Latest Odisha News

BREAKING NEWS

ଛଅକାଣ୍ଡର ରାମାୟଣ ଓ ନିର୍ଦ୍ଦୋଷ ରାମ

ରାମ ନବମୀ ଉପଲକ୍ଷେ ଅସିତ କୁମାର ପଣ୍ଡାଙ୍କ ଆଲେଖ୍ୟ 

ପୁରୁଷୋତ୍ତମ ଶ୍ରୀରାମଙ୍କୁ ସନାତନ ଧର୍ମ ରେ ବିଷ୍ଣୁଙ୍କ ସପ୍ତମ ଅବତାର ବୋଲି ଗ୍ରହଣ କରାଯାଏ । ଆଜି ବି ସତ୍ୟ ଧର୍ମ ନ୍ୟାୟଦ୍ୱାରା ପ୍ରଜାମାନଙ୍କୁ ଉତ୍ତମ ଶାସନ ପ୍ରଦାନ କରିବା ଅର୍ଥରେ ରାମ ରାଜ୍ୟର ପରିକଳ୍ପନା କରାଯାଏ । କହିବା ବାହୁଲ୍ୟ ରାମ ରାଜ୍ୟରେ କାହା ପ୍ରତି ଅନ୍ୟାୟ ହେବାର ପ୍ରଶ୍ନ ହିଁ ଉଠେ ନାହିଁ । ସେ କ୍ଷେତ୍ରରେ ଯାହାଙ୍କ ନ୍ୟାୟ ନୀତି ଧର୍ମ ଆଧାରରେ ଏ ପରି କଳ୍ପନା ସେହି ରାଜା ରାମ ଯେ ନିଜ ଗର୍ଭବତୀ ପତ୍ନୀଙ୍କୁ ନିର୍ବାସନ ଦଣ୍ଡ ଦେବେ ତାହା କେବେ ବି ତାର୍କିକ ଲାଗେ ନାହିଁ। କିନ୍ତୁ ଅଧୁନା ବହୁ ମାତ୍ରାରେ ଏହି ଘଟଣାକୁ ନେଇ ଶ୍ରୀରାମଙ୍କ ଚରିତ୍ରକୁ କଦର୍ଥ କରିବାର ଦେଖିବାକୁ ମିଳେ । ପ୍ରକୃତ ସତ୍ୟ କ’ଣ ଜାଣିବାର ସଂଶୟ କେବେ କାହା ମନରେ ଏଥିପାଇଁ ଉଠିଛି କି ? ଯେଉଁ ରାମଙ୍କୁ ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମ ବୋଲି ଆଖ୍ୟା ଦିଆ ଯାଏ ସେ ଏଭଳି ମର୍ଯ୍ୟାଦା ହୀନ କାର୍ଯ୍ୟ କରି ପାରିଲେ କିପରି ? ଏହା ପଛରେ ରହସ୍ୟ କଣ ? କାରଣ ଭଗବାନ ରାମଙ୍କ ଉପରେ ଏ ଲାଞ୍ଛନା କେହି ନିଜ ମନକୁ ଲଗାଉ ନାହାନ୍ତି । ଉତ୍ତର ରାମାୟଣରେ ଏହା ବର୍ଣ୍ଣିତ ଅଛି କେମିତି ଜଣେ ରଜକ ଦମ୍ପତ୍ତିଙ୍କ କଳହ ସମାଧାନ ରାଜସଭାରେ କରିବା ଅବସରରେ ରାଣୀ ସୀତାଙ୍କୁ ରାଜା ରାମଙ୍କ ଦ୍ୱାରା ଗ୍ରହଣ କରିବା ଉପରେ ପ୍ରଶ୍ନ ଉଠିଥିଲା । ଆଉ ଏଥିରେ ବ୍ୟଥିତ ହୋଇ ରାମ ପ୍ରଜାଙ୍କ ଖୁସି ପାଇଁ ସୀତାଙ୍କୁ ପରିତ୍ୟାଗ କରିଥିଲେ । ସେ ସମୟରେ ଗର୍ଭବତୀ ଥିବା ମାତା ସୀତାଙ୍କୁ ଲକ୍ଷ୍ମଣ ନେଇ ବଣରେ ଛାଡି ଦେଇ ଆସିଥିଲେ ଯେଉଁଠି ବାଲ୍ମିକୀଙ୍କ ଆଶ୍ରମ ଆଶ୍ରିତା ରହି ସେ ଲବ କୁଶ ଙ୍କୁ ଜନ୍ମ ଦେଇଥିଲେ । ଏ ସବୁ ଘଟଣା ଆମେ ଉତ୍ତର ରାମାୟଣରେ ଟିଭି ସିରିଏଲରେ ବି ଦେଖିଛୁ କିଛି ବିଭିନ୍ନ ନାଟକ ଓ ପୁସ୍ତକରୁ ମଧ୍ୟ ପଢିଛୁ । ରାମାୟଣ ସାତ କାଣ୍ଡ ଭିତରୁ ସପ୍ତମ କାଣ୍ଡ ଏହି ଉତ୍ତର କାଣ୍ଡ । କିନ୍ତୁ ପ୍ରକୃତରେ କଣ ଏହା ସତ୍ୟ ?

