Latest Odisha News

BREAKING NEWS

ସୋଆରେ ଆନ୍ତର୍ଜାତିକ ଯୋଗ ଦିବସ ପାଳିତ

ଭୁବନେଶ୍ୱର: ଉତମ ଛାତ୍ର ହେବା ପାଇଁ ସୁସ୍ଥ ରହିବା ଆବଶ୍ୟକ । ସୁସ୍ଥ ଓ ନିରାମୟ ଜୀବନ ପାଇଁ ଯୋଗାଭ୍ୟାସର ଅନେକ ଆବଶ୍ୟକତା ରହିଛି ବୋଲି କହିଛନ୍ତି ବିଶିଷ୍ଟ ସ୍ନାୟୁଶଲ୍ୟ ବିଶେଷଜ୍ଞ ତଥା ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ପ୍ରମୁଖ ଉପଦେଷ୍ଟା (ସ୍ୱାସ୍ଥ୍ୟ ବିଜ୍ଞାନ) ପ୍ରଫେସର ଅଶୋକ କୁମାର ମହାପାତ୍ର ।

ବୁଧବାର ସୋଆରେ ନବମ ଆନ୍ତର୍ଜାତିକ ଯୋଗ ଦିବସ ପାଳନ ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରଫେସର ମହାପାତ୍ର କହିଛନ୍ତି ଯେ ଯୋଗ ଜୀବନର ଏକ ବିଶିଷ୍ଟ ଦର୍ଶନ । ପ୍ରାଚୀନ କାଳର ଏହି ଅଭ୍ୟାସକୁ ଆଜି ସାରା ଭାରତ ହୃଦୟଙ୍ଗମ କରି ଯୋଗ ଦିବସ ପାଳନ କରୁଛି ବୋଲି ସେ କହିଛନ୍ତି ।

ସୋଆ କ୍ୟାମ୍ପସ ୫ ର ଷ୍ଟାଡିୟମ ଠାରେ ଆୟୋଜିତ ଏହି ଯୋଗ ଦିବସ କାର୍ଯ୍ୟକ୍ରମରେ ବିଭିନ୍ନ ଅନୁଷ୍ଠାନର ଶତାଧିକ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ । ଏହି ଅବସରରେ ସୋଆର ଯୋଗ ପ୍ରଶିକ୍ଷକ ଅଖିଳ କୁମାର ରଣା ଛାତ୍ରଛାତ୍ରୀମାନଙ୍କୁ ବିଭିନ୍ନ ପ୍ରକାର ଯୋଗାଭ୍ୟାସ କରାଇଥିଲେ । ପ୍ରାତଃ ସମୟରେ ଛାତ୍ରଛାତ୍ରୀମାନଙ୍କ ଯୋଗାଭ୍ୟାସ ଏକ ଭିନ୍ନ ପରିବେଶ ସୃଷ୍ଟି କରିଥିଲା । ଆନ୍ତର୍ଜାତିକ ଯୋଗ ଦିବସ ପୂର୍ବରୁ ଇତି ମଧ୍ୟରେ ଆରମ୍ଭ ହୋଇଥିବା ୧୪ ଦିନିଆ ଯୋଗ ଶିବିର ବୁଧବାର ଉଦ୍‌ଯାପିତ ହୋଇଯାଇଛି ।

ଚଳିତ ବର୍ଷ ଆନ୍ତର୍ଜାତିକ ଯୋଗ ଦିବସର ଥିମ ରହିଛି “ ୟୋଗା ଫର୍ ବସୁଧୈବ କୁଟୁମ୍ବକମ୍‌” । ବିଶ୍ୱର ୧୯୩ଟି ଦେଶରେ ଏହି ଯୋଗ ଦିବସ ପାଳିତ ହେଉଛି । ଯୋଗ ଦ୍ୱାରା ମନ ଶାନ୍ତ ଓ ଶରୀର ସୁସ୍ଥ ରହିଥାଏ । ଶରୀରର ସୁରକ୍ଷା କବଚ ହେଉଛି ଯୋଗ । ଏହା ମାନସିକ ଓ ଆଧ୍ୟାତ୍ମିକ ଅଭିବୃଦ୍ଧିରେ ସହାୟକ ହୋଇଥାଏ । ଏହାର ଉପାଦେୟତାକୁ ଦୃଷ୍ଟିରେ ରଖି ପ୍ରତ୍ୟେକ ବର୍ଷ ଜୁନ ୨୧ ତାରିଖରେ ଆନ୍ତର୍ଜାତିକ ଯୋଗ ଦିବସ ପାଳନ କରାଯାଉଛି ।

ସୋଆରେ ଆୟୋଜିତ ଯୋଗ ଦିବସରରେ ଇନ୍‌ଷ୍ଟିଚ୍ୟୁଟ ଅଫ୍ ଏଗ୍ରିକଲଚରାଲ ସାଇନ୍‌ସେସ୍‌ର ଡିନ୍ ପ୍ରଫେସର ବିଜୟ କୁମାର ସାହୁ, ଛାତ୍ରମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ, ୟୁନିଭର୍ସିଟି ଆଉଟରିଚ୍ ପ୍ରୋଗ୍ରାମର ନିର୍ଦ୍ଦେଶକ ପ୍ରଫେସର ନଚିକେତା ଶର୍ମା ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.