Latest Odisha News

ଦେଶରେ ୨୦୦ଟି ରେଳ ଷ୍ଟେସନର ହେବ ନବୀକରଣ

ନୂଆଦିଲ୍ଲୀ: ଭାରତୀୟ ରେଳ ଷ୍ଟେସନଗୁଡ଼ିକର ନବୀକରଣ ଏବଂ ଆଧୁନିକ ସୁବିଧା କରିବା ପାଇଁ ଭାରତୀୟ ରେଳବାଇ ପକ୍ଷରୁ ପ୍ରୟାସ ଜାରି ରହିଛି। ନିକଟରେ କ୍ୟାବିନେଟ ବୈଠକରେ ଭାରତର ତିନୋଟି ପ୍ରମୁଖ ଷ୍ଟେସନ ଯଥା ନୂଆଦିଲ୍ଲୀ, ଅହମ୍ମଦାବାଦ ଏବଂ ମୁମ୍ବାଇ ଛତ୍ରପତି ଶିବାଜୀ ଟର୍ମିନାସକୁ ସମ୍ପୂର୍ଣ୍ଣ ନବୀକରଣ ପାଇଁ ଅନୁମୋଦନ ମିଳିଛି। ଏଥିସହିତ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଅକ୍ଟୋବର ୩ ତାରିଖରେ ଭାରତରେ ୨୦୦ଟି ରେଳ ଷ୍ଟେସନର ନବୀକରଣ କରାଯିବ ବୋଲି ଘୋଷଣା କରିଛନ୍ତି। ଏହି ଷ୍ଟେସନଗୁଡିକ ଆଧୁନିକ ହେବା ସହ ବିଶ୍ୱ ସ୍ତରୀୟ ସୁବିଧା କରାଯିବ।

ମହାରାଷ୍ଟ୍ରର ଔରଙ୍ଗାବାଦ ରେଳ ଷ୍ଟେସନରେ ଏକ କୋଚ୍ ରକ୍ଷଣାବେକ୍ଷଣ କାରଖାନାର ଭିତ୍ତି ପ୍ରସ୍ତର ସମାରୋହରେ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଅଂଶଗ୍ରହଣ କରି ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ଷ୍ଟେସନଗୁଡିକର ନବୀକରଣ ପାଇଁ ପଦକ୍ଷେପ ନିଆଯାଇଛି ଏବଂ ୪୭ଟି ରେଳ ଷ୍ଟେସନ ପାଇଁ ଟେଣ୍ଡର ପ୍ରକ୍ରିୟା ଶେଷ ହୋଇଥିବାବେଳେ ୩୨ଟି ଷ୍ଟେସନରେ କାମ ଆରମ୍ଭ ହୋଇଛି।

ରେଳ ମନ୍ତ୍ରୀ କହିଛନ୍ତି ଯେ ୨୦୦ଟି ରେଳ ଷ୍ଟେସନର ନବୀକରଣ ପାଇଁ ସରକାର ଏକ ମାଷ୍ଟରପ୍ଲାନ ପ୍ରସ୍ତୁତ କରିଛନ୍ତି। ଷ୍ଟେସନଗୁଡିକରେ ଓଭରହେଡ୍ ସ୍ପେସ୍ ନିର୍ମାଣ କରାଯିବ, ଯେଉଁଥିରେ ପିଲାମାନଙ୍କ ପାଇଁ ମନୋରଞ୍ଜନ ସୁବିଧା ବ୍ୟତୀତ ୱେଟିଂ ଲାଉଞ୍ଜ୍ ଏବଂ ଫୁଡ୍ କୋର୍ଟ ସହିତ ବିଶ୍ୱ ସ୍ତରୀୟ ସୁବିଧା ରହିବ। ଏହା ସହିତ ଅନ୍ୟ କେତେକ ଆବଶ୍ୟକୀୟ ସୁବିଧାକୁ ଏଥିରେ ସାମିଲ କରାଯିବା ଦ୍ୱାରା ଯାତ୍ରୀମାନେ ପୂର୍ଣ୍ଣ ସୁବିଧା ପାଇପାରିବେ। ସେହିପରି ଭାରତ ପାଇଁ ନିର୍ମାଣ ହେବାକୁ ଥିବା ୪୦୦ ବନ୍ଦେ ଭାରତ ଟ୍ରେନ ମଧ୍ୟରୁ ୧୦୦ଟି ନିର୍ମାଣ ଲାତୁର, ମରାଠୱାଡାରରେ କୋଚ କାରଖାନାରେ ନିର୍ମିତ ହେବ। ପ୍ରଧାନମନ୍ତ୍ରୀ ଗତି ଶକ୍ତି ଯୋଜନା ଅଧୀନରେ ଦେଶର ସମସ୍ତ ଅଂଶ ବର୍ତ୍ତମାନ ରାଜପଥ କିମ୍ବା ରେଳପଥ ଦ୍ୱାରା ସଂଯୁକ୍ତ କରାଯିବ।

Leave A Reply

Your email address will not be published.