Latest Odisha News

BREAKING NEWS

ଶ୍ରୀପଞ୍ଚମୀରେ ଘୋଷଯାତ୍ରା ପାଇଁ ପୂଜାର୍ଚ୍ଚନା ହେଲା ରଥ କାଠ

ପୁରୀ: ପବିତ୍ର ଶ୍ରୀପଞ୍ଚମୀ ତିଥି ଅବସରରେ ମହାପ୍ରଭୁଙ୍କ ଆଗାମୀ ବିଶ୍ୱପ୍ରସିଦ୍ଧ ଘୋଷ ଯାତ୍ରା ପାଇଁ ରଥ କାଠ ପୂଜାର୍ଚ୍ଚନା ଶ୍ରୀନହର ସମ୍ମୁଖ ଶ୍ରୀମନ୍ଦିର କାର୍ଯ୍ୟାଳୟ ନିକଟରେ ଅନୁଷ୍ଠିତ ହୋଇଯାଇଛି । ନୟାଗଡ଼ ବନଖଣ୍ଡରୁ ଆସିଥିବା କାଠ ମଧ୍ୟରୁ ତିନିଖଣ୍ଡ ୧୨ ଫୁଟିଆ ଧଉରା କାଠକୁ ଶ୍ରୀମନ୍ଦିର କାର୍ଯ୍ୟାଳୟ ସମ୍ମୁଖରେ ରଖାଯାଇ ସନ୍ଧ୍ୟାରେ ପୂଜାପାଠ କରାଯାଇଥିଲା । ପରମ୍ପରା ଅନୁସାରେ ରାଜପୁରୋହିତ ଓ ଶ୍ରୋତୀୟ ବ୍ରାହ୍ମଣଙ୍କ ଦ୍ୱାରା ସ୍ୱତନ୍ତ୍ର ପୂଜା ଶ୍ରୀମନ୍ଦିର କାର୍ଯ୍ୟାଳୟ ପରିସରରେ ଥିବା ମାଆ ସରସ୍ୱତୀଙ୍କ ନିକଟରେ କରାଯାଇଥିଲା । ପରେ ରଥଖଳାରେ ତିନିଖଣ୍ଡ ଧଉରା କାଠକୁ ରାଜଗୁରୁ ଓ ବ୍ରାହ୍ମଣ ମାନେ ବନ୍ଦାପନା ସହିତ ପୂଜା କରିଥିଲେ ।

ଚଳିତବର୍ଷ ରଥଯାତ୍ରା କିଭଳି ଶାନ୍ତି ଶୃଙ୍ଖଳାର ସହିତ ସମାପନ ହେବ ସେନେଇ ଶ୍ରୀଜିଉଙ୍କ ନିକଟରେ ପ୍ରାର୍ଥନା  କରାଯାଇଥିଲା । ଆସନ୍ତା ରାମନବମୀ ତିଥିରେ ରଥ କାଠ ଚିରଟ ପ୍ରକ୍ରିୟା ଆରମ୍ଭ କରାଯିବ । ରଥ ନିର୍ମାଣ ପାଇଁ ମୋଟ ୮୬୫ ଖଣ୍ଡ କାଠର ଆବଶ୍ୟକତା ରହିଛି । ପୂର୍ବ ବର୍ଷରୁ  ଶ୍ରୀମନ୍ଦିର ପ୍ରଶାସନ ପାଖରେ ୬୯ ଖଣ୍ଡ କାଠ ମହଜୁଦ୍ ଅଛି । ଅବଶିଷ୍ଟ ୭୯୬ ଖଣ୍ଡ କାଠ ନୟାଗଡ଼ ଓ ବୌଦ୍ଧ ବନଖଣ୍ଡରୁ ଅଣାଯିବ ।

ଗତ ୩ ଦିନ ପୂର୍ବରୁ ପ୍ରଥମ ପର୍ଯ୍ୟାୟରେ ୪୯ ଖଣ୍ତ ଅସନ ଓ ଧଉରା କାଠ ପୁରୀରେ ପହଞ୍ଚିଥିଲା । ରଥକାଠ ପୂଜାର୍ଚ୍ଚନା ଉତ୍ସବରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର, ଜିଲ୍ଲାପାଳ ସମର୍ଥ ବର୍ମା, ଆରକ୍ଷୀ ଅଧିକ୍ଷକ କନୱର ବିଶାଲ ସିଂ, ଶ୍ରୀମନ୍ଦିର ନୀତି ପ୍ରଶାସକ ଜିତେନ୍ଦ୍ର ସାହୁ, ଉନ୍ନୟନ ପ୍ରଶାସକ  ଅଜୟ ଜେନା, ରଥତତ୍ତ୍ୱବଧାରକ ସୁଦର୍ଶନ ମେକାପ, ଭୋଇ ସର୍ଦ୍ଦାର ରବି ଭୋଇ, ମୁଖ୍ୟ ଭୋଇ ସେବକ କାର୍ତ୍ତିକ ଭୋଇ ଏବଂ ରଥ ଅମିନ ଲକ୍ଷଣ ମହାପାତ୍ରଙ୍କ ସମେତ ଶ୍ରୀମନ୍ଦିର ପ୍ରଶାସନର ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.