Latest Odisha News

BREAKING NEWS

ଶ୍ରୀମନ୍ଦିରରେ ଭକ୍ତ ଭାଙ୍ଗିଲେ ଲୁହା ବ୍ୟାରିକେଡ୍, ମନ୍ଦିର ମଧ୍ୟରେ ଧସେଇ ପଶିଲେ

ପୁରୀ : ପୁରୀ ଶ୍ରୀଜଗନ୍ନାଥ ମନ୍ଦିରରେ ଏକ ଅଭାବନୀୟ ଘଟଣା ଘଟିଛି । ଶୁକ୍ରବାର ଦିନ ହଜାର ହଜାର ସଂଖ୍ୟାରେ ଭକ୍ତମାନେ ଶ୍ରୀମନ୍ଦିର ଲୁହା ବ୍ୟାରିକେଡ୍ ଭାଙ୍ଗି ମନ୍ଦିର ମଧ୍ୟକୁ ପ୍ରବେଶ କରୁଥିବା ବେଳେ ମନ୍ଦିର ପ୍ରଶାସନ ସହ ପୋଲିସ କେବଳ ଦେଖଣାହାରୀ ସାଜିଛି ।

ମିଳିଥିବା ସୂଚନାନୁଯାୟୀ, ମନ୍ଦିର ମଧ୍ୟକୁ ପ୍ରବେଶ ପାଇଁ ଶୁକ୍ରବାର ଦିନ ହଜାର ହଜାର ଭକ୍ତ ମୁଖ୍ୟ ଦ୍ୱାର ନିକଟରେ ଅପେକ୍ଷା କରି ଛିଡା ହୋଇଥିଲେ କିନ୍ତୁ ସେବାୟତମାନେ ପୋଲିସ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରି ଦ୍ୱାର ଗୁଡିକୁ ବନ୍ଦ କରିଥିବା ଯୋଗୁଁ ଏପରି ପରିସ୍ଥିତି ଉପୁଜିଛି ।

ଦ୍ୱାର ଖୋଲାଯିବାର କୌଣସି ସମ୍ଭାବନା ନଦେଖି ହଜାର ହଜାର ସଂଖ୍ୟାରେ ଭକ୍ତମାନେ ଶ୍ରୀମନ୍ଦିର ସମ୍ମୁଖସ୍ଥ ଲୁହା ବ୍ୟାରିକେଡକୁ ଭଙ୍ଗାରୁଜା କରିଥିଲେ ।

ଆଜିର ଏହି ବିଶୃଙ୍ଖଳାକୁ ଲକ୍ଷ୍ୟ କରି ମନ୍ଦିର କେତେକ ଭକ୍ତ ମନ୍ଦିର ପ୍ରଶାସନର ଶୀଥିଳତାକୁ ଦାୟୀ କରିଛନ୍ତି । ତେବେ ଯାହାବି ହେଉ ସେବାୟତମାନଙ୍କ ସମସ୍ତ ଦାବି ପୂରଣ କରିବା ସହ ଶ୍ରୀମନ୍ଦିରରେ ସ୍ୱାଭାବିକ ଅବସ୍ଥା ଫେରି ଆସିଲେ ସାଧାରଣ ଭକ୍ତମାନେ ଶ୍ରୀଜୀଉ ମାନଙ୍କର ଦର୍ଶନ କରିପାରନ୍ତେ ।

ଯଦିଓ ଅନେକ ଭକ୍ତ ବ୍ୟାରିକେଡ ଭାଙ୍ଗି ମନ୍ଦିର ମଧ୍ୟକୁ ପ୍ରବେଶ କରିଥିଲେ ମଧ୍ୟ ଶ୍ରୀମନ୍ଦିର ମୁଖ୍ୟ ଦ୍ୱାର ବନ୍ଦ ରହିଥିବା ଯୋଗୁଁ ଭକ୍ତମାନେ ମହାପ୍ରଭୁଙ୍କୁ ଦର୍ଶନ କରିବାରୁ ବଞ୍ଚିତ ହୋଇଛନ୍ତି ।

ଇତିମଧ୍ୟରେ ଗଣମାଧ୍ୟମକୁ ପୁରୀ ଏସପି ସାର୍ଥକ ଷଡଙ୍ଗୀ ତାଙ୍କର ବୟାନ ଦେବା ସମୟରେ ଯେଉଁ ଅଶାଳୀନ ବ୍ୟବହାର ପ୍ରଦର୍ଶନ କରିଥିଲେ ତାହା ସମସ୍ତଙ୍କୁ ଚକିତ କରିଛି ।

“ଆଜି ଯେଉଁ ଘଟଣା ମନ୍ଦିର ପରିସରରେ ଘଟିଛି ତାହା ନୂଆ କଥା ନୁହେଁ, ଏସମ୍ପର୍କରେ ଭକ୍ତମାନେ ସେମାନଙ୍କର ବକ୍ତବ୍ୟ ପ୍ରଦାନ କରିବା କୌଣସି ଯର୍ଥାଥତା ନାହିଁ । ଯେହେତୁ ସେବାୟତମାନେ ଶ୍ରୀଜୀଉମାନଙ୍କର ରୀତିନୀତି ଅନୁଯାୟୀ ପୂଜା କାର୍ଯ୍ୟ କରିଥାନ୍ତି । ତେଣୁ କେବଳ ସେବାୟତମାନେ ହିଁ ଏହି ଘଟଣାର ବିଚାର କରିପାରିବେ । ଯଦି ସେବାୟତମାନେ ରୀତିନୀତି ଅନୁଯାୟୀ ପୂଜା କାର୍ଯ୍ୟ ନକରନ୍ତି ଏବଂ ଦ୍ୱାର ବନ୍ଦ କରିଦିଅନ୍ତି, ତେବେ ଯାଏଁ ଭକ୍ତମାନେ ଫେରିବା କଥା” ବୋଲି ସେ କହିଛନ୍ତି ।

ଆଜିର ଘଟଣାକୁ ସମାଧାନ କରିବାକୁ ଯାଇ ପୋଲିସର କ’ଣ କର୍ତ୍ତବ୍ୟ ରହିଥିଲା ସେ ସମ୍ବନ୍ଧୀୟ ଏକ ପ୍ରଶ୍ନର ଉତ୍ତର ଦେବାକୁ ଯାଇ ଏସପି କହିଛନ୍ତି, ଏହି ଘଟଣାର ସମସ୍ତ ବିବରଣୀ ସିସିଟିଭି ଫୁଟେଜରୁ ଯାଞ୍ଚ ହେବ ।

Leave A Reply

Your email address will not be published.