Latest Odisha News

BREAKING NEWS

ସ୍କୁଲରେ ମଦ ପିଇ ମାତାଲ ଅବସ୍ଥାରେ ପଡି ରହିଲେ ଶିକ୍ଷକ: ସୋସିଆଲ ମିଡିଆରେ ଭିଡିଓ ଭାଇରାଲ

ବଲାଙ୍ଗୀର: ସ୍କୁଲରେ ମଦ ପିଇ ମାତାଲ ଅବସ୍ଥାରେ ପଡିରହିଲେ ଶିକ୍ଷକ । ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ ଲୁହାସିଂହା ପଞ୍ଚାୟତ ଅନ୍ତର୍ଗତ ଟେଙ୍ଗେରାପଥର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଦେଖିବାକୁ ମିଳିଛି ଏହି ଦୃଶ୍ୟ । ବିଦ୍ୟାଳୟରେ ଶିକ୍ଷକ ମଦ ପିଇ ମାତାଲ ହୋଇଥିବା ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ଟେଙ୍ଗେରାପଥର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଅଲେଖ ସେଠ୍ ଏବଂ ସହକାରୀ ଶିକ୍ଷକ ବଳରାମ ସାହୁଙ୍କ ବିରୁଦ୍ଧରେ ଆସିଛି ସାଙ୍ଘାତିକ ଅଭିଯୋଗ ।

ସୂଚନା ଅନୁଯାୟୀ ଗତ ରବିବାର ଦିନ ଟେଙ୍ଗରାପଥର ଗ୍ରାମର ଜଣେ ବ୍ୟକ୍ତିଙ୍କର ଏକ ବ୍ୟକ୍ତିଗତ କାର୍ଯ୍ୟକ୍ରମ ସ୍ଥାନୀୟ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସର ଭିତରେ ରଖା ଯାଇଥିଲା । ଉକ୍ତ ଭୋଜିରେ ମଦ ମାଂସ ଖାଇ ସ୍କୁଲର ପ୍ରଧାନ ଶିକ୍ଷକ ଅଲେଖ ସେଠ୍ ଏବଂ ସହକାରୀ ଶିକ୍ଷକ ବଳରାମ ସାହୁ  ଅଫିସ ଭିତରେ ବାନ୍ତି କରି  ମାତାଲ ହୋଇ ପଡି ରହିଥିଲେ । ସ୍କୁଲ ର କିଛି ଛାତ୍ର ଏହି ସବୁ ଦେଖି ସ୍କୁଲ କମିଟି ସଭାପତି ନରେନ୍ଦ୍ର ବିଶିଙ୍କୁ ଖବର କରିଥିବାବେଳେ ଏହି ସବୁ ଦୃଶ୍ୟକୁ ମୋବାଇଲରେ ସୁଟିଂ କରିଥିଲେ ।  କିଛି ସହକାରୀ ଶିକ୍ଷକ ଏବଂ ଛାତ୍ରଛାତ୍ରି ମାତାଲ ଶିକ୍ଷକଙ୍କୁ ଉଠାଇବାକୁ ଚେଷ୍ଟା କରିଥିଲେ । ହେଲେ ଶିକ୍ଷକ ଜଣକ ମଦ ନିଶାରେ ଏମିତି ଚୁର ଥିଲେ ଯେ ଠିକରେ ଉଠିପାରୁନଥିଲେ । ଶିକ୍ଷା ଭଳି ପବିତ୍ର ମନ୍ଦିରରେ ଜଣେ ଶିକ୍ଷକଙ୍କ ଏଭଳି କାର୍ଯ୍ୟକୁ ନେଇ ସାଧାରଣରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି ।

ସ୍କୁଲ କେବଳ ଶିକ୍ଷା ନୁହେଁ, ଏଠାରେ ପିଲାମାନେ ମଧ୍ୟ ସେମାନଙ୍କର ନୈତିକ ଦାୟିତ୍ୱ ବିଷୟରେ ଜାଣନ୍ତି। କିନ୍ତୁ ଯେତେବେଳେ ପିଲାମାନଙ୍କୁ ଗଢୁଥିବା ଶିକ୍ଷକ ଅସଭ୍ୟ ହୋଇଯାଆନ୍ତି ସେତେବେଳେ ଏହା ଚିନ୍ତାର ବିଷୟ ପାଲଟିଯାଏ । ଏନେଇ ଖପ୍ରାଖୋଲ ଗୋଷ୍ଠି ଶିକ୍ଷାଧିକାରୀ ଶଙ୍କର ମାଝୀଙ୍କ ପ୍ରତିକ୍ରିୟା ନେବାରୁ ଘଟଣା ସମ୍ପର୍କରେ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ।

Leave A Reply

Your email address will not be published.