ଅନଲାଇନ୍ ଟ୍ୟାକ୍ସି ଚାଳକ ଓ ପୋଲିସ ମୁହାଁମୁହିଁ ଘଟଣା: ହିଂସାତ୍ମକ କାର୍ଯ୍ୟକଳାପକୁ ନିନ୍ଦା କଲା ବିଜେଡି, ପାଲଟା ଜବାବ ଦେଲା ବିଜେପି
ଭୁବନେଶ୍ୱର: ରାଜଧାନୀରେ ଅନଲାଇନ୍ ଟ୍ୟାକ୍ସି ଚାଳକ ସଂଘ ଓ ପୋଲିସ ମୁହାଁମୁହିଁ ଘଟଣାର ଗୋଟିଏ ଦିନ ପରେ, ଓଡ଼ିଶାରେ ବିରୋଧୀ ରାଜନୈତିକ ଦଳ ଏବଂ ଶାସକ ବିଜେପି ପରସ୍ପର ମୁହାଁମୁହିଁ ହୋଇଛନ୍ତି। ଏହି ଘଟଣାକୁ ନେଇ ବର୍ତ୍ତମାନ ରାଜନୈତିକ ବିବାଦ ସୃଷ୍ଟି ହୋଇଛି। ହିଂସା ପାଇଁ ବିଜୁ ଜନତା ଦଳ (ବିଜେଡି) ଏବଂ କଂଗ୍ରେସ ସରକାରଙ୍କୁ ଦାୟୀ କରିଥିବା ବେଳେ, ଶାସକ ବିଜେପି ଅଭିଯୋଗ କରିଛି ଯେ ବୁଧବାର ସହରରେ OLA, Uber ଏବଂ Rapido ଟ୍ୟାକ୍ସି ଡ୍ରାଇଭରମାନଙ୍କ ପ୍ରତିବାଦ ସମୟରେ ହିଂସାତ୍ମକ ଘଟଣା ପଛରେ ବିରୋଧୀ ଦଳର ହାତ ରହିଛି।
ଘଟଣାକୁ ନେଇ ବିଜୁ ଜନତା ନିଜ ପ୍ରତିକ୍ରିୟା ଦେଇ କହିଛି ଗଣତାନ୍ତ୍ରିକ ଆନ୍ଦୋଳନରେ ହିଂସାର କୌଣସି ସ୍ଥାନ ନାହିଁ। ହିଂସାତ୍ମକ କାର୍ଯ୍ୟକଳାପକୁ ବିଜେଡି ନିନ୍ଦା କରୁଛି। ଦଳର ମୁଖପାତ୍ର ତଥା ଗଣମାଧ୍ୟମ ସଂଯୋଜକ ଡ଼ ଲେନିନ ମହାନ୍ତି କହିଛନ୍ତି ଯେ, ବିଭିନ୍ନ ଦାବି ନେଇ ଓଲା, ଉବେର ଓ ରାପିଡୋ ଟ୍ୟାକ୍ସି ଚାଳକ ମାନେ ଭୁବନେଶ୍ୱରରେ ଆନ୍ଦୋଳନ କରିଥିଲେ। ଗତକାଲି ହୋଇଥିବା ଆନ୍ଦୋଳନରେ ଡ୍ରାଇଭରମାନେ ପୋଲିସ ସହ ମୁହାଁମୁହିଁ ହୋଇଥିଲେ। ମାଷ୍ଟରକ୍ୟାଣ୍ଟିନ ଛକରେ ପଥର ମାଡ଼, ଆମ ବସ୍ ଓ ପୋଲିସ ଗାଡ଼ି ଭଙ୍ଗାରୁଜା ଏବଂ ପୋଲିସ କର୍ମଚାରୀଙ୍କ ଉପରେ ଆକ୍ରମଣକୁ ବିଜୁ ଜନତା ଦଳ ଦୃଢ଼ ନିନ୍ଦା କରୁଛି। ଆଇନକୁ ହାତକୁ ନେଇଥିବା ବ୍ୟକ୍ତି ମାନଙ୍କ ବିରୋଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ହେବା ଆବଶ୍ୟକ। ଆନ୍ଦୋଳନ କରିବା ପାଇଁ ଏକ ସଙ୍ଗେ ୪୦୦ରୁ ୫୦୦ ଅଟୋ ଭୁବନେଶ୍ୱର ସହରର ପ୍ରମୁଖ ରାସ୍ତା ଉପରେ ଗାଡି ପାର୍କିଂ କରି ତାହାକୁ ବନ୍ଦ କରିଦେଲେ। କିନ୍ତୁ ଏହାର ଆଗୁଆ ଖବର ପୋଲିସ ପ୍ରଶାସନ ପାଖରେ ନଥିବା ସମସ୍ତଙ୍କୁ ଚକିତ କରିଛି।
