Latest Odisha News

BREAKING NEWS

ଏବେ କେବଳ ଆଇପିଏଲ ଚିନ୍ତା

୨୦୦୭ ଦିନିକିଆ ବିଶ୍ୱକପ କ୍ରିକେଟରେ ଭାରତର ନୈରାଶ୍ୟଜନକ ପ୍ରଦର୍ଶନ କ୍ରିକେଟପ୍ରେମୀଙ୍କୁ ବ୍ୟଥିତ କରିଥିଲା । ଏହାର କିଛି ଦିନ ପରେ କ୍ରିକେଟର ନୂଆ ଫର୍ମାଟ ପାଦ ଥାପିଥାଏ । ଆଇସିସି ଟି୨୦ ବିଶ୍ୱକପ ପାଇଁ ଯୋଜନା କରିଥିଲା ଏବଂ ମହେନ୍ଦ୍ର ସିଂ ଧୋନୀଙ୍କ ନେତୃତ୍ୱରେ ଭାରତ ଚାମ୍ପିୟନ ହୋଇଥିଲା । ଏହି ଫର୍ମାଟ ହଠାତ ସମସ୍ତଙ୍କ ପସନ୍ଦ ପାଲଟି ଯାଇଥିଲା । ୨୦୦୭ରେ ଇଣ୍ଡିଆନ କ୍ରିକେଟ ଲିଗ ଆରମ୍ଭ ହୋଇଥିଲା । ବିସିିସିଆଇ ଓ ଆଇସିଏଲ ଆୟୋଜକ କମିଟି ମଧ୍ୟରେ ମତଭେଦ ହୋଇଥିଲା । ଶେଷରେ ବିସିସିଆଇ ଆଇପିଏଲର ଘୋଷଣା କରିଥିଲା । ୨୦୦୮ରେ ଏହାର ପ୍ରଥମ ସଂସ୍କରଣ ହୋଇଥିଲା । ଲଳିତ ମୋଦି ଏହାର ଜନକ ସାଜିଥିଲେ ।

ସେ ସମୟରେ ଖେଳାଳିଙ୍କ ବିକ୍ରିକୁ ଅନେକ ନାପସନ୍ଦ କରିଥିଲେ । ଏବେ ପରିସ୍ଥିତି ବଦଳି ଯାଇଛି ଖେଳାଳି ନିଜେ ବିକ୍ରି ହେବାକୁ ଚାହୁଁଛି । ବ୍ରେଣ୍ଡନ ମ୍ୟାକକୁଲାମ ବିସ୍ଫୋରକ ୧୫୮ ଆଇପିଏଲ ପ୍ରଶଂସକଙ୍କୁ ଏକ ନୂତନ ଉନ୍ମାଦନା ପ୍ରଦାନ କରିଥିଲା । ଚୌକା ଓ ଛକାର ଏହି କ୍ରିକେଟ ସିନେମା ଖୁବ କମ ଦିନରେ ତାର ଅଧିପତ୍ୟ ବିସ୍ତାର କରିଲା । ୨୦୦୦ ବେଳକୁ ବିସିସିଆଇ କ୍ରିକେଟ ଜଗତର ବସ ସାଜିଥିଲା । ଆଉ ଯାହା ଚାହିଁଲା ସେଥିରେ କିଛି ପ୍ରତିବନ୍ଧକ ରହିଲା ନାହିଁ । ବିଶ୍ୱ କ୍ରିକେଟ ମହାନ ଖେଳାଳିଙ୍କ ମଧ୍ୟରେ ମୁକାବିଲାକୁ କିଏ ବା ପସନ୍ଦ ନ କରିବ ?

