Latest Odisha News

BREAKING NEWS

ପ୍ରଧାନମନ୍ତ୍ରୀ ମୋଦୀଙ୍କ ସାଂସ୍କୃତିକ କୂଟନୀତି

ବିଦେଶ ମାଟିରେ ଚମକିଲା ଭାରତୀୟ ସଂସ୍କୃତି ଓ କଳାର ଛାପ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଫ୍ରାନ୍ସ ରାଷ୍ଟ୍ରପତି ଏମାନୁଏଲ ମାକ୍ରୋନଙ୍କୁ ଆନ୍ଧ୍ରପ୍ରଦେଶର ପ୍ରସିଦ୍ଧ ହସ୍ତତନ୍ତ ଚିତ୍ରକଳା ମହାଭାରତ ପେଣ୍ଟିଂ ଉପହାର ଦେଇଛନ୍ତି। ଏହି ଚମତ୍କାର ପେଣ୍ଟିଂଟି ପ୍ରସ୍ତୁତ ହେବା ପାଇଁ ପ୍ରାୟ ୬ ମାସ ସମୟ ଲାଗିଥିଲା। ପାରମ୍ପରିକ କଲମ ଚିତ୍ର ଶୈଳୀରେ ନିର୍ମିତ ଏହି କଳାକୃତିରେ ମହାଭାରତର ବିଭିନ୍ୟ ଦୃଶ୍ୟ ଏବଂ ଭଗବଦ୍ ଗୀତାର ମହାନ ଜ୍ଞାନକୁ ପ୍ରଦର୍ଶିତ କରାଯାଇଛି, ଯାହା ଶାନ୍ତି, କର୍ତ୍ତବ୍ୟ ଏବଂ ମାନବିକ ମୂଲ୍ୟବୋଧର ବାର୍ତ୍ତା ଦେଇଥାଏ। କେବଳ ସେତିକି ନୁହେଁ, ରାଷ୍ଟ୍ରପତି ମାକ୍ରୋନଙ୍କ ପତ୍ନୀ ବ୍ରିଜିଟ୍ ମାକ୍ରୋନଙ୍କୁ ତେଲେଙ୍ଗାନାର ପ୍ରସିଦ୍ଧ ହାତବୁଣା ‘ପୋଚମ୍ପାଲୀ ସିଲ୍କ ଷ୍ଟୋଲ୍’ ଉପହାର ଦେଇଛନ୍ତି ମୋଦୀ, ଯାହାକୁ ଫ୍ରାନ୍ସର କଳାପ୍ରେମୀ ବେଶ୍ ପସନ୍ଦ କରିଛନ୍ତି।

ସେହିପରି ସ୍ଲୋଭାକିଆ ଗସ୍ତ ସମୟରେ ମଧ୍ୟ ଭାରତୀୟ କଳାର ଯାଦୁ ଦେଖିବାକୁ ମିଳିଥିଲା। ସ୍ଲୋଭାକିଆର ପ୍ରଧାନମନ୍ତ୍ରୀ ରବର୍ଟ ଫିକୋଙ୍କୁ କାଶ୍ମୀର ଉପତ୍ୟକାର ବିଶ୍ଵପ୍ରସିଦ୍ଧ ‘କାଶ୍ମୀରୀ ସିଲ୍କ କାର୍ପେଟ୍’ ଉପହାର ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ଅତ୍ୟନ୍ତ ସୂକ୍ଷ୍ମ କାରିଗରୀରେ ସମୃଦ୍ଧ ଏହି ଗାଲିଚା ପ୍ରସ୍ତୁତ କରିବାକୁ କାରିଗରମାନଙ୍କୁ ମାସ ମାସ ସମୟ ଲାଗିଥାଏ। ସେହିପରି ସ୍ଲୋଭାକିଆର ରାଷ୍ଟ୍ରପତି ପିଟର ପେଲେଗ୍ରିନିଙ୍କୁ ଔରଙ୍ଗାବାଦର ପାରମ୍ପରିକ ଜିଆଇ ଟ୍ୟାଗ୍ ପ୍ରାପ୍ତ ‘ହିମରୁ ସିଲ୍କ ଟାଇ ଏବଂ ପକେଟ୍ ସ୍କୋୟାର୍’ ସେଟ୍ ସହ ରାଜସ୍ଥାନ ପ୍ରତାପଗଡ଼ର ସୂକ୍ଷ୍ମ ସୁନା କାରିଗରୀରେ ନିର୍ମିତ ‘ଥେୱା ମୋଟିଫ୍ କଫଲିଙ୍କସ୍’ ଦେଇଛନ୍ତି ମୋଦୀ।

ସବୁଠାରୁ ଆକର୍ଷଣୀୟ ଦିଗ ଥିଲା ସ୍ଲୋଭାକିଆର ସ୍ପିକର ରିଚାର୍ଡ ରାସିଙ୍କୁ ଦିଆଯାଇଥିବା ଉପହାର। ଭାରତର ପ୍ରାଚୀନ ଚିକିତ୍ସା ବିଜ୍ଞାନର ପ୍ରତୀକ ଆୟୁର୍ବେଦ ଗ୍ରନ୍ଥ ‘ଚରକ ସଂହିତା’ ଏବଂ ଶଲ୍ୟ ଚିକିତ୍ସାର ପ୍ରାଚୀନ ପୁସ୍ତକ ‘ସୁଶ୍ରୁତ ସଂହିତା’ ଉପହାର ଦେଇ ମୋଦୀ ଭାରତର ବୌଦ୍ଧିକ ଓ ବୈଜ୍ଞାନିକ ଐତିହ୍ୟକୁ ବିଶ୍ଵ ଦରବାରରେ ଉପସ୍ଥାପନ କରିଛନ୍ତି। କେବଳ ଜ୍ଞାନ ନୁହେଁ, ଭାରତର ପାରମ୍ପରିକ ସ୍ଵାଦକୁ ମଧ୍ୟ ସେଠାରେ ପହଞ୍ଚାଇଛନ୍ତି ପ୍ରଧାନମନ୍ତ୍ରୀ। ବିହାର ଓ ଝାଡ଼ଖଣ୍ଡର ପ୍ରସିଦ୍ଧ ପାରମ୍ପରିକ ମିଠା ‘ଠେକୁଆ’ ମଧ୍ୟ ଉପହାର ଭାବରେ ଦିଆଯାଇଥିଲା।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ଏହି ଦୁଇ ଦେଶର ଗସ୍ତ କେବଳ ରାଜନୈତିକ ଏବଂ ଅର୍ଥନୈତିକ ସମ୍ପର୍କରେ ସୀମିତ ନଥିଲା, ବରଂ ଭାରତର ସମୃଦ୍ଧ ସଂସ୍କୃତି, ଇତିହାସ ଏବଂ ହସ୍ତତନ୍ତ ଶିଳ୍ପକୁ ବିଶ୍ଵ ମଞ୍ଚରେ ଏକ ସ୍ଵତନ୍ତ୍ର ପରିଚୟ ଦେବାରେ ଏହା ଏକ ପ୍ରଶଂସନୀୟ ପ୍ରୟାସ ।

Leave A Reply

Your email address will not be published.