ଆନ୍ଦୋଳନ ପୂର୍ବରୁ ଅନ୍ ଲାଇନ ଅଟୋ ଚାଳକ ସଂଘ ପରିବହନ ମନ୍ତ୍ରୀଙ୍କ ସହ ଆଲୋଚନା କରିଥିଲେ । ଏହାପରେ ଭୁବନେଶ୍ୱରରେ ୧ ଦିନ ଆନ୍ଦୋଳନ ପାଇଁ ଆବେଦନ କରିଥିବା ବେଳେ ପୋଲିସ ପ୍ରଶାସନ ମଧ୍ୟ ଅନୁମତି ପ୍ରଦାନ କରିଥିଲା । ପ୍ରଥମ ଦିନରେ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ କରାଯାଇଥିଲା । ଗୋଟେ ଦିନ ଆନ୍ଦୋଳନ ପାଇଁ ଅନ୍ ଲାଇନ ଅଟୋ ଚଳାକ ସଂଘ ଆବେଦନ କରିଥିବା ବେଳେ ଏହାର ପରଦିନ ଆନ୍ଦୋଳନକୁ ପୋଲିସ ପ୍ରଶାସନ କିପରି ଅନୁମତି ପ୍ରଦାନ କଲା, ତାହା ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି ।
ଡ଼ ମହାନ୍ତି ଆହୁରି କହିଥିଲେ ଯେ, ଚାଳକ ମାନେ ଭଡ଼ା ସଂଶୋଧନ, ଆପ୍ କମିଶନ ହ୍ରାସ, ସାମାଜିକ ସୁରକ୍ଷା ଭଳି ନ୍ୟାୟସଙ୍ଗତ ଦାବି ନେଇ ଆନ୍ଦୋଳନ କରୁଥିଲେ । ଅଗଷ୍ଟ ୧୭ରୁ ଚାଳକ ମାନେ ୩ ଦିନ ଧରି ଆନ୍ଦୋଳନ କରୁଥିବା ବେଳେ ସେମାନଙ୍କ ସହ ଆଲୋଚନା କରି ସମସ୍ୟାର ସମାଧାନ କରିବା ବଦଳରେ ରାଜ୍ୟ ସରକାର ନିରବ ରହିଲେ । ଯାହା ଫଳରେ ଅସନ୍ତୋଷ ବଢ଼ି ବଢ଼ି ମାଷ୍ଟର କ୍ୟାଣ୍ଟିନ, ଷ୍ଟେସନ୍ ସ୍କୋୟାର ଓ ଲୋୟର ପିଏମ୍ଜି ଅଞ୍ଚଳରେ ହିଂସାତ୍ମକ ରୂପ ନେଲା । ରେଳ ଷ୍ଟେସନ୍, ଏୟାରପୋର୍ଟ ଭଳି ଗୁରୁତ୍ୱପୂର୍ଣ୍ଣ ରାସ୍ତା ଅବରୋଧ କରିବା ପୂର୍ବରୁ ଗୁଇନ୍ଦା ବିଭାଗ ଏହା ଜାଣି ନ ପାରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ଏହା ସମ୍ପୂର୍ଣ୍ଣ ରୂପେ ଗୁଇନ୍ଦା ବିଭାଗର ବିଫଳତାକୁ ଦର୍ଶାଉଛି । ଗୃହ ବିଭାଗର ଦାୟିତ୍ୱ ମୁଖ୍ୟମନ୍ତ୍ରୀଙ୍କ ପାଖରେ ରହିଛି । ତେଣୁ ଏହି ବିଫଳତାର ଜବାବ ମୁଖ୍ୟମନ୍ତ୍ରୀଙ୍କୁ ଦେବାକୁ ପଡ଼ିବ।
ଅନ୍ୟଟେ ବିଜେଡି ଦ୍ୱାରା ଲଗାଯାଇଥିବା ଅଭିଯୋଗକୁ ଖଣ୍ଡନ କରି ଶାସକ ବିଜେପିର ନେତାମାନେ ଦାବି କରିଛନ୍ତି ଯେ ଅନଲାଇନ୍ ଟ୍ୟାକ୍ସି ଡ୍ରାଇଭରମାନଙ୍କ ପ୍ରତିବାଦ ସମୟରେ ହୋଇଥିବା ହିଂସା ବିଜେଡିର ଏକ ହାତ ଥିଲା। ହିଂସା ପାଇଁ ବିଜେଡି ଦାୟୀ ବୋଲି ଅଭିଯୋଗ କରି, ବିଜେପି ବିଧାୟକ ମନୋରଞ୍ଜନ ଦ୍ୟାନ ସାମନ୍ତରାୟ ଅଭିଯୋଗ କରିଛନ୍ତି ଯେ ବିରୋଧୀମାନେ ରାଜ୍ୟ ସରକାରଙ୍କୁ ବଦନାମ କରିବା ଏବଂ ପରିସ୍ଥିତିର ପରିଚାଳନା ବିଷୟରେ ଏକ ନକାରାତ୍ମକ ଧାରଣା ସୃଷ୍ଟି କରିବା ପାଇଁ ଜାଣିଶୁଣି କ୍ୟାବ୍ ଡ୍ରାଇଭରମାନଙ୍କ ଆନ୍ଦୋଳନ ନାମରେ ଏହି ଅଶାନ୍ତ ଘଟଣା ସୃଷ୍ଟି କରିଛନ୍ତି।

