ଶତ୍ରୁର ସବ୍ମେରିନ୍ ହେବ ଧ୍ୱଂସ;ଜୁଲାଇ ୨୨ ରେ INS ମାଲଭାନ ନୌସେନାରେ ହେବ ସାମିଲ;ଏହି ଯୁଦ୍ଧପୋତର କ୍ଷମତା ସମ୍ପର୍କରେ ଜାଣନ୍ତୁ
ନୂଆଦିଲ୍ଲୀ:ଭାରତ କ୍ରମାଗତ ଭାବରେ ନିଜର ପ୍ରତିରକ୍ଷା କ୍ଷମତାକୁ ବୃଦ୍ଧି କରୁଛି। ଏହି ପରିପ୍ରେକ୍ଷୀରେ, ଭାରତୀୟ ନୌସେନା ନିଜର ନୂତନ ଯୁଦ୍ଧପୋତ ‘ଆଇଏନ୍ଏସ୍ ମାଲଭାନ୍’ (INS Malvan)ର ଅଫିସିଆଲ୍ ଚିହ୍ନ ବା ‘କ୍ରେଷ୍ଟ’ (crest) ଉନ୍ମୋଚନ କରିଛି। ଏହି ଚିହ୍ନରେ ‘ବାଘ ନଖ’ (tiger claws)କୁ ପ୍ରମୁଖ ସ୍ଥାନ ଦିଆଯାଇଛି, ଯାହା ସାହସ, ଫୁର୍ତ୍ତି ଏବଂ ଶତ୍ରୁ ଉପରେ ସଠିକ୍ ଭାବେ ଆକ୍ରମଣ କରିବାର କ୍ଷମତାକୁ ପ୍ରତିପାଦିତ କରେ। ଚିହ୍ନ ଚାରିପାଖରେ ଥିବା ସାମୁଦ୍ରିକ ଲହରୀଗୁଡ଼ିକ ଯୁଦ୍ଧପୋତର ନିରନ୍ତର ସତର୍କତା ବଜାୟ ରଖିବା ଏବଂ ଭାରତର ସାମୁଦ୍ରିକ ସୀମା ସୁରକ୍ଷା ପାଇଁ ନିରବ କିନ୍ତୁ ପ୍ରଭାବଶାଳୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର କ୍ଷମତାକୁ ସୂଚିତ କରେ।
‘ଆଇଏନ୍ଏସ୍ ମାଲଭାନ୍’ (INS Malvan) ଜୁଲାଇ ୨୨ ତାରିଖରେ ଭାରତୀୟ ନୌସେନା ବାହିନୀରେ ସାମିଲ ହେବ। ‘ମେକ୍ ଇନ୍ ଇଣ୍ଡିଆ’ (Make in India) ଅଭିଯାନ ଅଧୀନରେ କୋଚିନ୍ ସିପ୍ୟାର୍ଡ ଲିମିଟେଡ୍ (Cochin Shipyard Limited – CSL) ଦ୍ୱାରା ନିର୍ମିତ ‘ମାହେ-ଶ୍ରେଣୀ’ (Mahe-class)ର ଏହା ଦ୍ୱିତୀୟ ‘ଆଣ୍ଟି-ସବ୍ମେରାଇନ୍ ୱାରଫେୟାର୍ ସାଲୋ ୱାଟର୍ କ୍ରାଫ୍ଟ’ (ASW-SWC) ଅଟେ। ଉଲ୍ଲେଖନୀୟ ଯେ, ଏହି ଯୁଦ୍ଧପୋତରେ ବ୍ୟବହୃତ ଉପକରଣ ଓ ପ୍ରଯୁକ୍ତିବିଦ୍ୟାର ୮୦ ପ୍ରତିଶତରୁ ଅଧିକ ସ୍ୱଦେଶୀ ଅଟେ।
ଏହି ଜାହାଜଟି ଭାରତୀୟ ନୌସେନାର ୧୬ଟି ‘ଆଣ୍ଟି-ସବ୍ମେରାଇନ୍ ୱାରଫେୟାର୍ ସାଲୋ ୱାଟର୍ କ୍ରାଫ୍ଟ’ (ASW-SWC) ପ୍ରକଳ୍ପର ଏକ ଅଂଶ ଅଟେ। ଏହି ପ୍ରକଳ୍ପ ଅଧୀନରେ ମୋଟ ୧୬ଟି ଜାହାଜ ନିର୍ମାଣ କରାଯାଉଛି, ଯେଉଁଥିମଧ୍ୟରୁ କୋଚିନ୍ ସିପ୍ୟାର୍ଡ ଲିମିଟେଡ୍ (CSL) ଆଠଟି ଏବଂ କୋଲକାତାସ୍ଥିତ ଗାର୍ଡେନ୍ ରିଚ୍ ସିପ୍ବିଲ୍ଡର୍ସ ଆଣ୍ଡ ଇଞ୍ଜିନିୟର୍ସ (GRSE) ଅନ୍ୟ ଆଠଟି ଜାହାଜ ନିର୍ମାଣ କରୁଛନ୍ତି।
