Latest Odisha News

BREAKING NEWS

ମେଘାଳୟ ଖଣି ଧସିବା ଘଟଣା, ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହେଲେ ଓଡିଶା ଅଗ୍ନିଶମ ବିଭାଗ

ଭୁବନେଶ୍ୱର : ମେଘାଳୟ ରାଜ୍ୟର ପୂର୍ବ ଜୈନ୍ତିଆ ପାହାଡ ଧସିବା ଘଟଣାରେ ଓଡିଶା ଅଗ୍ନିଶମ ବିଭାଗ ଭୁବନେଶ୍ୱରୁ ମେଘାଳୟ ଅଭିମୁଖେ ଯାତ୍ରା କରିଛନ୍ତି ।

ମେଘାଳୟର ଏହି ଖଣିରେ ୧୫ ଜଣ ଶ୍ରମିକ ଫସି ରହିଥିବାବେଳେ ଭାରତୀୟ ବାୟୁସେନାର ଏକ ସ୍ୱତନ୍ତ୍ର ବିମାନରେ ଓଡିଶାରୁ ଏନଡିଆରଏଫ, ଉଚ୍ଚ କ୍ଷମତା ସମ୍ପନ୍ନ ପମ୍ପ ସମେତ ଓଡିଶା ଅଗ୍ନିଶମ ବିଭାଗର ଏକ ଟିମ୍ ମେଘାଳୟ ଅଭିମୁଖେ ଯାତ୍ରା କରିଛନ୍ତି ।

ଓଡିଶା ଅଗ୍ନିଶମ ସେବା ବିଭାଗର ଡିଜି ବିକେ ଶର୍ମା କହିଛନ୍ତି, ମୁଖ୍ୟ ଅଗ୍ନିଶମ ଅଧିକାରୀ (ସିଏଫଓ) ସୁକାନ୍ତ ସେଠୀଙ୍କ ନେତୃତ୍ୱରେ ଏକ ୨୦ ଜଣିଆ ଟିମ୍ ସିଲଂ ଅଭିମୁଖେ ଯାତ୍ରା କରିଛନ୍ତି । ଭୁବନେଶ୍ୱରରୁ ଭାରତୀୟ ବାୟୁସେନାର ଏକ ଏୟାରକ୍ରାଫ୍ଟ ମାଧ୍ୟମରେ ଦମକଳ ବିଭାଗର ବିଭିନ୍ନ ଯନ୍ତ୍ରପାତି ସମେତ ଉଚ୍ଚ କ୍ଷମତା ସମ୍ପନ୍ନ ପମ୍ପ ଗୁଡିକୁ ଏଥିରେ ଯାଇଛି । “ଏହି ଟିମର ସମସ୍ତ ସଦସ୍ୟମାନେ ଖଣି ମଧ୍ୟରେ ଫସି ରହିଥିବା ଶ୍ରମିକମାନଙ୍କୁ ଉଦ୍ଧାର କାର୍ଯ୍ୟରେ ସାହାର୍ଯ୍ୟ କରିବେ” ।

ଭାରତୀୟ ବାୟୁସେନାର ସ୍ୱତନ୍ତ୍ର ଏୟାରକ୍ରାଫ୍ଟ ସି୧୩୦ଜେ ପ୍ରଥମେ ଗୌହାଟୀ ଠାରେ ଅବତରଣ କରିବ । ସେଠାରୁ ଏହି ଉଚ୍ଚ କ୍ଷମତା ସମ୍ପନ୍ନ ପମ୍ପ ଗୁଡିକୁ ପୂର୍ବ ଜୟନ୍ତିଆ ପାହାଡକୁ ନିଆ ଯିବାର ବ୍ୟବସ୍ଥା ହୋଇଛି । ଏହି ଦଳ ସହ ୨୦ଟି ଉଚ୍ଚ କ୍ଷମତା ସମ୍ପନ୍ନ ପମ୍ପ ରହିଛି, ଏହି ପମ୍ପ ୧ମିନିଟକୁ ୧ହଜାର ୬ଶହ ଲି. ପାଣି ନିଷ୍କାସନ କରିବାର କ୍ଷମତା ରଖିଛି ।

ଏସମ୍ପର୍କରେ ଅଗ୍ନିଶମ ବିଭାଗର ଆଇଜି ରାଜେଶ କୁମାର କହିଛନ୍ତି ଏହି ଟିମ୍ ସେଠାରେ ପହଞ୍ଚି ଏକ ଯୋଜନା ପ୍ରସ୍ତୁତ କରିବା ସହ ଘଟଣାସ୍ଥଳରେ ସର୍ଚ୍ଚ ଅପରେସନ କାର୍ଯ୍ୟ ଆରମ୍ଭ କରିବାର ଯୋଜନା ରହିଛି ।

“ପ୍ରଥମଥର ଲାଗି ବାହାର ରାଜ୍ୟରେ ଅଗ୍ନିଶମ ବିଭାଗ ଏକ ଉଦ୍ଧାର କାର୍ଯ୍ୟରେ ଯୋଗ ଦେଇଛି । ପ୍ରକୃତରେ ଏହା ଏକ ଚ୍ୟାଲେଞ୍ଜପୂର୍ଣ୍ଣ କାର୍ଯ୍ୟ, ବନ୍ୟା ଜଳ ମଧ୍ୟରେ ଏପରିକି ନିକଟରେ ରହିଥିବା ନଦୀ ମଧ୍ୟରୁ ଉଦ୍ଧାର କାର୍ଯ୍ୟ କରିବା ଏକ କଠିନ କାର୍ଯ୍ୟ” ବୋଲି ସିଏଫଓ କହିଛନ୍ତି ।

Leave A Reply

Your email address will not be published.