ଯଦି କେହି କହେ ମୂଳତଃ ରାମାୟଣ ସାତ କାଣ୍ଡ ନୁହେଁ ଛଅ କାଣ୍ଡ ବିଶିଷ୍ଟ । ଆପଣ ବିଶ୍ୱାସ କରିବେ କି ? କେବେ ବି କରିବେ ନାହିଁ । ଏହାର ପ୍ରାମାଣିକତା ଉପରେ ପ୍ରଶ୍ନ କରିବେ । କରିବା ବି ଉଚିତ । ଆମ ସନାତନ ଧର୍ମର ସଂସ୍କୃତି ଜିଜ୍ଞାସାକୁ ସମ୍ମାନ ଦିଏ । ପ୍ରତିଟି ବିଷୟ ଉପରେ ଏହି ଜିଜ୍ଞାସା ହିଁ ଆମ ପୂର୍ବ ପୁରୁଷଙ୍କୁ ଏତିକି ଜ୍ଞାନ ପ୍ରଦାନ କରି ପାରିଥିଲା ଯେ ହଜାର ହଜାର ବର୍ଷ ପୂର୍ବରୁ ଭାରତ ଭୂଖଣ୍ଡ ଜ୍ଞାନର ଏକମାତ୍ର ପେଣ୍ଠ ସ୍ଥଳୀ ହୋଇପାରିଥିଲା । ଯେତେବେଳେ ଏ ବିଶ୍ୱର ଅନ୍ୟ ପ୍ରାନ୍ତରେ ମଣିଷମାନେ ଭାଷା କଣ ଜାଣି ନଥିଲେ ଆଦ୍ୟ ସଭ୍ୟତାର ସ୍ପର୍ଶ ବି ସେମାନଙ୍କୁ ହୋଇନଥିଲା ଭାରତ ଭୂଖଣ୍ଡରେ ରାମାୟଣ ମହାଭାରତ ଭଳି ମହାକାବ୍ୟ ରଚନା ହୋଇ ସାରିଥିଲା । ଏଣୁ ଆମେ ଆମର ସେଇ ଜିଜ୍ଞାସୁ ବିଜ୍ଞ ସଂସ୍କୃତିର ଦାୟାଦ ଭାବେ ବିନା ତଥ୍ୟ ପ୍ରମାଣ ରେ କିଛି କଥା କୁ ଗ୍ରହଣ କରିବା ବି ଉଚିତ ନୁହେଁ । କିନ୍ତୁ ଯଦି ତଥ୍ୟ ଆଉ ପ୍ରମାଣ ସହ ସାବ୍ୟସ୍ତ କରାଯାଏ ଯେ ରାମାୟଣ ସାତ କାଣ୍ଡ ନୁହେଁ ଛଅ କାଣ୍ଡ ବୋଲି ତା ହେଲେ ତାହା ମଧ୍ୟ ଗ୍ରହଣ କରିବାକୁ ସଙ୍କୋଚ କରିବା ଉଚିତ ନୁହେଁ ।

ରାମୟଣର ପ୍ରକାର ଭେଦ :

ଏମିତି ତ ଭାରତରେ ରାମାୟଣ ଭିନ୍ନ ଭିନ୍ନ ଭାଷା ଭିନ୍ନ ଭିନ୍ନ ରୂପରେ ଉପଲବ୍ଧ । ତୁଳସୀ ଦାସଙ୍କ ରାମ ଚରିତ ମାନସ ହେଉ କି ବଙ୍ଗଳାର କୃତିବାସ ରାମାୟଣ ହେଉ । କମ୍ବୁ ରାମାୟଣ, ରଙ୍ଗନାଥ ରାମାୟଣ ,ଅଧ୍ୟାତ୍ମ ରାମାୟଣ,କୁମୁନ୍ଦେଦୁ ରାମାୟଣ , ଜଗମୋହନ ରାମାୟଣ, ଭବାର୍ଥ ରାମାୟଣ ରାମାବତାରଂ ଚରିତମ ଆଦି ଭାରତରେ ପାଖାପାଖି ତିନିଶହ ପ୍ରକାରର ରାମାୟଣ ଉପଲବ୍ଧ । ପ୍ରଥମେ ଆଲୋଚନା କରିବା ଏଥିରୁ କେଉଁ ରାମାୟଣକୁ ସର୍ବାଧିକ ଯଥାର୍ଥ ବା ଭରସା ଯୋଗ୍ୟ ବୋଲି ଗ୍ରହଣ କରାଯିବ । ଅନ୍ୟ ସମସ୍ତ ରାମାୟଣର ରଚୟିତାମାନେ ଏକଥା ସ୍ୱୀକାର କରନ୍ତି ଯେ ବାଲ୍ମିକୀ ରାମାୟଣ ହିଁ ମୂଳ ରାମାୟଣ । ଏହି ମୂଳ ସଂକୃତ ରାମାୟଣର କଥାବସ୍ତୁକୁ ହିଁ ଅନ୍ୟମାନେ ନିଜସ୍ୱ ଶୈଳୀରେ ନିଜସ୍ୱ ଭାବନା ସହ ଲେଖିଛନ୍ତି । ଯେହେତୁ ମୂଳ କଥାବସ୍ତୁ ବାଲ୍ମିକୀ ଦ୍ୱାରା ଲିଖିତ ରାମାୟଣରୁ ଅନ୍ନିତ ତଥା ନିଜେ ବାଲ୍ମୀକି ରାମାୟଣରେ ବର୍ଣ୍ଣିତ ଶ୍ରୀରାମଙ୍କ ଚରିତ୍ରର ସମସାମୟିକ ଏଣୁ ଏହି ମୂଳ ସଂସ୍କୃତ ମହାକାବ୍ୟକୁ ହିଁ ସର୍ବୋତ୍ତମ ଓ ତଥ୍ୟାତ୍ମକ ବୋଲି ଗ୍ରହଣ କରିବାରେ ଦ୍ବିମତ ନାହିଁ । ତେବେ ପ୍ରଶ୍ନ ଆସେ ବାଲ୍ମିକୀଙ୍କ କୃତ ରାମାୟଣରେ ରାମାୟଣ ସାତ କାଣ୍ଡ କି ଛଅ କାଣ୍ଡ । ଯଦି ବାଲ୍ମିକୀଙ୍କ ରାମାୟଣ ଛଅ କାଣ୍ଡ ବୋଲି ପ୍ରମାଣିତ ହୋଇଯାଏ ତା’ ହେଲେ ସପ୍ତମ କାଣ୍ଡ ଉତ୍ତର କାଣ୍ଡ ହିଁ ଅବାସ୍ତବ ତଥା ସେଥିରେ ବର୍ଣ୍ଣିତ ରାମଙ୍କ ଦ୍ୱାରା ସୀତାଙ୍କ ପରିତ୍ୟାଗ ବିଷୟବସ୍ତୁ ର କୌଣସି ସତ୍ୟତା ନାହିଁ ବୋଲି ସ୍ୱତଃ ପ୍ରମାଣ ହୋଇଯିବ ।

ଯୁଦ୍ଧ କାଣ୍ଡ ହିଁ ଶେଷ କାଣ୍ଡ :

