INS Malvan: ଚୀନର ଚାଲ୍କୁ ଦେବ କଡ଼ା ଜବାବ, ଭାରତୀୟ ନୌସେନାରେ ସାମିଲ ହେଲା ‘ସବମେରିନ୍ କିଲର୍’, ବଢ଼ିବ ଭାରତର ଶକ୍ତି
ନୂଆଦିଲ୍ଲୀ: ହିନ୍ଦ ମହାସାଗରରେ ଚୀନର ବଢ଼ୁଥିବା ପାଣିବୁଡ଼ା କାର୍ଯ୍ୟକଳାପ ଉପରେ କଡ଼ା ନଜର ରଖିବା ସହ ଆବଶ୍ୟକ ପଡ଼ିଲେ ତୁରନ୍ତ ପ୍ରତିଆକ୍ରମଣ କରିବା ପାଇଁ ଭାରତୀୟ ନୌସେନାକୁ ମିଳିଛି ଏକ ନୂଆ ଶକ୍ତି। କର୍ଣ୍ଣାଟକର କାରୱାର ନୌସେନା ଘାଟିରେ ବୁଧବାର ଆନୁଷ୍ଠାନିକ ଭାବେ INS ମାଲଭନକୁ ନୌସେନାରେ ସାମିଲ କରାଯାଇଛି। ଏହାକୁ ‘ସବମେରିନ୍ କିଲର୍’ ଭାବେ ବିବେଚନା କରାଯାଉଛି।
INS ମାଲଭନ ମାହେ ଶ୍ରେଣୀର (Mahe-class) ଦ୍ୱିତୀୟ ଆଣ୍ଟି-ସବମେରିନ୍ ୱାରଫେୟାର ଶାଲୋ ୱାଟର କ୍ରାଫ୍ଟ (ASW-SWC)। ଉପକୂଳ ଏବଂ ଅଳ୍ପ ଗଭୀର ସମୁଦ୍ର ଅଞ୍ଚଳରେ ଶତ୍ରୁ ପାଣିବୁଡ଼ା ଜାହାଜକୁ ଚିହ୍ନଟ କରି ଧ୍ୱଂସ କରିବା ପାଇଁ ଏହାକୁ ସ୍ୱତନ୍ତ୍ର ଭାବେ ଡିଜାଇନ୍ କରାଯାଇଛି।
INS ମାଲଭନକୁ କୋଚିନ୍ ସିପ୍ୟାର୍ଡ ଲିମିଟେଡ୍ ପକ୍ଷରୁ ଭାରତରେ ହିଁ ନିର୍ମାଣ କରାଯାଇଛି। ଏଥିରେ ୮୦ ପ୍ରତିଶତରୁ ଅଧିକ ସ୍ୱଦେଶୀ ଉପକରଣ ଓ ପ୍ରଯୁକ୍ତି ବ୍ୟବହୃତ ହୋଇଛି। ଏହା ‘ଆତ୍ମନିର୍ଭର ଭାରତ’ ଅଭିଯାନ ଅଧୀନରେ ନିର୍ମିତ ଆଧୁନିକ ଯୁଦ୍ଧଜାହାଜ ମଧ୍ୟରୁ ଗୋଟିଏ।
ଏହାର ବିଶେଷତା ମଧ୍ୟରେ, ଶତ୍ରୁ ପାଣିବୁଡ଼ାକୁ ଖୋଜି ବାହାର କରି ଆକ୍ରମଣ କରିବା, ଉପକୂଳ ଅଞ୍ଚଳରେ ସ୍ୱଳ୍ପ ତୀବ୍ରତାର ସାମୁଦ୍ରିକ ଅଭିଯାନ ପରିଚାଳନା କରିବ, ସମୁଦ୍ରରେ ବିଛାଯାଇଥିବା ମାଇନ୍ ବା ବାରୁଦୀ ସୁରଙ୍ଗକୁ ଚିହ୍ନଟ କରି ନିଷ୍କ୍ରିୟ କରିପାରିବ, ଅଳ୍ପ ଗଭୀର ସମୁଦ୍ରରେ ଦ୍ରୁତ ଓ ସଠିକ୍ ଅପରେସନ୍ ଚଳାଇବାରେ ସକ୍ଷମ।
INS ମାଲଭନ କମିଶନିଂ ଅନୁଷ୍ଠାନରେ ବାୟୁସେନା ମୁଖ୍ୟ ଏୟାର ଚିଫ୍ ମାର୍ଶାଲ୍ ଏ.ପି. ସିଂହ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ପଶ୍ଚିମ ନୌସେନା କମାଣ୍ଡ ମୁଖ୍ୟ ଭାଇସ୍ ଆଡ୍ମିରାଲ୍ ସଞ୍ଜୟ ବାତ୍ସ୍ୟାୟନ ଏବଂ ନୌସେନାର ବରିଷ୍ଠ ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ।
ଏହି ଅବସରରେ ଏୟାର ଚିଫ୍ ମାର୍ଶାଲ୍ ଏ.ପି. ସିଂହ କହିଥିଲେ, ଭବିଷ୍ୟତର ଯୁଦ୍ଧ କେବଳ ଗୋଟିଏ ସେନା ଲଢ଼ିବ ନାହିଁ; ବରଂ ସ୍ଥଳସେନା, ନୌସେନା ଓ ବାୟୁସେନାର ମିଳିତ ସମନ୍ୱୟ ଦେଶର ସୁରକ୍ଷାକୁ ଆହୁରି ସୁଦୃଢ଼ କରିବ। ସେ ସାମୁଦ୍ରିକ ବାଣିଜ୍ୟ ମାର୍ଗର ସୁରକ୍ଷାର ଗୁରୁତ୍ୱ ଉପରେ ମଧ୍ୟ ଜୋର ଦେଇଥିଲେ।
ଏହି ଯୁଦ୍ଧଜାହାଜର ନାମ ମହାରାଷ୍ଟ୍ରର ଐତିହାସିକ ଉପକୂଳ ସହର ମାଲଭନ ନାମରେ ରଖାଯାଇଛି, ଯାହା ଛତ୍ରପତି ଶିବାଜୀ ମହାରାଜଙ୍କ ସାମୁଦ୍ରିକ ଐତିହ୍ୟ ସହ ଜଡ଼ିତ। ଜାହାଜର କ୍ରେଷ୍ଟରେ ଶିବାଜୀଙ୍କ ପ୍ରସିଦ୍ଧ ଅସ୍ତ୍ର ‘ବାଘନଖ’କୁ ସ୍ଥାନ ଦିଆଯାଇଛି, ଯାହା ସାହସ, ସତର୍କତା ଓ ଶତ୍ରୁ ଉପରେ ସଠିକ୍ ପ୍ରହାରର ପ୍ରତୀକ ବୋଲି ମନାଯାଏ।
INS ମାଲଭନ ନୌସେନାରେ ସାମିଲ ହେବା ପରେ ଭାରତର ସାମୁଦ୍ରିକ ସୁରକ୍ଷା ବ୍ୟବସ୍ଥା ଆହୁରି ଶକ୍ତିଶାଳୀ ହେବା ସହ ହିନ୍ଦ ମହାସାଗର ଅଞ୍ଚଳରେ ଶତ୍ରୁ ପାଣିବୁଡ଼ା କାର୍ଯ୍ୟକଳାପ ଉପରେ ଅଧିକ ପ୍ରଭାବଶାଳୀ ନଜରଦାରି ସମ୍ଭବ ହେବ।