ପ୍ରତିକୂଳ ପାଗ ଯୋଗୁଁ ରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତରେ ବିଳମ୍ବ: ବାୟୁସେନା ହେଲିକପ୍ଟର ବଦଳରେ ସଡ଼କ ପଥରେ ରାଇରଙ୍ଗପୁର ଆସୁଛନ୍ତି ମହାମହିମ
କୋଲକାତା: ପଶ୍ଚିମବଙ୍ଗ ଏବଂ ଓଡ଼ିଶା ସୀମାନ୍ତ ଅଞ୍ଚଳରେ ପାଗ ଖରାପ ଯୋଗୁଁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଓଡ଼ିଶା ଗସ୍ତରେ ସାମାନ୍ୟ ବିଳମ୍ବ । ପ୍ରତିକୂଳ ପାଗ କାରଣରୁ ମହାମହିମଙ୍କ ବିମାନ ବା ବାୟୁସେନା ହେଲିକପ୍ଟର ଉଡ଼ାଣ ଭରିପାରି ନାହିଁ। ବର୍ତ୍ତମାନ ରାଷ୍ଟ୍ରପତି ପଶ୍ଚିମବଙ୍ଗର କୋଲାଇକୁଣ୍ଡା ବାୟୁସେନା ଘାଟିରେ ପହଞ୍ଚିବା ପରେ ସେଠାରୁ ଆକାଶ ମାର୍ଗ ବଦଳରେ ସଡ଼କ ପଥରେ ଓଡ଼ିଶା ଆସୁଥିବା ଜଣାପଡ଼ିଛି।
ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ରାଷ୍ଟ୍ରପତି କୋଲାଇକୁଣ୍ଡାରୁ ବାୟୁସେନାର ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ଆସିବାର ଥିଲା। ମାତ୍ର ଆକାଶ ମେଘାଚ୍ଛନ୍ନ ରହିବା ସହ ପ୍ରବଳ ବର୍ଷା ଯୋଗୁଁ ହେଲିକପ୍ଟର ଉଡ଼ାଣକୁ ସୁରକ୍ଷା ଦୃଷ୍ଟିରୁ ସ୍ଥଗିତ ରଖାଯାଇଛି। ଏହା ପରେ ରାଷ୍ଟ୍ରପତିଙ୍କ ସୁରକ୍ଷା ଦାୟିତ୍ୱରେ ଥିବା ସ୍ୱତନ୍ତ୍ର ଟିମ୍ ଏବଂ ଜିଲ୍ଲା ପ୍ରଶାସନ ତୁରନ୍ତ କାର୍ଯ୍ୟପନ୍ଥା ବଦଳାଇ ସଡ଼କ ପଥରେ ଯାତ୍ରା କରିବା ପାଇଁ ବ୍ୟବସ୍ଥା କରିଛନ୍ତି।
ଭାରତୀୟ ଜନତା ପାର୍ଟି ବା ବିଜେପିର ବରିଷ୍ଠ ନେତାଙ୍କ ସୂତ୍ରରୁ ମିଳିଥିବା ସୂଚନା ମୁତାବକ ରାଷ୍ଟ୍ରପତି ମୁର୍ମୁ କୋଲାଇକୁଣ୍ଡାରୁ ସଡ଼କ ପଥରେ ବାହାରି ସାରିଛନ୍ତି। ସେ ପଶ୍ଚିମବଙ୍ଗ ସୀମା ଅତିକ୍ରମ କରି ଓଡ଼ିଶାର ବାଙ୍ଗିରିପୋଷି ଏବଂ ବିଶୋଇ ହୋଇ ନିଜ ଗୃହ ସହର ରାଇରଙ୍ଗପୁରରେ ପହଞ୍ଚିବେ।
ରାଷ୍ଟ୍ରପତିଙ୍କ ଗାଡ଼ି ସଡ଼କ ପଥରେ ଆସୁଥିବାରୁ ଏହି ରୁଟ୍ ରେ ସୁରକ୍ଷା ବ୍ୟବସ୍ଥାକୁ ଅତି କଡ଼ାକଡ଼ି କରାଯାଇଛି। ରାଜପଥର ବିଭିନ୍ନ ଛକ ସ୍ଥାନରେ ବ୍ୟାପକ ପୋଲିସ ମୁତୟନ କରାଯିବା ସହ ଟ୍ରାଫିକ ବ୍ୟବସ୍ଥାକୁ ନିୟନ୍ତ୍ରଣ କରାଯାଉଛି।