ବାଲ୍ମିକୀ ରାମାୟଣରେ ରାମାୟଣର ବିଷୟ ବସ୍ତୁଗୁଡିକୁ ଘଟଣା କ୍ରମ ଅନୁସାରେ ଭିନ୍ନ ଭିନ୍ନ କାଣ୍ଡରେ ବିଭକ୍ତ କରାଯାଇଛି । ଯେମିତି ଆଦ୍ୟ ଭାଗ ବାଳ କାଣ୍ଡ । ଯେଉଁଥିରେ ଶ୍ରୀରାମଙ୍କ ଜନ୍ମ ବୃତ୍ତାନ୍ତ ବର୍ଣ୍ଣନା କରା ଯାଇଛି । ଦ୍ଵିତୀୟ କାଣ୍ଡ ଅଯୋଧ୍ୟା କାଣ୍ଡରେ ରାମ ତଥା ଅନ୍ୟ ଭାଇମାନଙ୍କ ଶିକ୍ଷା ସମାପନ ବିବାହ ଆଦିର ବର୍ଣ୍ଣନା ଆସେ । ତୃତୀୟରେ ଅରଣ୍ୟ କାଣ୍ଡ ଏଥିରେ ମାତା କୈକେଇଙ୍କ ଇଛା ଅନୁରୂପ ରାମଙ୍କ ବନ ଗମନ ପ୍ରକରଣ ଆସେ । ବଣରେ ରାମ ଲକ୍ଷ୍ମଣ ଓ ସୀତାଙ୍କ ଜୀବନ ଯାପନ ଓ ରାବଣ ଦ୍ୱାରା ସୀତାଙ୍କ ହରଣ ଏହି କାଣ୍ଡରେ ବର୍ଣ୍ଣିତ । ଚତୁର୍ଥ କାଣ୍ଡ କିଷ୍କିନ୍ଧ୍ୟା କାଣ୍ଡ । ଏଥିରେ ରାମଙ୍କ ହନୁମାନ ଙ୍କ ସହ ସାକ୍ଷାତ ଓ ସୁଗ୍ରୀବଙ୍କ ସହ ବନ୍ଧୁତା ଓ ବାଲି ବଧ ଆଦି ପ୍ରସଙ୍ଗ ଆସେ । ପାଞ୍ଚମ୍ କାଣ୍ଡ ସୁନ୍ଦର କାଣ୍ଡ ଏଥିରେ ବାନର ସେନା ଦ୍ୱାରା ସୀତାଙ୍କ ଅନ୍ୱେଷଣ, ହନୁମାନଙ୍କ ଦ୍ଵାରା ଅଶୋକ ବନରେ ସୀତା ଦର୍ଶନ ଓ ଲଙ୍କା ଦହନ ଆଦି ବିଷୟ ଆସେ । ଷଷ୍ଠ କାଣ୍ଡ ଯୁଧ୍ୟ କାଣ୍ଡ ବା ଲଙ୍କା କାଣ୍ଡ । ଯେଉଁଥିରେ ଶ୍ରୀରାମଙ୍କ ଦ୍ଵାରା ଲଙ୍କା ଉପରେ ଆକ୍ରମଣ ସମସ୍ତ ଅସୁରଙ୍କ ବିନାଶ ପରେ ମାତା ସୀତାଙ୍କ ସହ ଅଯୋଧ୍ୟା ପ୍ରତ୍ୟାବର୍ତ୍ତନ ଓ ରାମଙ୍କ ସୁଖରେ ରାଜ୍ୟ ଶାସନ ବିଷୟରେ ବର୍ଣ୍ଣନା କରି ବିଷୟ ବସ୍ତୁକୁ ସେଇଠି ହିଁ ସମାପ୍ତ କରା ଯାଇଛି ।

ଯୁଧ୍ୟ କାଣ୍ଡ ର ୧୨୮ସର୍ଗରେ ଶ୍ରୀରାମଙ୍କ ରାଜ୍ୟାଭିଷେକ ବିଷୟରେ ବର୍ଣ୍ଣନା କରି ରାମାୟଣକୁ ଏକ ସୁଖଦ ଅନ୍ତ ଦିଆ ଯାଇଛି । ରାଜ୍ୟାଭିଷେକ ପରେ ବିଭୀଷଣ ଲଙ୍କା କୁ ଓ ସୁଗ୍ରୀବ କିଷ୍କିନ୍ଧ୍ୟା ପ୍ରତ୍ୟାବର୍ତ୍ତନ କରନ୍ତି । ଭରତକୁ ସେନାପତି କରି ଶ୍ରୀରାମ ସହସ୍ର ବର୍ଷ ପର୍ଯ୍ୟନ୍ତ ସୁଖରେ ଶାସନ କରନ୍ତି ।
ଷଷ୍ଠ କାଣ୍ଡ/୧୨୮ ସର୍ଗ/୯୫ ଶ୍ଲୋକ ରେ ବାଲ୍ମିକୀ ଲେଖିଛନ୍ତି

“ରାଜ୍ୟ ଦଶସହସ୍ରାଣୀ ପ୍ରାପ୍ୟ ବର୍ଷାଣିରାଘବ ।
ଶତାସ୍ବମେଧାନା ଜହ୍ନେ ସଦଶ୍ୱାନ୍ ଭୁରିଦକ୍ଷିଣାନ୍।।”

ଶ୍ରୀରାମଙ୍କ ରାଜ୍ୟ ଶାସନ ଉପରେ ଏମିତି ବର୍ଣ୍ଣନା ୧୨୮ ସର୍ଗ ରେ ଶ୍ଳୋକ ନଂ ୯୫ ରୁ ୧୦୬ ମଧ୍ୟରେ ବର୍ଣ୍ଣିତ ଅଛି । ତତ୍ପରେ ୧୦୭ ନଂ ଶ୍ଲୋକରୁ ଆଗକୁ ଯାହା ସବୁ ଅଛି ତାହା ଜାଣିଦେଲେ ପାଠକଙ୍କ ସନ୍ଦେହ ଦୂର ହୋଇଯିବ ନିଶ୍ଚୟ । ଶ୍ଲୋକ ୧୦୭ ରୁ ୧୨୩ ଭିତରେ ବହୁ ବଳିଷ୍ଠ ପ୍ରମାଣ ମିଳେ ଯେ ସେଇଠାରେ ହିଁ ବାଲ୍ମିକୀଙ୍କ ରାମାୟଣ ସମାପ୍ତ ହେଲା ବୋଲି ।

