ନୂଆଦିଲ୍ଲୀ: ଇରାନର ପ୍ରଥମ ସର୍ବୋଚ୍ଚ ଲିଡର ଆୟାତୁଲ୍ଲା ରୁହୋଲ୍ଲାହ ଖୋମେନେଇ । ଇରାନର ନୋଟରୁ ସଡ଼କ, ସବୁଠି ଖୋମେନେଇଙ୍କ ଦବଦବା । ସେ ଦେଶରେ ଇସଲାମିକ କ୍ରାନ୍ତିର ଚେହେରା। ଇରାନ ଓ ଇସ୍ରାଏଲ ମଧ୍ୟରେ ଜୋରଦାର ଯୁଦ୍ଧ ଚାଲିଥିବା ବେଳେ ଖୋମେନେଇଙ୍କ ଭାରତ ଲିଙ୍କ ନେଇ ଚର୍ଚ୍ଚା ହେଉଛି । ଖୋମେନେଇଙ୍କ ପରିବାରର ସିଧା ସଂପର୍କ ଉତ୍ତରପ୍ରଦେଶ ସହ ରହିଛି । ଖୋମେନେଇଙ୍କ ଜେଜେବାପା ସୟଦ ଅହମ୍ମଦ ମୁସାବୀ ୟୁପିର ବାରାବାଙ୍କୀ ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ । ଇରାନର ରାଜନୀତି, ସାମାଜିକ ଓ ଧାର୍ମିକ ଚିନ୍ତାଧାରାକୁ ଆକାର ଦେଇଥିବା ଖୋମେନେଇଙ୍କ ପରିବାର ମୂଳ ଇରାନୀ । ସେମାନେ ୧୮ଶହ ଶତାବ୍ଦୀରେ ଭାରତ ଆସିଥିଲେ, ତେବେ ପରେ ଇରାନ ଫେରି ଯାଇଥିଲେ।
କାହିଁକି ଆସିଥିଲେ ଭାରତ?
ଇରାନରେ ଇସଲାମିକ କ୍ରାନ୍ତି ଆଣିଥିବା ଆୟାତୁଲ୍ଲା ରୁହୋଲ୍ଲାହ ଖୋମେନେଇଙ୍କ ପୂର୍ବପୁରୁଷ ଶିୟା ଧର୍ମର ପ୍ରଚାର ପ୍ରସାର ପାଇଁ ଭାରତ ଆସିଥିବା କୁହାଯାଏ । ୧୭ଶହ ଓ ୧୮ଶହ ଶତାବ୍ଦୀ ମଧ୍ୟରେ ଅନେକ ଇରାନୀ ଶିୟା ବିଦ୍ବାନ ଧର୍ମର ପ୍ରସାର ପାଇଁ ଭାରତର ଲକ୍ଷ୍ନୌ, ବାରାବାଙ୍କୀ ଓ ହାଇଦ୍ରାବାଦ ଭଳି ସ୍ଥାନକୁ ଆସିଥିଲେ । ବାରାବାଙ୍କୀ ସେତେବେଳେ ଶିୟା ନବାବଙ୍କ ଅଞ୍ଚଳ ଥିଲା । ସେତେବେଳେ ବିଦ୍ବାନଙ୍କୁ ମସଜିଦରେ ବଡ଼ ପଦ ଦିଆଯାଉଥିଲା । ତେଣୁ ଖୋମେନେଇଙ୍କ ପରିବାର ଭାରତ ଆସିଥିବା କୁହାଯାଉଛି । ସେହିପରି ସେତେବେଳେ ଇରାନରେ କ୍ଷମତା ସଂଘର୍ଷ ଚାଲିଥିବାରୁ ଅନେକ ବିଦ୍ବାନ ଭାରତରେ ପ୍ରତିଷ୍ଠିତ ଜୀବନ ଯାପନ ପାଇଁ ଆସିଥିଲେ ।
ଭାରତରୁ ଫେରିଗଲେ ଇରାନ
