Latest Odisha News

BREAKING NEWS

ପୁଞ୍ଚରେ ଏନ୍ଆଇଏ ଟିମର ଛାନଭିନ୍, ଘଞ୍ଚ ଜଙ୍ଗଲରେ ଆତଙ୍କବାଦୀଙ୍କୁ ଖୋଜୁଛି ଡ୍ରୋନ୍

ଶ୍ରୀନଗର: ପୁଞ୍ଚରେ କେମିତି ହେଲା ଏତେ ବଡ଼ ଆକ୍ରମଣ ? ସେନା ଟ୍ରକକୁ କେମିତି ଟାର୍ଗେଟ୍ କଲେ ଆତଙ୍କବାଦୀ ? ଗୁରୁବାର ଏଲଓସିରୁ ମାତ୍ର ୭ କିଲୋମିଟର ଦୂରରେ ଆତଙ୍କବାଦୀ ସେନା ଗାଡ଼ି ଉପରେ ଗ୍ରେନେଡ୍ ମାଡ଼ କରିଥିଲେ । ଯେଉଁଥିରେ ୫ ଜଣ ଯବାନ ସହିଦ ହୋଇଥିବା ବେଳେ ଘଟଣାସ୍ଥଳରେ ଏନ୍ଆଇଏ ସହ ଏସଓଜି ତଦନ୍ତ ଆରମ୍ଭ କରିଛନ୍ତି ।

ପୁଞ୍ଚରୁ ପ୍ରାୟ ୯୦ କିଲୋମିଟର ଦୂର ଭିମବେରରେ ସେନା ଗାଡ଼ି ଉପରେ ଆକ୍ରମଣ ହୋଇଥିବା ବେଳେ ଅଞ୍ଚଳ ଘନ ଜଙ୍ଗଲରେ ପରିପୂର୍ଣ୍ଣ । ଏହି ଜଙ୍ଗଲରେ ପାକିସ୍ତାନ ସମର୍ଥିତ ଆତଙ୍କବାଦୀଙ୍କ ଉପସ୍ଥିତି ଥିବା ଗୁଇନ୍ଦା ସୂଚନା ଦେଇଥିବା କୁହାଯାଉଛି ।

ଆତଙ୍କବାଦୀ ଆକ୍ରମଣ ପରେ ସମ୍ପୂର୍ଣ୍ଣ ଅଞ୍ଚଳକୁ ସୁରକ୍ଷାକର୍ମୀ କର୍ଡନ କରି ନେବା ସହ ଡ୍ରୋନ୍, ସ୍ନିଫର ଡଗ୍ ସାହାଯ୍ୟରେ ସର୍ଚ୍ଚ ଅପରେସନ୍ ଚାଲିଛି । ଏନ୍ଆଇଏ ସହ ୮ ଜଣିଆ ଫରେନ୍ସିକ ଟିମ୍ ମଧ୍ୟ ଘଟଣାସ୍ଥଳରେ ଛାନଭିନ୍ ଆରମ୍ଭ କରିଛି ।

ଗୁରୁବାର ଅପରାହ୍ଣରେ ସେନାର ୩ଟି ଗାଡ଼ି ଯବାନଙ୍କୁ ନେଇ ରାଜୌରୀ-ପୁଞ୍ଚ ଜାତୀୟ ରାଜପଥରେ ଭୀମବେରରୁ ପୁଞ୍ଚ ଆଡ଼କୁ ଯାଉଥିଲା । ସେହି ସମୟରେ ପ୍ରବଳ ବର୍ଷା ଓ ଦୃଶ୍ୟମାନ କ୍ଷମତା କମ୍ ରହିଥିଲା । ଯାହାର ଫାଇଦା ନେଇଥିଲେ ଆତଙ୍କବାଦୀ । ସେନା ଗାଡ଼ି ଉପରକୁ ଗ୍ରେନେଡ୍ ମାଡ଼ କରିବା ସହ ୫୦ ରାଉଣ୍ଡ ଗୁଳି କରି ନିଆଁ ଲଗାଇ ଦେଇଥିଲେ ।

ଆତଙ୍କବାଦୀଙ୍କ ଆକ୍ରମଣରେ ରାଷ୍ଟ୍ରୀୟ ରାଇଫଲ୍ସ ୟୁନିଟର ୫ ଯବାନ ସହିଦ ହୋଇଥିବା ବେଳେ ୪ ଜଣ ପଞ୍ଜାବର ଓ ଅନ୍ୟ ଜଣେ ପୁରୀର ଦେବାଶିଷ ବିଶ୍ୱାଳ । ସହିଦ ଓଡ଼ିଆ ଯବାନ ଜଣଙ୍କ ଘର ପୁରୀ ଜିଲ୍ଲା ସାକ୍ଷୀଗୋପାଳର ଖଣ୍ଡାୟତ ସାହିରେ । ଦେବାଶିଷ ବିଶ୍ୱାଳ ସହିଦ ହୋଇଥିବା ଜଣାପଡ଼ିବା ପରେ ପୂରା ଗାଁ ସ୍ତବ୍ଧ ହୋଇଯାଇଛି । ଦେବାଶିଷ ୨୦୨୧ ମସିହା ଅକ୍ଷୟ ତୃତୀୟାରେ ସୁଶ୍ରୀ ସଙ୍ଗୀତାଙ୍କୁ ବିବାହ କରିଥିବା ବେଳେ ତାଙ୍କର ୭ ମାସର ଝିଅଟିଏ ରହିଛି ।

Leave A Reply

Your email address will not be published.