ଯେମିତି ୧୧୯ ନମ୍ବର ଶ୍ଲୋକ

“ରାମାୟଣମିଦଂ କୃତ୍ସ୍ନମ୍ ଶୃଣ୍ୱତଃ ପଠତଃ ସଦା ।
ପ୍ରିୟତି ସତତଂ ରାମଃ ସହି ଵିଷ୍ଣୁ୍ଃ ସନାତନଃ ।।”(୬/୧୨୮/୧୧୯)

ଅର୍ଥାତ ଏହି ସମ୍ପୂର୍ଣ ରାମାୟଣ ପାଠନ ଓ ଶ୍ରବଣ କରିବା ବ୍ୟକ୍ତି ରାମଙ୍କ ପ୍ରିୟ ଭାଜନ ହେବ । ଏଠାରେ ବାଲ୍ମିକୀ ସ୍ପଷ୍ଟ କରୁଛନ୍ତି ଯେ ଏହାହିଁ କୃତ୍ସ୍ନମ୍ ରାମାୟଣ ବା ସମ୍ପୂର୍ଣ୍ଣ ରାମାୟଣ ।

ଏହି ସର୍ଗର ୧୨୧ ନମ୍ବର ଶ୍ଲୋକରେ ଏହାକୁ ଆହୁରି ସ୍ପଷ୍ଟ କରୁଛନ୍ତି

“ଏବମେତତ୍ ପୁରା ବୃତ୍ତମାଖ୍ୟାନଂ ଭଦ୍ରମସ୍ତୁଵଃ ।
ପ୍ରବ୍ୟାହରତ ବିଶ୍ରଵ୍ଧଂ ଵଳଂ ଵିଷ୍ଣୋଃ ପ୍ରବର୍ଦ୍ଧତାମ୍।।”(୬/୧୨୮/୧୨୧)

ଅର୍ଥାତ ଏହି ଇତିହାସ ସମ୍ପୂର୍ଣ୍ଣ ହେଲା । ଏହାକୁ ଏମିତି ହିଁ ଗାନ କରାଯାଉ । ଏହାକୁ ଗାନ କରିବା ଓ ଶ୍ରବଣ କରିବା ଲୋକର ସମୃଦ୍ଧି ହେଉ । ଶ୍ଲୋକ ନମ୍ବର ୧୦୭ ରୁ ଆରମ୍ଭ ହୋଇଯାଏ ଏମିତି ଫଳ ଶୃତି । ଯାହା ଆଉ ଏକ ପ୍ରମାଣ ଯେ ରାମାୟଣ ସେହି ଷଷ୍ଠ କାଣ୍ଡରେ ହିଁ ସମାପ୍ତ ହୋଇଗଲା ବୋଲି । ପ୍ରଶ୍ନ ଉଠିବ ଫଳ ଶୃତି କେମିତି ପ୍ରମାଣିତ କରିବ ଯେ ଆଗକୁ ଆଉ ବାଲ୍ମିକୀ କିଛି ଲେଖି ନାହାନ୍ତି ବୋଲି ।

ଫଳ ଶ୍ରୁତି ହିଁ ସମାପ୍ତିର ପ୍ରମାଣ :

ଫଳ ଶ୍ରୁତି ଅର୍ଥାତ ଶୁଣିବାର ଫଳ । ଏ କଥା ପଢିବା କିମ୍ବା ଶୁଣିବା ଦ୍ୱାରା କଣ ଶୁଭ ଫଳ ମିଳିଥାଏ ତାହା ହିଁ ଫଳ ଶ୍ରୁତି । ବୈଦିକ ଯୁଗରୁ ପ୍ରତ୍ୟକ ଆସ୍ତିକ ଗ୍ରନ୍ଥର ସମାପ୍ତି ଫଳଶ୍ରୁତିରେ ହିଁ ହୁଏ । ଏ ବିଷୟରେ ଧର୍ମ ଗ୍ରନ୍ଥ ଉପରେ ସାଧାରଣ ଧାରଣା ଥିବା ବ୍ୟକ୍ତି ବି ଭଲ ଭାବେ ଅବଗତ । ସପ୍ତଶତୀ ଚଣ୍ଡୀ ହେଉ କି ବିଷ୍ଣୁ ସହସ୍ରାନାମ ହେଉ । ଭାଗବତ ହେଉ କି ହନୁମାନ ଚାଲିଶା । ପାଠ ଶେଷରେ ତାର ଫଳଶ୍ରୁତି ପାଠ କରାଯାଏ ଯାହା ସେଇ ପାଠର ଶେଷରେ ହିଁ ରହେ । ଯେମିତି ହନୁମାନ ଚାଲିଶା ପାଠର ଶେଷ କେଇ ପଦରେ ଏହି ହନୁମାନ ଚାଲିଶା ପାଠ ର ଫଳଶ୍ରୁତି ଅଛି । ଯେମିତି

“ଜୋ ଶତବାର ପାଠକରେ କୋଇ।ଛୁଟହି ବନ୍ଦୀ ମହାସୁଖ ହୋଇ ।।
ଜୋ ୟାହ ପଢେ ହନୁମାନ ଚାଲିଶା । ହୟ ସିଦ୍ଧି ସାକ୍ଷୀ ଗୌରୀଶା “

ସେମିତି ଓଡ଼ିଶାର ଘରେ ଘରେ ପ୍ରଚଳିତ ତ୍ରିନାଥ ମେଳା ଗୀତର ଶେଷରେ ସେହି ତ୍ରିନାଥ ମେଳା କଥା ପଢ଼ୁଥିବା ଶୁଣୁଥିବା ଲୋକ ଙ୍କ ପାଇଁ ଏମିତି ଫଳଶ୍ରୁତି ଅଛି ।

