Latest Odisha News

BREAKING NEWS

ପୌରସଂସ୍ଥା ଗୁଡ଼ିକର ଆର୍ଥିକ କ୍ଷମତା ବୃଦ୍ଧି, ସହର ବିକାଶକୁ ମିଳିବ ନୂଆ ଗତି

ଭୁବନେଶ୍ୱର: ଓଡ଼ିଶାର ସହରାଞ୍ଚଳ ବିକାଶକୁ ଅଧିକ ଗତିଶୀଳ କରିବା ଦିଗରେ ରାଜ୍ୟ ସରକାର ନେଇଛନ୍ତି ଏକ ବଡ଼ ନିଷ୍ପତ୍ତି। ଓଡ଼ିଶା ସରକାର ପୌରସଂସ୍ଥା ଏବଂ ସ୍ମାର୍ଟ ସିଟି ଲିମିଟେଡ୍‌ ଗୁଡ଼ିକର ଆର୍ଥିକ କ୍ଷମତା ପରିସରକୁ ସଂଶୋଧିତ କରିଛନ୍ତି। ପୌର ପ୍ରଶାସନକୁ ସଶକ୍ତ କରିବା ଦିଗରେ ନଗର ଉନ୍ନୟନ ବିଭାଗ ନୂଆ ବ୍ୟବସ୍ଥା ଲାଗୁ କରିଛି। ନଗର ଉନ୍ନୟନ ବିଭାଗ ଦ୍ୱାରା ବିଜ୍ଞାପିତ ଏହି ସଂଶୋଧିତ ବ୍ୟବସ୍ଥା ତୁରନ୍ତ ଲାଗୁ ହେବ। ଏହି ସଂଶୋଧିତ କ୍ଷମତା ଅନୁଯାୟୀ, ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡ୍ ଏବଂ ରାଉରକେଲା ସ୍ମାର୍ଟ ସିଟି ଲିମିଟେଡର ଏମଡିମାନଙ୍କ ଆର୍ଥିକ କ୍ଷମତାକୁ ମହାନଗର ନିଗମର କମିଶନରମାନଙ୍କ ସହିତ ସମାନ କରାଯାଇଛି।

ଏହି ସଂଶୋଧିତ ବ୍ୟବସ୍ଥା ତୁରନ୍ତ କାର୍ଯ୍ୟକାରୀ ହେବ । ନୂଆ ନିୟମ ଅନୁଯାୟୀ ଭୁବନେଶ୍ୱର ଓ ରାଉରକେଲା ସ୍ମାର୍ଟ ସିଟି ଲିମିଟେଡ୍‌ର ପରିଚାଳନା ନିର୍ଦ୍ଦେଶକଙ୍କ ଆର୍ଥିକ କ୍ଷମତାକୁ ମହାନଗର ନିଗମ କମିଶନରଙ୍କ ସମକକ୍ଷ କରାଯାଇଛି । ଫଳରେ ସହରାଞ୍ଚଳର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ନିଷ୍ପତ୍ତି ଓ କାର୍ଯ୍ୟାନ୍ୱୟନ ପ୍ରକ୍ରିୟା ଆହୁରି ଦ୍ରୁତ ହେବ । ମହାନଗର ନିଗମଗୁଡ଼ିକରେ କାର୍ଯ୍ୟ ବିଲ୍, କ୍ରୟ ବିଲ୍ ଓ ଅନ୍ୟାନ୍ୟ ଖର୍ଚ୍ଚ ମଞ୍ଜୁରୀ ପାଇଁ କମିଶନରଙ୍କ ଆର୍ଥିକ ସୀମାକୁ ୧ କୋଟି ଟଙ୍କାକୁ ବୃଦ୍ଧି କରାଯାଇଛି । ପୂର୍ବରୁ ଏହି ସୀମା ଭୁବନେଶ୍ୱରରେ ୫୦ ଲକ୍ଷ ଓ ଅନ୍ୟ ମହାନଗର ନିଗମରେ ମାତ୍ର ୧୫ ଲକ୍ଷ ଟଙ୍କା ଥିଲା । ସେହିପରି ଦରମା ଓ ପେନ୍‌ସନ୍ ବିଲ୍ ପ୍ରଦାନ ପାଇଁ କମିଶନରମାନଙ୍କୁ ସମ୍ପୂର୍ଣ୍ଣ କ୍ଷମତା ଦିଆଯାଇଛି ।

ପ୍ରକଳ୍ପଗୁଡ଼ିକର ପ୍ରଶାସନିକ ଅନୁମୋଦନ ସୀମାକୁ ୨ କୋଟିରୁ ବଢ଼ାଇ ୩ କୋଟି ଟଙ୍କା କରାଯାଇଛି। ଏହାଦ୍ୱାରା ବିକାଶମୂଳକ କାର୍ଯ୍ୟରେ ଅନାବଶ୍ୟକ ବିଳମ୍ବ ହ୍ରାସ ପାଇବ ଏବଂ ପ୍ରକଳ୍ପଗୁଡ଼ିକ ଶୀଘ୍ର କାର୍ଯ୍ୟକାରୀ ହୋଇପାରିବ। ଅନ୍ୟପଟେ ପୌରପାଳିକା ଓ ବିଜ୍ଞାପିତ ଅଞ୍ଚଳ ପରିଷଦଗୁଡ଼ିକରେ ନିର୍ବାହୀ ଅଧିକାରୀଙ୍କ ବିଲ୍ ମଞ୍ଜୁରୀ କ୍ଷମତା ୧୦ ଲକ୍ଷରୁ ବୃଦ୍ଧି ପାଇ ୨୦ ଲକ୍ଷ ଟଙ୍କା ହୋଇଛି। ସେମାନଙ୍କୁ ମଧ୍ୟ ଦରମା ଓ ପେନ୍‌ସନ୍ ବିଲ୍ ପ୍ରଦାନର ସମ୍ପୂର୍ଣ୍ଣ କ୍ଷମତା ଦିଆଯାଇଛି। ଏହା ସହ ପ୍ରଶାସନିକ ଅନୁମୋଦନ ସୀମା ମଧ୍ୟ ୧୦ ଲକ୍ଷରୁ ବଢ଼ି ୨୦ ଲକ୍ଷ ଟଙ୍କା କରାଯାଇଛି। ରାଜ୍ୟ ସରକାରଙ୍କ ଏହି ପ୍ରଶାସନିକ ସଂସ୍କାର ଫଳରେ ପୌରସଂସ୍ଥାଗୁଡ଼ିକ ଅଧିକ ଆର୍ଥିକ ସ୍ୱାୟତ୍ତତା ପାଇବେ। ସରକାରୀ ପ୍ରକ୍ରିୟାରେ ବିଳମ୍ବ କମିବ, ନାଗରିକ ଭିତ୍ତିଭୂମି ଓ ଜନକଲ୍ୟାଣମୂଳକ ପ୍ରକଳ୍ପଗୁଡ଼ିକ ନିର୍ଦ୍ଧାରିତ ସମୟ ମଧ୍ୟରେ ସମ୍ପୂର୍ଣ୍ଣ ହେବ ଏବଂ ଓଡ଼ିଶାର ସହରାଞ୍ଚଳ ବିକାଶକୁ ମିଳିବ ନୂଆ ଗତି ।

Leave A Reply

Your email address will not be published.