ଫିଲ୍ମ ଶୋ ପରି ୩ ଘଂଟାରେ ଏହା ସରି ଯାଉଥିବାର ବ୍ୟସ୍ତବହୂଳ କ୍ରିକେଟପ୍ରେମୀ ବି ସନ୍ଧ୍ୟାବେଳେ ଘରେ ଏହାର ମଜା ଉଠାଇ ପାରିଥିଲେ । ଆଇପିଏଲ ଧୀରେ ଧୀରେ ତାର ସକାରାତ୍ମକ ପ୍ରଭାବ ମଧ୍ୟ ଛାଡିବାରେ ଲାଗିଥିଲା । ଅଟୋବାଲା, ରିକ୍ସାବାଲା, ଶ୍ରମିକଙ୍କର ପୁଅ ମଧ୍ୟ ଜାତୀୟ ଓ ଆନ୍ତର୍ଜାତୀୟସ୍ତରରେ ଏହା ମାଧ୍ୟମରେ ନିଜକୁ ପ୍ରତିଷ୍ଠିତ କରିପାରିଥିଲେ । ମହମ୍ମଦ ସିରାଜ, ସଞ୍ଜୁ ସାମସନ, ହାର୍ଦ୍ଦିକ ଓ କୃଣାଳ ପାଣ୍ଡ୍ୟା, ଯଶପ୍ରୀତ ବୁମରାହ, ଟିନଟରାଜନ, ଦୀପକ ଚାହର ଓ ଶାର୍ଦ୍ଦୁଳ ଠାକୁରଙ୍କ ପରି ଖେଳାଳି ଏହାର ଉଦାହରଣ ।

ଯୁବ ଖେଳାଳିଙ୍କ ପ୍ରତିଭା ଚିହ୍ନିବା ପାଇଁ ମଧ୍ୟ ଏହା ଏକ ବଡ ପ୍ଲାଟଫର୍ମ ସାବ୍ୟସ୍ତ ହୋଇଥିଲା । ଏହା ବ୍ୟତୀତ ଫର୍ମରେ ନ ଥିବା ଖେଳାଳିଙ୍କୁ ଆନ୍ତର୍ଜାତୀୟସ୍ତରକୁ ପ୍ରତ୍ୟାବର୍ତନ କରିବା ପାଇଁ ସୁଯୋଗ ସୃଷ୍ଟି କରିଲା । ଦୀନେଶ କାର୍ତିକ, ମହମ୍ମଦ ସାମୀ ଦୀର୍ଘ ଦିନ ପରେ ଦଳକୁ ଫେରି ପାରିଥିଲେ । କେବଳ ଭାରତରେ ନୁହେଁ ବିଦେଶୀ ଖେଳାଳିମାନେ ମଧ୍ୟ ଏହାର ଫାଇଦା ଉଠାଇଛନ୍ତି ।

ଏବେ ଆଇପିଏଲ ସାରା ବିଶ୍ୱରେ ତାର ଛାପ ଛାଡି ସାରିଛି । ତେବେ ଗ୍ଲାମର, ଅର୍ଥ ଓ ଲୋକପ୍ରିୟତା ପାଇଁ ଯୁବ ଖେଳାଳି ଅନ୍ୟ ଫର୍ମାଟରୁ ଦୂରେଇ ରହିବା ଏବେ ଏହା ପାଇଁ ଏକ ସମସ୍ୟା ସୃଷ୍ଟି କରିଛି । ଅବଶ୍ୟ ବିସିସିଆଇ ଏବଂ ଅନ୍ୟ ବୋର୍ଡ ଘରୋଇ କ୍ରିକେଟକୁ ଗୁରୁତ୍ୱ ନ ଦେଲେ ପତା କଟିଯିବ ବୋଲି ସାବଧାନ କରାଇ ଦେଇଛନ୍ତି । ଟି୨୦ ବିଶ୍ୱକପ ପୂର୍ବରୁ ଆଇପିଏଲ ଏହାର ରୋମାଂଚକୁ ନଷ୍ଟ କରିଦେବ ନାଁ ଆହୁରି ବଢ଼ାଇଦେବ ତାହା ଦେଖିବା କଥା ।

Leave A Reply

Your email address will not be published.