“ଏ ଗୀତ ଯେଜନ ଶୁଣିବେ । ଅନ୍ନ କଷ୍ଟରୁ ଦୂର ହେବେ ।।
ଅପୁତ୍ରୀ ସ୍ତ୍ରୀ ପୁତ୍ର ପାନ୍ତି । ଶ୍ରଦ୍ଧାରେ ଯେ ଜନ ଶୁଣନ୍ତି ।।”

ଏମିତି ସବୁ ଗ୍ରନ୍ଥ , ପୁରାଣ , ଶାସ୍ତ୍ର ଅବା ସୂକ୍ତର ସମାପନରେ ହିଁ ତାହାର ଫଳଶ୍ରୁତି ଦିଆ ଯାଇଥାଏ । ମହର୍ଷି ବାଲ୍ମିକୀ ତାଙ୍କ ରାମାୟଣର କୌଣସି କାଣ୍ଡରେ ଫଳଶ୍ରୁତି ଲେଖି ନଥିବା ବେଳେ ଷଷ୍ଠ କାଣ୍ଡ ବା ଯୁଧ୍ୟ କାଣ୍ଡର ଶେଷରେ ଫଳ ଶ୍ରୁତି ଲେଖିବାର ଅର୍ଥ ସେ ସେଇଠାରେ ହିଁ ରାମାୟଣ କୁ ସମାପ୍ତ କରିଛନ୍ତି । ଏହା ଏକ ବଳିଷ୍ଠ ଓ ଅକାଟ୍ୟ ପ୍ରମାଣ ଯେ ସପ୍ତମ କାଣ୍ଡ ଉତ୍ତରା କାଣ୍ଡ ତାଙ୍କ ଦ୍ୱାରା ରଚନା କରାଯାଇ ନାହିଁ ଏହା ପରବର୍ତ୍ତୀ ସମୟରେ ଯୋଡ଼ା ଯାଇଛି ଯାହାର ବିଷୟ ବସ୍ତୁ କପୋଳକଳ୍ପିତ ।ଏପରିକି ସନ୍ଥ କବି ତୁଳସୀ ଦାସ ଯଦିଓ ରାମଚରିତ ମାନସରେ ସପ୍ତମ ସୋପାନରେ ଉତ୍ତରକାଣ୍ଡର ବର୍ଣ୍ଣନା ଦେଇଛନ୍ତି ସେଥିରେ ବି ସେ କେବଳ ରାମଙ୍କ ରାଜ୍ୟ ଶାସନ ଓ ପ୍ରଜାଙ୍କୁ ଉପଦେଶ ପାଖରେ ହିଁ କଥାକୁ ସମାପ୍ତ କରିଛନ୍ତି ।ସୀତା ବର୍ଜନ ପ୍ରସଙ୍ଗ ସେଥିରେ ବି ଆସେ ନାହିଁ । ତୁଳସୀ ଦାସଙ୍କ କାଳଖଣ୍ଡକୁ ବି ବିଚାରକୁ ନେଲେ ସ୍ପଷ୍ଟ ହେଇ ଯାଏ ଯେ ଷୋଡଶ ଶତାବ୍ଦୀ ଯାଏଁ ଏସବୁ ଆମ ରାମାୟଣର ଅଂଶ ନଥିଲା ।

ଏହା ଛଡା ଭାଷାବିତମାନେ ସଂସ୍କୃତ ଶ୍ଲୋକମାନଙ୍କ ଭିତରେ ଥିବା ଭିନ୍ନତା ଦୃଷ୍ଟିରୁ ମଧ୍ୟ ଉତ୍ତରା କାଣ୍ଡର ରଚନା ଶୈଳୀ ଶବ୍ଦ ଓ ଭାବ ପୂର୍ବ ଛଅଟି କାଣ୍ଡଠାରୁ ସ୍ୱତନ୍ତ୍ର ବୋଲି ପ୍ରମାଣିତ କରି ସାରିଛନ୍ତି । ମହର୍ଷି ବାଲ୍ମିକୀ ରାମାୟଣରେ ଭିଭିନ୍ନ ସ୍ଥାନରେ ରାମଙ୍କୁ ପରମ ବିଷ୍ଣୁ ଓ ସର୍ବ ବିଗୁଣରୁ ମୁକ୍ତ ବୋଲି ଅବିହିତ କରିଥିବା ବେଳେ ଅଚାନକ ଉତ୍ତରା କାଣ୍ଡରେ ସୀତାଙ୍କ ସହ ସୁରାପାନ କରୁଥିବାର ଚିତ୍ରିତ କରିପାରିବେ କି? ଯାହା ସପ୍ତମ କାଣ୍ଡ ୪୨ ସର୍ଗ ର ୧୮ ତମ ଶ୍ଲୋକ ରେ ବର୍ଣ୍ଣିତ ଅଛି ଯେ ରାମ ସୀତାଙ୍କୁ “ମେରେୟକ ମଧୁ” ଅର୍ଥାତ ମଦିରା ପାନ କରାଉଛନ୍ତି । ଯାହା କେବେ ବି ବିଶ୍ୱାସ ଯୋଗ୍ୟ ନୁହେଁ । ସେମିତି ଏହି ସର୍ଗର ୨୨ତମ ଶ୍ଲୋକ ରେ ଶ୍ରୀରାମ ବେଶ୍ୟାମାନଙ୍କ ନୃତ୍ୟ ଉପଭୋଗ କରୁଥିବାର ବର୍ଣ୍ଣନା ଆସେ । ଜୀବନ ଯାକ ଏକପତ୍ନୀ ବ୍ରତ ଧାରଣ କରିଥିବା ଓ ତାଙ୍କୁ ପୁରୁଷୋତ୍ତମ ବୋଲି ଅବିହିତ କରୁଥିବା ବାଲ୍ମିକୀ ଉତ୍ତରା କାଣ୍ଡ ରେ ରାମଙ୍କୁ ବେଶ୍ୟାସକ୍ତ ବୋଲି ଅବିହିତ କରିବା ମନରେ ସନ୍ଦେହ ଆଣୁନାହିଁ କି ? କେବଳ ଅନୁମାନ କି ସନ୍ଦେହ ନୁହେଁ ଅପିତୁ ପଦ୍ମ ବିଭୂଷଣ ସ୍ୱାମୀ ରାମଭଦ୍ରାଚାର୍ଯ୍ୟ ମହରାଜ ଚାକ୍ଷ୍ୟୁଷ ତଥ୍ୟ ସହ ଏହା ପ୍ରମାଣ କରିଛନ୍ତି ଯେ ଏହି ଉତ୍ତରା କାଣ୍ଡ ମୂଳ ରାମାୟଣ ସହ ଦୁଇ ହଜାର ବର୍ଷ ପୂର୍ବେ ନଥିଲା । ଏହି କାଣ୍ଡକୁ ପରବର୍ତ୍ତୀ ସମୟରେ ମୂଳ ରାମାୟଣ ସହ ଯୋଡ଼ା ଯାଇଥିଲେ ବି ରଚନା କାଳରେ ଥିବା ସମୟ ର ତାରତମ୍ୟତା ସଂସ୍କୃତ ଭାଷାରେ ଲିଖିତ ଶ୍ଲୋକ ଗୁଡିକରୁ ମଧ୍ୟ ବାରି ହୋଇ ପଡୁଛି ।

