Latest Odisha News

BREAKING NEWS

ଇଣ୍ଡୋନେସିଆରେ ଜ୍ୱାଲାମୁଖୀ ବିସ୍ଫୋରଣର କାୟା: ଆକାଶରେ ୫୦ ହଜାର ଫୁଟ ପର୍ଯ୍ୟନ୍ତ ଛାଇଗଲା କଳା ପାଉଁଶର ମେଘ

ଜାକର୍ତ୍ତା: ପ୍ରକୃତିର ରୌଦ୍ରରୂପ ଦେଖିବାକୁ ମିଳିଛି ଇଣ୍ଡୋନେସିଆରେ । ଦେଶର ଜାଭା ଏବଂ ସୁମାତ୍ରା ଦ୍ୱୀପପୁଞ୍ଜ ମଧ୍ୟରେ ଅବସ୍ଥିତ ପ୍ରସିଦ୍ଧ ‘ଅନାକ କ୍ରାକାଟୋଆ’ ଜ୍ୱାଲାମୁଖୀରେ ଏକ ଭୀଷଣ ବିସ୍ଫୋରଣ ଘଟିଛି । ଏହି ବିସ୍ଫୋରଣ ପରେ ଆକାଶରେ ପ୍ରାୟ ୫୦ ହଜାର ଫୁଟ (୧୫ କିଲୋମିଟର) ଉଚ୍ଚତା ପର୍ଯ୍ୟନ୍ତ କଳା ପାଉଁଶ ଏବଂ ଧୂଆଁର ବିଶାଳ ମେଘ ଛାଇଯାଇଛି । ଆକାଶରେ ପାଉଁଶର ପ୍ରବଳ ଆବରଣ ଯୋଗୁଁ ରାଜଧାନୀ ଜାକର୍ତ୍ତାର ମୁଖ୍ୟ ସୁକର୍ଣ୍ଣୋ-ହଟ୍ଟା ଆନ୍ତର୍ଜାତୀୟ ବିମାନବନ୍ଦରରେ ଉଡ଼ାଣ ସେବା ଅସ୍ଥାୟୀ ଭାବେ ସ୍ଥଗିତ ରଖାଯାଇଛି, ଯାହାଫଳରେ ଶହ ଶହ ବିମାନ ଚଳାଚଳ ଏବଂ ହଜାର ହଜାର ଯାତ୍ରୀ ଗୁରୁତର ଭାବେ ପ୍ରଭାବିତ ହୋଇଛନ୍ତି ।

ସ୍ଥାନୀୟ ପ୍ରଶାସନ ଏବଂ ଭୂବୈଜ୍ଞାନିକ ଏଜେନ୍ସିର ସୂଚନା ଅନୁଯାୟୀ, ଶନିବାରଠାରୁ ଜ୍ୱାଲାମୁଖୀର ଗତିବିଧି ବୃଦ୍ଧି ପାଇଥିବାବେଳେ ରବିବାର ପ୍ରାତଃ ୩ଟା ୫୩ ମିନିଟ୍ ସମୟରେ ଏହା ହଠାତ୍ ଫାଟି ପଡ଼ିଥିଲା । ପ୍ରାୟ ୩୦ ସେକେଣ୍ଡ ଧରି ଜାରି ରହିଥିବା ଏହି ବିସ୍ଫୋରଣରୁ ବାହାରିଥିବା ପାଉଁଶ ଦୁଇଟି ବିଶାଳ ମେଘ ସୃଷ୍ଟି କରିଥିଲା । ପ୍ରଥମ ପାଉଁଶ ମେଘଟି ପ୍ରାୟ ୨୦ ହଜାର ଫୁଟ ଉଚ୍ଚକୁ ଯାଇ ଜାକର୍ତ୍ତା, ବାଣ୍ଟେନ୍ ଏବଂ ପଶ୍ଚିମ ଜାଭା ଆଡ଼େ ମାଡ଼ି ଯାଇଥିବାବେଳେ, ଦ୍ୱିତୀୟ ଏବଂ ଅଧିକ ଶକ୍ତିଶାଳୀ ମେଘଟି ଏକାବେଳେକେ ୫୦ ହଜାର ଫିଟ୍ ଉଚ୍ଚତା ଅତିକ୍ରମ କରି ସୁମାତ୍ରା ଓ ହିନ୍ଦ ମାହାସାଗରର କିଛି ଅଞ୍ଚଳକୁ ପ୍ରଭାବିତ କରିଛି ।

