Latest Odisha News

ପୂର୍ବୋଦୟ ସମ୍ଭାବନା ସମ୍ପର୍କିତ ଆନ୍ତର୍ଜାତିକ ଆଲୋଚନାଚକ୍ର: ‘ଗ୍ଲୋବାଲ୍ ବେଞ୍ଚମାର୍କ ସ୍ଥାପନ କରିବ ଓଡ଼ିଶା-ଧର୍ମେନ୍ଦ୍ର ପ୍ରଧାନ’

ଭୁବନେଶ୍ବର: ରାଜଧାନୀରେ ଆରମ୍ଭ ହୋଇଛି ପୂର୍ବୋଦୟ ସମ୍ଭାବନା ସମ୍ପର୍କିତ ଦୁଇ ଦିନିଆ ଆନ୍ତର୍ଜାତିକ ଆଲୋଚନା ଚକ୍ର। ଏହାର ଉଦଘାଟନୀ ଅବେଶନରେ ଯୋଗଦେଇଥିଲେ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। କାର୍ଯ୍ୟକ୍ରମରେ ଉଦବୋଧନ ଦେଇ କେନ୍ଦ୍ରମନ୍ତ୍ରୀ କହିଛନ୍ତି, ଓଡ଼ିଶା ଓ ପୂର୍ବ ଭାରତ ‘ବିକଶିତ ଭାରତ’ର ନେତୃତ୍ବ ନେବା ସହ ଗ୍ଲୋବାଲ୍ ବେଞ୍ଚମାର୍କ ତିଆରି କରିବ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୂର୍ବ ଭାରତର ସାମଗ୍ରିକ ବିକାଶ ପାଇଁ ପୂର୍ବୋଦୟକୁ ଗୁରୁତ୍ବ ଦେଉଛନ୍ତି। ଏହି ସମ୍ମିଳନୀ ପୂର୍ବ ଭାରତର ସାମଗ୍ରିକ ବିକାଶ ଏବଂ ସମୃଦ୍ଧି ଦିଗରେ ଆମର ସାମୂହିକ ପ୍ରୟାସର ଏକ ଅଂଶବିଶେଷ। ଅପାର ଖଣିଜ ସମ୍ପଦ, ଦକ୍ଷ ମାନବ ସମ୍ବଳ ଓ ଭୌଗୋଳିକ ଅବସ୍ଥିତି ସହ ପୂର୍ବୋଦୟ ମିଶନର ସବୁଠାରୁ ବଡ଼ ଲାଭାର୍ଥୀ ହୋଇଛି ଓଡ଼ିଶା ବୋଲି ସେ କହିଛନ୍ତି ।

ରାଜ୍ୟରେ ଦକ୍ଷତାର କୌଣସି ଅଭାବ ନାହିଁ । ଅତୀତରେ ଏଠାରେ ଅନେକ ବଡ ବଡ କୀର୍ତ୍ତିମାନ ସ୍ଥାପନ ହୋଇଛି ।ପ୍ରଧାନମନ୍ତ୍ରୀଙ୍କ ନେତୃତ୍ବରେ ‘ଆକ୍ଟ ଇଷ୍ଟ’ ନୀତିର ଯୁଗ ଆରମ୍ଭ ହୋଇଛି । ବିକଶିତ ଭାରତ ପାଇଁ ରୋଡ ମ୍ୟାପ ପ୍ରସ୍ତୁତ ହୋଇସାରିଛି ।

ବାଲିଯାତ୍ରା ଉତ୍ସବ ସମୟରେ ପୂର୍ବୋଦୋୟର ସମ୍ଭାବନାକୁ ନେଇ ଆଲୋଚନା ଚକ୍ର ସ୍ବାଗତଯୋଗ୍ୟ। ଗୌରବମୟ ବାଲିଯାତ୍ରା ହେଉଛି ଯୋଗାଯୋଗର ପ୍ରତୀକ। ପୂର୍ବୋଦୟ ଆଞ୍ଚଳିକ ଯୋଗାଯୋଗକୁ ପୁନରୁତ୍ଥାନ କରିବାର ଏକ ମିଶନ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି। ବିଶ୍ବର ୮୦୦ କୋଟି ଜନସଂଖ୍ୟା ମଧ୍ୟରୁ ପାଖାପାଖି ୧୦ କୋଟି ଲୋକ ପୂର୍ବାଞ୍ଚଳ ଏବଂ ଉତ୍ତର ପୂର୍ବ ରାଜ୍ୟସମୂହରେ ବସବାସ କରନ୍ତି। ନେପାଳ, ଭୁଟାନ, ମିଆଁମାର, ବାଂଲାଦେଶ ଅଞ୍ଚଳରେ ଥିବା ବନ୍ଦର ସଂଯୋଗୀକରଣ, ବୌଦ୍ଧିକ କ୍ଷମତାର ନେଟୱାର୍କି, ସମ୍ବଳ ପରିଚାଳନାର ଉପଯୋଗ କରି ଭାରତ ନିଶ୍ଚିତ ଭାବେ ଆଗକୁ ବଢିବ।

କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ବୈଦେଶିକ ବ୍ୟାପାର ଓ ସଂସଦୀୟ ରାଷ୍ଟ୍ର ମନ୍ତ୍ରୀ ଭି ମୂରଲିଧରନ। ଯୋଗାଯୋଗ, ସାମୁଦ୍ରିକ ବାଣିଜ୍ୟ ଓ ଅର୍ଥନୀତି କ୍ଷେତ୍ରରେ ଏହି ସମ୍ମିଳନୀ ରୋଡମ୍ୟାପ ପ୍ରସ୍ତୁତ କରିବାରେ ସହାୟକ ହେବ ବୋଲି ସେ କହିଛନ୍ତି। ପୂର୍ବ ଭାରତ ଏବଂ ଏହାର ପଡୋଶୀ ଦେଶଗୁଡ଼ିକ ବିଶ୍ବ ଦରବାରରେ ବିକଶିତ ହୋଇପାରିବ।

ଏହି ଅବସରରେ ଉତ୍ତର ପୂର୍ବ ଓ ପୂର୍ବାଞ୍ଚଳ ରାଜ୍ୟ ସମୂହରେ ନିଯୁକ୍ତି ସୁଯୋଗକୁ ତ୍ବରାନ୍ବିତ କରାଇବା ଦିଗରେ ଏନଏସଡିସି ସହ ବ୍ଲିନକିଟ୍, ଅପନା,କ୍ୟୁଇଜ୍ କ୍ରପ୍ ମଧ୍ୟରେ ପୃଥକ ପୃଥକ ତିନୋଟି ଏମଓୟୁ ସ୍ବାକ୍ଷରିତ ହୋଇଛି।

ପ୍ରଥମ ଅଧିବେଶନରେ ଆସାମର ମନ୍ତ୍ରୀ ଚନ୍ଦ୍ର ମୋହନ ପଟୋଓ୍ବାରୀ, ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ସଚିବ ସୌରଭ କୁମାର, ବାଂଲାଦେଶର ହାଇକମିଶନର ମୁସ୍ତାଫିଜୁର ରେହମାନ, ବୈଦେଶିକ ମନ୍ତ୍ରଣାଳୟର ସଚିବ(ଇଷ୍ଟ) ସୌରଭ କୁମାର, ବୈଜ୍ଞାନିକ ପଦ୍ମବିଭୂଷଣ ଡକ୍ଟର ଅନିଲ କାକୋଡକର, ସିଆଇଆଇର ସଭାପତି ଏବଂ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.