INS ମାଲଭାନର ଘାତକ କ୍ଷମତା
ଆଣ୍ଟି-ସବମେରାଇନ୍ ୱାରଫେୟାର୍ ସ୍ପେଶାଲିଷ୍ଟ (ASW-SWC): ଏହା ବିଶେଷ ଭାବରେ ଉପକୂଳବର୍ତ୍ତୀ ଅଗଭୀର ଜଳରାଶିରେ ଶତ୍ରୁପକ୍ଷର ସବମେରାଇନ୍କୁ ଚିହ୍ନଟ କରିବା ଏବଂ ଧ୍ୱଂସ କରିବା ପାଇଁ ପ୍ରସ୍ତୁତ କରାଯାଇଛି।
ଆଧୁନିକ ସୋନାର୍ ସିଷ୍ଟମ୍: ଏହା ଅତ୍ୟାଧୁନିକ ସୋନାର୍ ସାହାଯ୍ୟରେ ପାଣି ତଳେ ଲୁଚି ରହିଥିବା ସବ୍ମେରାଇନ୍କୁ ଶୀଘ୍ର ଚିହ୍ନଟ କରିପାରେ।
ହାଲୁକା ଟର୍ପିଡୋ ଏବଂ ASW ଅସ୍ତ୍ରଶସ୍ତ୍ର: ଶତ୍ରୁପକ୍ଷର ସବ୍ମେରାଇନ୍ ଉପରେ ସଠିକ୍ ଆକ୍ରମଣ କରିବା ପାଇଁ ଟର୍ପିଡୋ ଏବଂ ଅନ୍ୟାନ୍ୟ ସବ୍ମେରାଇନ୍-ବିରୋଧୀ ଅସ୍ତ୍ରଶସ୍ତ୍ରରେ ସଜ୍ଜିତ।
ଅଧିକ ଗତି ଏବଂ ଉଚ୍ଚ ଗତିଶୀଳତା: କମ୍ ଗଭୀରତା ବିଶିଷ୍ଟ ଜଳରାଶି ଓ ଉପକୂଳବର୍ତ୍ତୀ ଅଞ୍ଚଳରେ ଦ୍ରୁତ କାର୍ଯ୍ୟାନୁଷ୍ଠାନ ପାଇଁ ସକ୍ଷମ।
ସାମୁଦ୍ରିକ ମାଇନ୍ସ ବିଛାଇବାର କ୍ଷମତା: ଆବଶ୍ୟକ ସ୍ଥଳେ ସାମୁଦ୍ରିକ ମାଇନ୍ସ ବିଛାଇ ଶତ୍ରୁର କାର୍ଯ୍ୟକଳାପକୁ ବନ୍ଦ କରିପାରିବ।
ନିକଟ-ପରିସର ବାୟୁ ପ୍ରତିରକ୍ଷା: ସ୍ୱଳ୍ପ-ଦୂରତା ବିଶିଷ୍ଟ ଆକାଶମାର୍ଗୀ ବିପଦ ଓ ଡ୍ରୋନ୍ରୁ ରକ୍ଷା କରିବାରେ ସକ୍ଷମ।
୮୦%ରୁ ଅଧିକ ସ୍ୱଦେଶୀ ଜ୍ଞାନକୌଶଳ: ଜାହାଜର ଅଧିକାଂଶ ଯନ୍ତ୍ରପାତି ଓ ସିଷ୍ଟମ ଭାରତରେ ବିକଶିତ କରାଯାଇଛି, ଯାହା ଏହାର ରକ୍ଷଣାବେକ୍ଷଣ ଓ ପରିଚାଳନାକୁ ଅଧିକ ଫଳପ୍ରଦ କରିଥାଏ।
ସାମୁଦ୍ରିକ ସର୍ଭିଲାନ୍ସ: ଏହା ସାମୁଦ୍ରିକ ନଜରଦାରି, ଉପକୂଳବର୍ତ୍ତୀ ସୁରକ୍ଷା, ସୁରକ୍ଷା ପ୍ରଦାନକାରୀ ଅଭିଯାନ (ଏସ୍କର୍ଟ ମିଶନ୍) ଏବଂ ଖୋଜିବା ଓ ଉଦ୍ଧାର କାର୍ଯ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ।
ଆଇଏନଏସ ମାଲଭାନ ଭାରତୀୟ ନୌସେନାର ଉପକୂଳ ସୁରକ୍ଷାକୁ ସୁଦୃଢ଼ କରିବ, ବିଶେଷକରି ଯେଉଁ ଅଞ୍ଚଳରେ ବଡ଼ ଯୁଦ୍ଧଜାହାଜ ସହଜରେ ଚାଲିପାରେ ନାହିଁ। ଏହା ଶତ୍ରୁ ବୁଡ଼ାଜାହାଜକୁ ଗୁପ୍ତ ଭାବରେ ଚିହ୍ନଟ କରିବା ଏବଂ ସେମାନଙ୍କ ବିରୁଦ୍ଧରେ ଦ୍ରୁତ, ଘାତକ ଆକ୍ରମଣ କରିବାର କ୍ଷମତା ରଖେ।