟ ଦଳକୁ ଏସିଆ କପ ଜିତାଇଥିଲେ ।

ଶତକୀୟ ଇନିଂସ ଖେଳିଥିବା ବାଂଲା ଓପନର ଲିଟନ ଦାସ ପ୍ଲେୟାର ଅପ ମ୍ୟାଚ ହୋଇଥିବା ବେଳେ ସାରା ଟୁର୍ଣ୍ଣାମେଣ୍ଟରେ ସର୍ବାଧିକ ରନ ହାସଲ କରିଥିବା ଭାରତୀୟ ଷ୍ଟାଇଲିଷ୍ଟ ଓପନର ଶିଖର ଧାୱନଙ୍କୁ ‘ମ୍ୟାନ ଅପ ଦି ସିିରିଜ’ ଭାବେ ଘୋଷିତ କରାଯାଇଥିଲା ।

Leave A Reply

Your email address will not be published.