ମସ୍କାଟ୍: ଇରାନର ରିଭୋଲ୍ୟୁସନାରୀ ଗାର୍ଡମାନେ ସୋମବାର ରାତିରେ ଉପସାଗର ଅଞ୍ଚଳର ଏକ ଗୁରୁତ୍ୱପୂର୍ଣ୍ଣ ଜଳପଥ ହରମୁଜ୍ ପ୍ରଣାଳୀ ଦେଇ ପରିବହନ କରୁଥିବା ବାଣିଜ୍ୟିକ ଜାହାଜ ଉପରେ କ୍ଷେପଣାସ୍ତ୍ର ମାଡ଼ କରିଛନ୍ତି।
ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ବାଣିଜ୍ୟିକ ଜାହାଜ ଉପରେ ଅତି କମରେ ଦୁଇଟି କ୍ଷେପଣାସ୍ତ୍ର ନିକ୍ଷେପ କରାଯାଇଛି।
ଆମେରିକୀୟ ଅଧିକାରୀଙ୍କ ଅନୁଯାୟୀ, ଇରାନ କ୍ଷେପଣାସ୍ତ୍ର ଆକ୍ରମଣରେ ଦୁଇଟି ବାଣିଜ୍ୟିକ ଜାହାଜ ଗୁରୁତର କ୍ଷତି ପାଇଛି। ଯଦିଓ ଏହି ଆକ୍ରମଣରେ କେହି ମୃତାହତ କିମ୍ବା ଆହତ ହୋଇ ନାହାଁନ୍ତି। ତେବେ ଏହି ଘଟଣା ଉପରେ ଆମେରିକା କେନ୍ଦ୍ରୀୟ କମାଣ୍ଡ ଏପର୍ଯ୍ୟନ୍ତ କୌଣସି ସରକାରୀ ବିବୃତ୍ତି ଜାରି କରିନାହିଁ।
ୟୁକେ ସାମୁଦ୍ରିକ ବାଣିଜ୍ୟ ଏଜେନ୍ସି (ୟୁକେଏମଟିଓ) ମଙ୍ଗଳବାର ସକାଳେ ରିପୋର୍ଟ କରିଛି ଯେ ଓମାନର ଲିମାରୁ ପ୍ରାୟ ୧୫ କିଲୋମିଟର ଦୂରରେ ଦକ୍ଷିଣକୁ ଯାତ୍ରା କରୁଥିବା ଏକ ତୈଳ ଟ୍ୟାଙ୍କରରେ ଏକ ଅଜ୍ଞାତ କ୍ଷେପଣାସ୍ତ୍ର ମାଡ଼ ହୋଇଥିଲା।
ହରମୁଜ୍ ପ୍ରଣାଳୀରେ ଆକ୍ରମଣ ରୋକିବା ପାଇଁ ଆମେରିକା ଏବଂ ଇରାନ ମଧ୍ୟରେ ଏକ ସପ୍ତାହ ଧରି ହୋଇଥିବା ଚୁକ୍ତିର ଅବଧି ଶେଷ ହେବା ପରେ ଏହି ଆକ୍ରମଣ ହୋଇଛି। ସୁପ୍ରିମ ଲିଡର ଅଲ୍ଲି ଖାମନେଇଙ୍କ ଅନ୍ତିମ ସଂସ୍କାର କାର୍ଯ୍ୟକ୍ରମ ଚାଲିଥିବା ବେଳେ ଆମେରିକା କୌଣସି କାର୍ଯ୍ୟାନୁଷ୍ଠାନ ନେବ ନାହିଁ ବୋଲି କୁହାଯାଇଥିଲା। କିନ୍ତୁ ଇରାନର ଏହି ଆକ୍ରମଣ ପୁଣି ଏକ ବିବାଦକୁ ଉସକାଇଛି ବୋଲି କୁହାଯାଉଛି।