Latest Odisha News

BREAKING NEWS

ବଦଳିଲା ସେନାବାହିନୀ ଯୋଗ୍ୟତା ପରୀକ୍ଷା ଢାଞ୍ଚା ; ପ୍ରଥମେ ହେବ ଲିଖିତ ପରୀକ୍ଷା

ଭୁବନେଶ୍ୱର: ସେନାବାହିନୀ ଯୋଗ୍ୟତା ପରୀକ୍ଷା ଢାଞ୍ଚାରେ ହୋଇଛି ପରିବର୍ତ୍ତନ ।  ସେନାରେ ସାମିଲ ହେବାକୁ ଇଚ୍ଛା କରୁଥିବା ପ୍ରାର୍ଥୀ ପ୍ରଥମେ ଲିଖିତ ପରୀକ୍ଷା ଦେବେ । ଲିଖିତ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପରେ ପ୍ରାର୍ଥୀ ଶାରୀରିକ ପରୀକ୍ଷା ପାଇଁ ଯୋଗ୍ୟ ବିବେଚିତ ହେବେ । ଶେଷରେ ହେବ ଡାକ୍ତରୀ ପରୀକ୍ଷା । ସେନା ନିଯୁକ୍ତିରେ ହୋଇଥିବା   ପରିବର୍ତ୍ତନ ସମ୍ପର୍କରେ ସବିଶେଷ ତଥ୍ୟ joinindiaarmy.nic.in ୱେବସାଇଟରେ ଉପଲବ୍ଧ ହେବ  ।

କଟକସ୍ଥିତ ଆର୍ମି ରିକ୍ୟୁଟମେଣ୍ଟ ଅଫିସ ନିର୍ଦ୍ଦେଶକ କର୍ଣ୍ଣେଲ ହରବିନ୍ଦର ସିଂ କହିଛନ୍ତି, ପ୍ରାର୍ଥୀମାନେ ଅନଲାଇନରେ ପଞ୍ଜୀକରଣ କରିବେ । ବୈଧ ଆବେଦନପତ୍ରକୁ ବିଚାରକୁ ନିଆଯିବ । ପ୍ରାର୍ଥୀ ପ୍ରଥରେ କମ୍ପ୍ୟୁଟରରେ ଲିଖିତ ପରୀକ୍ଷା ଦେବେ । ତିନୋଟି ପର୍ଯ୍ୟାୟ ପରୀକ୍ଷା ପରେ ପ୍ରାର୍ଥୀଙ୍କ  ଚୂଡ଼ାନ୍ତ ତାଲିକା ପ୍ରକାଶ ପାଇବ ।

ଏଠି କହିରଖିବୁ, ପୂର୍ବରୁ ଏହି ପରୀକ୍ଷା ପାଇଁ ପ୍ରଥମେ ରାଲି ମାଧ୍ୟମରେ ଶାରୀରିକ ପରୀକ୍ଷା କରାଯାଉଥିଲା । ଏଥିରୁ ଉତ୍ତୀର୍ଣ୍ଣ ହେବା ପରେ ପ୍ରାର୍ଥୀ ଲିଖିତ ପରୀକ୍ଷା ଦେଉଥିଲେ । ଏହି ନୂତନ ପରୀକ୍ଷା ପଦ୍ଧତି ନେଇ ସବୁ ଜିଲ୍ଲାରେ ସଚେତନତା ସୃଷ୍ଟି କରାଯାଉଛି । ଆର୍ମି ରିକ୍ୟୁଟିମେଣ୍ଟ କାର୍ଯ୍ୟାଳୟ ପକ୍ଷରୁ ୧୩୬ଟି ବିଦ୍ୟାଳୟ, ୪୮ଟି ମହାବିଦ୍ୟାଳୟ, ୪୪ଟି ଆଇଟିଆଇ ଶିକ୍ଷାନୁଷ୍ଠାନରେ ଭିଡିଓ ବାର୍ତ୍ତା, ପ୍ରଚାରପତ୍ର ଜରିଆରେ ସଚେତନ କରାଯାଉଛି ।

ସୂଚନାଥାଉ କି, ଦେଶରେ ଏପ୍ରିଲ ୧୭ ତାରିଖରୁ ଚଳିତବର୍ଷ ପାଇଁ ସେନା ନିଯୁକ୍ତି ପରୀକ୍ଷା ଆରମ୍ଭ ହୋଇଛି । ଏହା ଆସନ୍ତା ୨୬ ତାରିଖ ପର୍ଯ୍ୟନ୍ତ ଚାଲିବ । ଦେଶର ୧୭୬ଟି ସ୍ଥାନର ୩୭୫ଟି କେନ୍ଦ୍ରରେ  ଏଥିପାଇଁ ଲିଖିତ ପରୀକ୍ଷା ହେଉଛି । ଓଡ଼ିଶାରେ ମଧ୍ୟ ଭୁବନେଶ୍ୱର, ବାଲେଶ୍ୱର, ଢେଙ୍କାନାଳ, ରାଉରକେଲା, ସମ୍ବଲପୁର, ବ୍ରହ୍ମପୁର ସମେତ ୮ଟି କେନ୍ଦ୍ରରେ ପରୀକ୍ଷା କରାଯାଉଛି ।

Leave A Reply

Your email address will not be published.