ଆମମାନଙ୍କର ଅଳ୍ପ ଜ୍ଞାନ ପାଇଁ ହେଉ କି ସନାତନ ଧର୍ମରେ କଳଙ୍କ ଲଗେଇବା ପାଇଁ ଭିନ୍ନ ଭିନ୍ନ ଉପାୟରେ ଷଡ଼ଯନ୍ତ୍ର କରୁଥିବା ବ୍ୟକ୍ତିମାନଙ୍କ ଦ୍ୱାରା ପ୍ରଭାବିତ ହୋଇ ହେଉ ଆମ ମନରେ ବି ଭାବନା ଆସେ ପ୍ରଭୁ ରାମ ମାତା ସୀତାଙ୍କୁ ତ୍ୟାଗ କରିବା ଠିକ ହୋଇନି । ଜଣେ ଗର୍ଭବତୀ ସ୍ତ୍ରୀଙ୍କୁ ଏମିତି ବଣକୁ ପଠେଇବା ନିଶ୍ଚୟ ଅନ୍ୟାୟ । ଯଦିଓ ଏହା ପୂର୍ବରୁ ଏହି ଆଲେଖ୍ୟରେ ଉତ୍ତର ରାମାୟଣରେ ବର୍ଣ୍ଣିତ ଏହି ଘଟଣା ସମ୍ପୂର୍ଣ୍ଣ କପୋଲକଳ୍ପିତ ବୋଲି ତଥ୍ୟ ଦ୍ୱାରା ପ୍ରମାଣିତ କରା ଯାଇଛି ଏଠାରେ ଆଉ ଏକ ତାର୍କିକ ପ୍ରମାଣ ଦେବା ଉଚିତ ମନେ ହେଇଛି । ଯାହା ଦ୍ୱାରା ପାଠକେ ହୃୟଙ୍ଗମ କରିପାରିବେ ରାମଙ୍କ ସୀତାଙ୍କୁ ତ୍ୟାଗ କରିବା ସମ୍ପୂର୍ଣ୍ଣ ଅସମ୍ଭବ । ଆମେ ରାମାୟଣରେ ଗୋଟିଏ ସତ୍ୟ ଉପରେ ସମସ୍ତେ ଏକ ମତ ଯେ ଶ୍ରୀରାମ ପିତୃସତ୍ୟ ପାଲିବା ପାଇଁ ହିଁ ବନବାସ ସ୍ୱୀକାର କରିଥିଲେ । ଦଶରଥ ରାମଙ୍କୁ ବାରଣ କଲା ପରେ ମଧ୍ୟ ସେ ସ୍ୱ ଇଛା ରେ ବନବାସ କୁ ବାହାରିଥିଲେ କାରଣ ତାଙ୍କ ପିତା ବିମାତା କୈକେୟୀଙ୍କୁ ଯେଉଁ ଦୁଇ ବରଦାନର ବଚନ ଦେଇଥିଲେ ତାଙ୍କର ସେ ବଚନର ମର୍ଯ୍ୟାଦା ରକ୍ଷା କରିବା ପାଇଁ । ଏଣୁ ବଚନର ମହତ୍ଵ ସୂର୍ଯ୍ୟବଂଶୀ ରାମ ଚନ୍ଦ୍ରଙ୍କ ପାଇଁ କେତେ ଅଧିକ ତାହା ସମସ୍ତେ ଅନୁମାନ କରି ପାରୁଥିବେ ।

ତେଣୁ କହନ୍ତି : “ରଘୁକୂଳ ନୀତି ସଦା ଚଲି ଆଇ ।ପ୍ରାଣ ଯାଇ ପର ବଚନ ନଯାଇ ।”

ଏଣୁ ରାମ ଚନ୍ଦ୍ର କାହାକୁ କିଛି ବଚନ ଦେଇଥିଲେ ତାକୁ ଭାଙ୍ଗିବାର ପ୍ରଶ୍ନ ହିଁ ଉଠେ ନାହିଁ । ଏବେ ଆସିବା ବାଲ୍ମିକୀ ରାମାୟଣର ଯୁଧ୍ୟ କାଣ୍ଡର ସପ୍ତମ ସ୍ୱର୍ଗ ୪୨ ତମ ଶ୍ଲୋକକୁ । ଲଙ୍କାରେ ସୀତା ଅଗ୍ନିକୁ ପ୍ରବେଶ କଲା ପରେ ଅଗ୍ନୀ ତାଙ୍କର କିଛି ତ କ୍ଷତି କରି ପାରିନାହାନ୍ତି ବରଂ ଅଗ୍ନିଦେଵ ନିଁଜେ ସୀତାଙ୍କୁ ନିଷ୍କଳଙ୍କ ବୋଲି ଅବିହିତ କରି ରାମଙ୍କୁ ଗ୍ରହଣ କରିବାକୁ କହିଛନ୍ତି ଏବଂ ସେଠି ପ୍ରଭୁ ରାମ ଚନ୍ଦ୍ର ଅଗ୍ନି ଦେବଙ୍କୁ ବଚନ ପ୍ରଦାନ କରୁଛନ୍ତି ।