ଭାରତର ବାରାବାଙ୍କୀର କିନ୍ତୁର ଗାଁରେ ବସବାସ କରିଥିଲେ ଖୋମେନେଇଙ୍କ ପରିବାର । ପରେ ସୟଦ ଅହମ୍ମଦ ମୁସାବୀ ଧାର୍ମିକ ଯାତ୍ରାରେ ଯାଇ ପ୍ରଥମେ ଇରାକ ଓ ପରେ ଇରାନରେ ପହଞ୍ଚିଥିଲେ । ମୁସାବୀ ତିନି ଜଣଙ୍କୁ ବିବାହ କରିଥିଲେ ଓ ତାଙ୍କ ୫ଜଣ ସନ୍ତାନ ଥିଲେ । ସେମାନଙ୍କ ମଧ୍ୟରୁ ପୁଅ ମୁସ୍ତଫାଙ୍କ ପୁଅ ରୁହୋଲ୍ଲାହ ଖୋମେନେଇ । ତାଙ୍କ ପାଇଁ ଇରାନରେ ଇସଲାମିକ କ୍ରାନ୍ତି ଆସିଥିଲା । ୧୯୭୯ରେ ତତ୍କାଳୀନ ଲିଡର ଶାହା ମୁହମ୍ମଦ ରଜା ପହଲବୀଙ୍କ ସରକାରକୁ ପଦରୁ ହଟିବା ସହ ତେହେରାନରେ ଇସଲାମିକ ଶାସନ ପ୍ରତିଷ୍ଠା ହୋଇଥିଲା ।
ସହଜ ନଥିଲା କ୍ଷମତା ପରିବର୍ତ୍ତନ
ରଜା ସରକାରଙ୍କ ମୁଣ୍ଡରେ ଆମେରିକାର ହାତ ଥିବାରୁ ଇରାନରେ କ୍ଷମତା ପରିବର୍ତ୍ତନ ସହଜ ନଥିଲା । ସେନା ନିୟନ୍ତ୍ରଣ କାମ ନଦେବାରୁ ଖୋମେନେଇଙ୍କୁ ବିଦେଶ ମୂଳର କହି ତାଙ୍କ ଧାର୍ମିକ ବୈଧତାକୁ ଚ୍ୟାଲେଞ୍ଜ କରାଗଲା । ଏହିସମୟରେ ତାଙ୍କୁ ଜେଲରେ ରଖାଗଲା, ଯେମିତି ସେ ତାଙ୍କ ପକ୍ଷ ରଖିପାରିବେନି । ତେବେ ନିର୍ବାସନରେ ରହି ମଧ୍ୟ ନିଜ ପକ୍ଷ ରଖିଥିଲେ ଖୋମେନେଇ । ତାଙ୍କ ପୂର୍ବପୁରୁଷ ଭାରତରେ ଧର୍ମ ପ୍ରଚାର ପାଇଁ ଯାଇଥିଲେ ସତ, ହେଲେ ତାଙ୍କ ମୂଳ ଇରାନରୁ ହିଁ ରହିଛି । ଫଳରେ ତାଙ୍କୁ ବିଦେଶୀ ପ୍ରମାଣିତ କରିବାର ସବୁ ଉଦ୍ୟମ ଫେଲ୍ ମାରିଥିଲା । ଓଲଟା ରଜା ସରକାରଙ୍କୁ ପଶ୍ଚିମ ବିଚାରର ସମର୍ଥକ ଓ ଇସଲାମ ବିରୋଧୀ ପ୍ରମାଣିତ କରିଦେଲେ ଖୋମେନେଇ ଓ ତାଙ୍କ ସମର୍ଥକ । ଫଳରେ ୧୯୭୯ରେ ଇରାନରେ କ୍ଷମତା ପରିବର୍ତ୍ତନ ହୋଇଥିଲା ।
ମୃତ୍ୟୁ ପର୍ଯ୍ୟନ୍ତ ଇରାନରେ କ୍ଷମତାରେ ରହିଥିଲେ ରୁହୋଲ୍ଲାହ ଖୋମେନେଇ । ଏହାପରେ ଇରାନର କ୍ଷମତା ତାଙ୍କ ସାଥୀ ଅୟାତୁଲ୍ଲା ଖୋମେନେଇଙ୍କୁ ଦିଆଯାଇଥିଲା । ଅୟାତୁଲ୍ଲା ତାଙ୍କ ଶିଷ୍ୟ ଥିଲେ । ଇରାନର ପ୍ରଥମ ସର୍ବୋଚ୍ଚ ନେତା ରୁହୋଲ୍ଲାହ ଖୋମେନେଇଙ୍କ ପରେ ତାଙ୍କର ବିଶ୍ବସ୍ତ ଖୋମେନେଇ କ୍ଷମତାକୁ ଆସିଥିଲେ ।
Comments are closed.