ଏହି ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ ମୋଟ ୨୦୯ଟି ଘରୋଇ ଏବଂ ଆନ୍ତର୍ଜାତୀୟ ବିମାନର ସଞ୍ଚାଳନ ପ୍ରଭାବିତ ହୋଇଛି, ଯାହାଫଳରେ ପ୍ରାୟ ୨୨ ହଜାର ୮୦୦ରୁ ଅଧିକ ଯାତ୍ରୀ ବିମାନବନ୍ଦରରେ ଅଟକି ରହି ହଇରାଣ ହୋଇଛନ୍ତି । ସିଙ୍ଗାପୁର, ହଂକଂ, ସିଡନୀ, ଆମଷ୍ଟର୍ଡାମ, ସିଓଲ ଏବଂ କୁଆଲାଲମ୍ପୁର ଭଳି ପ୍ରମୁଖ ବିଶ୍ୱ ସହରକୁ ଯିବାକୁ ଥିବା ବିମାନଗୁଡ଼ିକ କ୍ୟାନସେଲ୍ କିମ୍ବା ଡିଲେ ହୋଇଛି । ବିମାନବନ୍ଦରରେ ଅଟକି ରହିଥିବା ଯାତ୍ରୀମାନେ ଟିକେଟ୍ ଟଙ୍କା ଫେରସ୍ତ ପାଇଁ ଦାବି କରିବା ସହ ଅସନ୍ତୋଷ ପ୍ରକାଶ କରିଛନ୍ତି ।

ଅଗ୍ନିଗିରିରୁ ନିର୍ଗତ ପାଉଁଶ ସ୍ଥାନୀୟ ଅଞ୍ଚଳର ଜନଜୀବନକୁ ମଧ୍ୟ ଅସ୍ତବ୍ୟସ୍ତ କରିଛି । ଲୋକମାନଙ୍କ ମଧ୍ୟରେ ଆଖିଜଳା ଏବଂ ଶ୍ୱାସକ୍ରିୟା ସମସ୍ୟା ଦେଖାଦେବାରୁ କେତେକ ସ୍ଥାନରେ ସ୍କୁଲଗୁଡ଼ିକର କାର୍ଯ୍ୟକଳାପ ବନ୍ଦ ରଖାଯାଇଛି ଏବଂ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ରକୁ ଯିବାକୁ ବାରଣ କରାଯାଇଛି ।

ଦୁର୍ଘଟଣାରୁ ରକ୍ଷା ପାଇବା ପାଇଁ ପ୍ରଶାସନ ପକ୍ଷରୁ ସତକର୍ମ ଜାରି କରାଯାଇଛି । ସକ୍ରିୟ କ୍ରେଟରରୁ ଅତିକମରେ ୩ କିଲୋମିଟର ଦୂରରେ ରହିବାକୁ ପର୍ଯ୍ୟଟକ ଓ ସ୍ଥାନୀୟ ଲୋକଙ୍କୁ ପରାମର୍ଶ ଦିଆଯାଇଛି । ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ଜୀବନହାନି କିମ୍ବା ସୁନାମିର ବିପଦ ନଥିବା ସ୍ପଷ୍ଟ କରାଯାଇଥିଲେ ହେଁ, ସ୍ଥିତି ଉପରେ କଡ଼ା ନଜର ରଖାଯାଇଛି ।

Leave A Reply

Your email address will not be published.