“ବିଶୁଦ୍ଧା ତ୍ରିଷୁ ଲୋକେଷୁ ମୈଥିଲି ଜନକାତ୍ମଜା ।
ନ ବିହାତୁ ମୟା ଶକ୍ୟା କୀର୍ତ୍ତିରାତ୍ମବତା ଯଥା ।।”

ଅର୍ଥାତ ଯେମିତି ଯଶବାନ ବ୍ୟକ୍ତି ନିଜ ର ଯଶ କୁ କେବେ ନିଜଠୁ ତ୍ୟାଗ କରେ ନାହିଁ ସେମିତି ତିନିଲୋକରେ ପବିତ୍ରା ସୀତା ଙ୍କୁ କେବେ ତ୍ୟାଗ କରିବି ନାହିଁ ।

ଯେଉଁ ବାଲ୍ମିକୀ ଷଷ୍ଠ କାଣ୍ଡରେ ରାମଙ୍କ ମୁଖରେ ଅଗ୍ନି ଦେବଙ୍କୁ ଏମିତି ବଚନ ଦେଉଛନ୍ତି ପରବର୍ତ୍ତୀ କାଣ୍ଡରେ ସେଇ ରାମଙ୍କ ଦ୍ୱାରା ନିଜ ବଚନ ଭାଙ୍ଗି କେମିତି ସୀତାଙ୍କୁ ତ୍ୟାଗ କରେଇବେ ? ଏହା ଜଣେ କାବ୍ୟକାର ଦ୍ୱାରା ସମ୍ଭବ କି ଯିଏ ନିଜ ସମ୍ପୂର୍ଣ କାବ୍ୟ ହିଁ ବଚନ ବଦ୍ଧତା ଉପରେ ପର୍ଯ୍ୟବେଶିତ କରି ରଚନା କରିଛନ୍ତି । ତାହେଲେ ଏଠାରେ ସବୁଠୁ ବଡ଼ ସଂଶୟ ଆସେ ଯଦି ବାଲ୍ମିକୀ ଉତ୍ତରାକାଣ୍ଡ ଲେଖି ନାହାନ୍ତି ତାହେଲେ ଏହା କେମିତି ଓ କେବେଠାରୁ ରାମାୟଣର ଅଂଶ ହେଲା । କେବେ ଓ କେମିତି ହେଲା ଯଦିଓ ତାହା ସଠିକ ଆକଳନ କରିବା ସମ୍ଭବ ନୁହେଁ ତେବେ ଏତିକି କୁହା ଯାଇପାରେ ଯେ ରାମାୟଣ ରଚନାର ବହୁ କାଳଖଣ୍ଡ ଅତିବାହିତ ହେବା ପରେ ହିଁ ଉତ୍ତର ରାମାୟଣ କୁ ସେଥିରେ ଯୋଗ କରାଯାଇଛି ଏବଂ ଏହି ସମୟତେ ଏହି କାଣ୍ଡର ରଚୟିତା ନିଜସ୍ୱ ଭାବନାରେ ତାହା ତାର୍କିକ ଦୃଷ୍ଟିରୁ କିମ୍ବା ସତ୍ୟତା ଦୃଷ୍ଟିରୁ କେତେ ଯୁକ୍ତିଯୁକ୍ତ ତାକୁ ବିଚାରକୁ ନ ନେଇ ରାମଚନ୍ଦ୍ରଙ୍କ ପରବର୍ତ୍ତୀ ଜୀବନ ଗାଥାକୁ ଯୋଡିଛନ୍ତି । ଏମିତି ନିଜସ୍ୱ ଭାବନାରେ କାବ୍ୟ ରଚନା କରିବାର ଅନେକ ଦୃଷ୍ଟାନ୍ତ ଆମ ସଂସ୍କୃତ ସାହିତ୍ୟରେ ଅଛି । ତାହା କାଳିଦାସଙ୍କ କୁମାର ସମ୍ଭବ ହେଉ କି ଭଟ୍ଟ ନାରାୟଣଙ୍କ ବେଣୀ ସଂହାର ନାଟକ ହେଉ । ଆମ ଓଡ଼ିଆରେ କବିବର ରାଧାନାଥ ରାୟଙ୍କ ଲିଖିତ ବାଣହରଣ ମଧ୍ୟ ଏକ ବଳିଷ୍ଠ ଉଦାହରଣ କାବ୍ୟକାରର ଏଭଳି ସ୍ୱତନ୍ତ୍ର ଦୃଷ୍ଟିଭଙ୍ଗୀର । ଯୁଦ୍ଧରେ କୌରବ ସେନାର ସେନାପତି ଭୀଷ୍ମଙ୍କ ନିଷ୍ଠା ଉପରେ ଦୁର୍ଯୋଧନ ପ୍ରଶ୍ନ ଚିହ୍ନ ଲଗେଇବା ପରେ ପାଞ୍ଚ ପାଣ୍ଡବକୁ ମାରିବାକୁ ପାଞ୍ଚଟି ବାଣକୁ ପିତାମହ ଭୀଷ୍ମ ଅଭିମନ୍ତ୍ରିତ କରନ୍ତି । ପାଣ୍ଡବମାନଙ୍କ ପ୍ରାଣରକ୍ଷା ପାଇଁ କୃଷ୍ଣଙ୍କ ପରାମର୍ଶରେ ସେଇ ପାଞ୍ଚଟି ବାଣ ତାଙ୍କ ଶିବିରରୁ ଆଣିବା ଉଦ୍ଦେଶ୍ୟରେ ଅର୍ଜୁନ ଦୁର୍ଯୋଧନର ଛଦ୍ମ ରୂପ ଧରି ତାଙ୍କ ପାଖରେ ପହଞ୍ଚିବାର ଯୋଜନା କରନ୍ତି । ଆଉ ଏହି ଛଦ୍ମବେଶ ପାଇଁ ତାଙ୍କୁ ଦୁର୍ଯୋଧନର ମୁକୁଟର ଆବଶ୍ୟକତା ପଡ଼େ । ଦୁର୍ଯୋଧନର ମୁକୁଟ ନଥିଲେ ଭୀଷ୍ମଙ୍କ ଆଗରେ ଧରାପଡିବାର ସମ୍ଭାବନା ଅଛି ଜାଣି ଅର୍ଜୁନ ପ୍ରଥମେ ଦୁର୍ଯୋଧନଙ୍କଠୁଁ ତାଙ୍କର ମୁକୁଟ ଭିକ୍ଷା କରିବାକୁ ଯାଉଛନ୍ତି । ଯଦିଓ ରାଧାନାଥ ମହାଭାରତର ପୁଷ୍ଟଭୁମିକୁ ନେଇ ହିଁ ଏହା ରଚନା କରିଛନ୍ତି କିନ୍ତୁ ବ୍ୟାସଦେବଙ୍କ ମହାଭାରତ ରେ ଏଭଳି କିଛିଦେଖିବାକୁ ମିଳେନାହିଁ । ତା ଛଡା ଏଠି ବି ଏ କାହାଣୀ ତର୍କ ସଙ୍ଗତ ଲାଗେ ନାହିଁ । ପିତାମହ ଭୀଷ୍ମ ଉଭୟ ଅର୍ଜୁନ ଓ ଦୁର୍ଯୋଧନଙ୍କୁ ପିଲା ବେଳୁ ନିଜ କୋଳରେ ବଢ଼େଇ ଆସିଥିବେ । ଅଥଚ ସିଏ ଦୁଇ ନାତିକୁ ଚିହ୍ନିବାରେ ଭୁଲ କରିବେ ? ପୁଣି କେବଳ ଦୁର୍ଯୋଧନର ମୁକୁଟ ପିନ୍ଧିଦେଲେ ଭୀଷ୍ମ ଅର୍ଜୁନଙ୍କୁ ଦୁର୍ଯୋଧନ ବୋଲି ବିଶ୍ୱାସ କରି ପାଞ୍ଚ ବାଣ ତାଙ୍କ ହାତକୁ ଟେକିଦେବେ ଏହା ହାସ୍ୟାସ୍ପଦ ନୁହେଁ କି ? କିନ୍ତୁ ଆମ ଭିତରୁ ଅଧିକାଂଶ କେବଳ ରାଧାନାଥଙ୍କ ଏ ବାଣହରଣ ପଢ଼ିଛନ୍ତି ତାହା ନୁହେଁ ଅପିତୁ ଏହି କିମ୍ବଦନ୍ତୀକୁ ମହାଭାରତ ର ଏକ ଅଂଶ ବୋଲି ବିଶ୍ୱାସ ବି କରନ୍ତି ।

