Latest Odisha News

ଇରାନର ପ୍ରସିଦ୍ଧ ଗାୟକ ହୁସୈନ ମଘସୌଦଲୁଙ୍କୁ ମୃତ୍ୟୁଦଣ୍ଡ

ନୂଆଦିଲ୍ଲୀ: କଠୋର ଧାର୍ମିକ ଆଇନ କାରଣରୁ ଇରାନରେ ପୁଣି ଥରେ ମୃତ୍ୟୁଦଣ୍ଡର ମାମଲା ସାମନାକୁ ଆସିଛି। ଇରାନ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଲୋକପ୍ରିୟ ଗାୟକ ଅମିର ହୁସୈନ ମଘସୌଦଲୁ ( ଟାଟାଲୁ)ଙ୍କୁ ଈଶ୍ୱରଙ୍କୁ ନିନ୍ଦା ଅଭିଯୋଗରେ ଦୋଷୀ ସାବ୍ୟସ୍ତ କରାଯାଇଛି। ଏନେଇ ତାଙ୍କୁ ମୃତ୍ୟୁଦଣ୍ଡ ମଧ୍ୟ ଶୁଣାଯାଇଛି। ସୁପ୍ରିମକୋର୍ଟ ଈଶ୍ୱରନିନ୍ଦା ସହ ଅପରାଧ ପାଇଁ ଦିଆ ଯାଇଥିବା ୫ ବର୍ଷର ଜେଲ୍‌ ଦଣ୍ଡ ପରେ ପ୍ରତିବାଦୀକୁ ପ୍ରଫେଟଙ୍କ ଅପମାନ କରିବା ନେଇ ମୃତ୍ୟୁଦଣ୍ଡ ଶୁଣାଯାଇଛି। ଏହି ନିଷ୍ପତ୍ତି ଶେଷ ନୁହେଁ ଏବଂ ଏହା ବିରୋଧରେ ଏବେ ବି ଅପିଲ କରାଯାଇ ପାରିବ ବୋଲି ରିପୋର୍ଟରେ କୁହାଯାଇଛି ।

୩୭ ବର୍ଷିୟ ସିଙ୍ଗର ଟାଟାଲୁ ୨୦୧୮ରୁ ତୁର୍କୀର ଇସ୍ତାନବୁଲ ସହରରେ ରହୁଥିଲେ। ୨୦୨୩ରେ ତୁର୍କୀ ପୁଲିସ ତାଙ୍କୁ ଇରାନକୁ ପ୍ରଦାନ କରିଥିଲା, ଏହାପର ଠାରୁ ତାଙ୍କ ଉପରେ ଈଶ୍ୱର ନିନ୍ଦା ସହ ଅନେକ ଧାରାରେ ମାମଲା ଚାଲିଥିଲା। ଟାଟାଲୁଙ୍କୁ ଇସଲାମିକ ଗଣରାଜ୍ୟ ବିରୋଧରେ ଅପପ୍ରଚାର ଓ ଅଶ୍ଳୀଳ ସାମଗ୍ରୀ ପ୍ରକାଶ କରିବା ଅଭିଯୋଗ ଲଗାଯାଇଛି।

ଇରାନ ଇଣ୍ଟରନ୍ୟାସନାଲ ସୂଚନା ଅନୁସାରେ, ଦେଶର ନ୍ୟାୟପାଳିକା ସେହି ରିପୋର୍ଟ ଗୁଡ଼ିକର ଖଣ୍ଡନ କରିଛି। ଏକ ଖବରକାଗଜ ପକ୍ଷରୁ ଆସିଥିବା ପ୍ରାରମ୍ଭିକ ରିପୋର୍ଟକୁ ନ୍ୟାୟପାଳିକାର ମିଡ଼ିଆ କାର୍ଯ୍ୟାଳୟ ଖଣ୍ଡନ କରିବା ସହିତ ଶେଷ ନିଷ୍ପତ୍ତି ଏବେ ସୁଦ୍ଧା ଜାରି କରାଯାଇ ନଥିବା କହିଛନ୍ତି।

ସୂଚନାଯୋଗ୍ୟ, ରାପ୍ , ପପ୍‌ ଓ R & B କମ୍ୱିନେସନ ପାଇଁ ବେଶ ଲୋକପ୍ରିୟ ଟାଟାଲୁ । ସେ ନିଜ ଶରୀରରେ ଟାଟୁ ପାଇଁ ମଧ୍ୟ ଖୁବ୍‌ ଜଣାଶୁଣା। ଟାଟାଲୁଙ୍କୁ ପୂର୍ବରୁ ରୁଢିବାଦୀ ରାଜନେତାମାନେ ଯୁବବର୍ଗ , ଉଦାରବାଦୀ ଇରାନୀଙ୍କ ପାଖରେ ପହଞ୍ଚିବାର ମାଧ୍ୟମ ଭାବେ ବାଛିଥିଲେ। ୨୦୧୫ରେ ଟାଟାଲୁ ଇରାନର ପରମାଣୁ କାର୍ଯ୍ୟକ୍ରମର ସମର୍ଥନରେ ଏକ ଗୀତ ରିଲିଜ୍‌ କରିଥିଲେ।

Comments are closed.