Latest Odisha News

BREAKING NEWS

କବିତା : ଆସେ ପାର୍ବଣର ଋତୁ

ସୁଜାତା ମିଶ୍ର

ମୁଠାଏ ଗଙ୍ଗଶିଉଳି
ଭିତରେ ମହକେ ଜୀବନ,
କାଶ ଫୁଲର ଶୁଭ୍ରତାରେ
ଘୁମଉ ଥାଏ
ନିରୀମାଖି ସ୍ବପ୍ନ…,
ଗାଢ଼ ନୀଳ ରଙ୍ଗର ବିସ୍ତୃତି ଭିତରେ
ଧଳା ମେଘର ଉଆସ
ତୋଳି ଚାଲେ
ପ୍ରଜାପତି ଧରା ନିରୀହ ମନ,
ରାତି ସାରା ସ୍ୱପ୍ନର ରଙ୍ଗ ବଦଳେଇ
କଡ ଲେଉଟାଇ ଚାଲେ କବିତା ମୁଖର ଜହ୍ନ ରାତିର
ରୂପେଲୀ ଆକର୍ଷଣ!
ତାରା ଫୁଲରେ ସଜାଇ
ମାୟାବିନୀ ନିଶିର
ତମସା ରଙ୍ଗର ଯୌବନ,
ବାଦଲ ଫାଙ୍କରୁ ଆଖି ମିଟିକା
ମାରେ ଶାରଦୀୟ ଜହ୍ନ !

ଥିରି ଥିରି ପବନରେ
ଶିହରିତ ହୁଏ ଧାନ କ୍ଷେତ,
ଶୂନ୍ ଶାନ୍ ଖରା ବେଳେ
ନିଷ୍ପଲକ ଚାହାଣୀରେ
ଚୁପ୍ ଚାପ୍ ଠିଆ ପାଳଭୂତ,
ଶୁଭେ ନାହିଁ କାହିଁ ପାଇଁ
ଗୋରୁ ପଲ ସାଥେ
ଗାଈଆଳ ଟୋକାର ବେସୁରା ସଙ୍ଗୀତ!
ପୋଖରୀ ତୁଠରେ
ଅଳତାବୋଳା ପାଦରେ
ଝୁଣ୍ଟିଆର ନାଲି ପଥରରେ
ପଲ୍ଲୀ ବଧୂ ଟାଣେ
ସୁନେଲୀ କଳ୍ପନାର
ଅନାବନା ଗାର,
କୁଆଁରୀଏ ହସାହସି
ଦେଖି ତାର ଲାଜ ଲାଜ ଆରକ୍ତ କପୋଳ!
ଜହ୍ନି ଫୁଲେ ସଜା ହୁଏ ତୁଳସୀ ଚଉରା …,
ଉଛୁଳା ଜହ୍ନ ରାତିର
ମୁକୁଳା ଗୀତରେ
ଗାଆଁ ଦାଣ୍ଡ ଆଜି ମତୁଆଲା!
ଜ୍ୟୋତ୍ସ୍ନାୟିତ ଶର୍ବରୀ
ପ୍ରୀତିର ଉଚ୍ଛ୍ୱାସ ବାଢ଼େ
ନୀଳ କଇଁ ପାଖୁଡ଼ାରେ,
ନଈ ପଠା ସ୍ବପ୍ନ ବୁଣେ
କାଶତଣ୍ଡି ଫୁଲର
କୋମଳ ପଣରେ!
ଅଶିଣର ଦେଵୀ ପକ୍ଷ ଆସେ ପ୍ରକୃତିର ଯୋଗିନୀ ବେଶରେ..
ଶଙ୍ଖ, ଘଣ୍ଟ,ହୁଳହୁଳି,
ନାଲି ରଙ୍ଗରସିନ୍ଦୂର,
ନାଲିଆ ମନ୍ଦାର ଆଉ
ଦେବୀଙ୍କର
ଲାଲ୍ ଓଢ଼ଣୀରେ!
ନୀଳିମାର ବ୍ୟାପ୍ତି ତଳୁ
ଭସା ମେଘ ମୁହଁ ଦେଖେ
ପୁଷ୍କରିଣୀ ଜଳେ,
ଧବଳ ନାରଙ୍ଗୀ ଶେଫାଳୀର
ଆଳ୍ପନା ଆଙ୍କି ଯାଏ
ଚଗଲା ପବନ
ବଗିଚାରେ.. ଅଗଣାରେ..,
ପବିତ୍ରତା ଝରୁଥାଏ
ପୀୟୂଷ ପରି
ପାହାନ୍ତିଆ କାକର ବିନ୍ଦୁରେ..,
ମା ଆବାହନୀ ଗାଇ ନିଶବ୍ଦରେ..
ପାଦ ଥାପି ଆସେ
ପାର୍ବଣର ଋତୁ
ଏହି ଅମୃତ ଲଗ୍ନରେ!

କସ୍ମୋପଲିସ୍,
ଖଣ୍ଡଗିରି
ଭୁବନେଶ୍ୱର

Leave A Reply

Your email address will not be published.