ଆମ ମାନଙ୍କର ସମସ୍ୟା ହେଲା ଆମେ ମୂଳ ମହାଭାରତ କି ରାମାୟଣ କେବେ ପଢିନୁ କି ପଢ଼ିବାର ସୁଯୋଗ ପାଉନାହୁଁ । ଏଣୁ ସହଜଲବ୍ଧ ପୁସ୍ତକ କିମ୍ବା ଟିଭି ଧାରାବାହିକ ଦେଖି ତାକୁହିଁ ପ୍ରକୃତ ସତ୍ୟ ବୋଲି ଧରିନେଉ ଯାହା ସବୁବେଳେ ସଠିକ ହୋଇ ନଥାଏ ।

ଯେମିତି ଆଜି ଆମ ସମାଜରେ ରାମାୟଣରେ ରାମଙ୍କ ଦ୍ୱାରା ଗର୍ଭବତୀ ପତ୍ନୀ ସୀତାଙ୍କୁ ରାଜ୍ୟରୁ ନିର୍ବାସିତ କରିବାର ଯେଉଁ କାହାଣୀ ପ୍ରଚଳିତ ତାହା ସମ୍ପୂର୍ଣ୍ଣ ଭୁଲ । ବାଲ୍ମିକୀଙ୍କ ରାମାୟଣ ଅନୁଆସାରେ ପୁରୁଷୋତ୍ତମ ଶ୍ରୀରାମ କେବେ ବି ପତ୍ନୀ ସୀତାଙ୍କୁ ତ୍ୟାଗ କରି ନାହାନ୍ତି । ଏଣୁ ଯେଉଁମାନେ ଏଭଳି କିମ୍ବଦନ୍ତୀକୁ ରାମାୟଣର ଅଂଶ ଭାବି ରାମଙ୍କୁ ଦୋଷାରୋପ କରନ୍ତି ସେମାନେ ଏଥିରୁ କ୍ଷାନ୍ତ ହେବା ଉଚିତ । ବିଶେଷ କରି ନାରୀବାଦର ଦ୍ୱାହି ଦେଇ ପ୍ରଭୁ ଶ୍ରୀରାମଙ୍କୁ ଜଣେ ପତ୍ନୀ ଉତ୍ପୀଡ଼ନକାରୀ ଭାବେ ଚିତ୍ରିତ କରୁଥିବା ବ୍ୟକ୍ତିମାନେ ଏଥିରୁ କ୍ଷାନ୍ତ ହେବା ଉଚିତ । କେବଳ କିମ୍ବଦନ୍ତୀ କିମ୍ବା ଲୋକକଥାରେ ବର୍ଣ୍ଣିତ କଥାବସ୍ତୁକୁ ମୂଳ ରାମାୟଣର କଥାବସ୍ତୁ ବୋଲି ଧରି ନନେଇ ଏ ବିଷୟରେ ଅଧିକ ଗହନ ଅଧ୍ୟୟନ କରିବା ଉଚିତ । ହୁଏତ ରାମାୟଣର ପ୍ରକୃତ ଅଧ୍ୟୟନ ଓ ମନନ କଲେ ସେମାନେ ବି ପାଇବେ ଯେ ରାମାୟଣ ମାତ୍ର ଛଅ କାଣ୍ଡ ଓ ପ୍ରଭୁ ରାମଚନ୍ଦ୍ର ସମ୍ପୂର୍ଣ୍ଣ ନିର୍ଦ୍ଦୋଷ ।

ଲେଖକ/ଗବେଷକ
୯୪୩୭୭ ୭୧୮୭୫
ବାଲିଆପାଳ, ବାଲେଶ୍ୱର

Comments are closed.