Latest Odisha News

BREAKING NEWS

ବଜେଟକୁ ନେଇ ରାଜନୈତିକ ଲଢେଇ

ଭୁବନେଶ୍ୱର: ନବୀନ ବାବୁଙ୍କ ପଞ୍ଚମ ପାଳିର ଶେଷ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପିତ ହୋଇଛି। ବିଭିନ୍ନ ବର୍ଗକୁ ଦୃଷ୍ଟିରେ ରଖି ଏକ ଲୋକାଭିମୁଖୀ ବଜେଟ ହୋଇଛି ବୋଲି ଶାସକ ଦଳ ଦାବି କରୁଥିବା ବେଳେ ମୁଖ୍ୟ ବିରୋଧି କିନ୍ତୁ ଏହି ବଜେଟକୁ ସମାଲୋଚନା କରିଛନ୍ତି। ବଜେଟ ମାଧ୍ୟମରେ ସରକାର ରାଜ୍ୟବାସୀଙ୍କୁ ସୁନେଲି ସ୍ୱପ୍ନ ଦେଖାଇଛନ୍ତି ଓ ଏହା ବସ୍ତାନୀ ବଡ଼ ପାଠ କମ ଭଳି କଥା ବୋଲି କହିଛି ବିଜେପି।

କେନ୍ଦ୍ର ସରକାରଙ୍କ ଅଂଶଧନ ଉପରେ ରାଜ୍ୟ ବଜେଟ ସମ୍ପୂର୍ଣ୍ଣ ନିର୍ଭରଶୀଳ ଵୋଲି କୁହାଯାଇଛି। ଏପରିକି ବଜେଟର ଅର୍ଥ ପୂର୍ବବର୍ଷ ମାନଙ୍କରେ ଖର୍ଚ୍ଚ ହୋଇପାରିନି ବୋଲି ବିଜେପି ଅଭିଯୋଗ କରିଛି। ରାଜ୍ୟ ସରକାର ବଜେଟରେ ଯେଉଁ ନୂଆ ଯୋଜନା ଆଣିଛନ୍ତି ତାହା କେନ୍ଦ୍ର ସରକାରଙ୍କ ଯୋଜନାର ହଡ଼ପ ବୋଲି କୁହାଯାଇଛି।

ବଜେଟରେ ଓଡ଼ିଆ ବିଶ୍ଵବିଦ୍ୟାଳୟ ପାଇଁ 20 କୋଟି ସମୁଦ୍ରକୁ ଶଙ୍ଖେ ଭଳି ବୋଲି ବିଜେପି ପକ୍ଷରୁ କୁହାଯାଇଛି। ଏହା ଅମଲାଙ୍କ ଦ୍ଵାରା ପ୍ରସ୍ତୁତ ବଜେଟ ଓ ଏଥିରେ ସାଧାରଣ ଲୋକଙ୍କ ସମସ୍ୟା ସମାଧାନ ହୋଇପାରିବ ନାହିଁ ବୋଲି କଂଗ୍ରେସ ପକ୍ଷରୁ କୁହାଯାଇଛି।

ସେପଟେ ଶାସକ ଦଳ ଏହାକୁ ଲୋକାଭିମୁଖୀ ବଜେଟ ବୋଲି କହିଛି। ବଜେଟରେ ବ୍ୟୟ ଅଟକଳ ୨ ଲକ୍ଷ ୩୦ ହଜାର କୋଟି ଟଙ୍କା ରହିଥିବା ବେଳେ କୃଷି, ସ୍ୱାସ୍ଥ୍ୟ, ମହିଳା ଓ ଶିଶୁ ବିକାଶ, ଉଚ୍ଚଶିକ୍ଷା, ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ, ଏମଏସଏମଇ କ୍ଷେତ୍ରକୁ ସ୍ୱତନ୍ତ୍ର ଧ୍ୟାନ ଦିଆଯାଇଛି। ମିଶନ ଶକ୍ତି ପାଇଁ ୨ ହଜାର ୫୫୪ କୋଟି ଟଙ୍କା ବ୍ୟୟ ବରାଦ ହୋଇଥିବାବେଳେ କାଳିଆ ସହାୟତା ପାଇଁ ୧୮୭୯ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି।

ସେହିପରି ସ୍ୱାସ୍ଥ୍ୟ କ୍ଷେତ୍ରରେ ‘ଆମ ହସ୍ପିଟାଲ’ ଯୋଜନା ପାଇଁ ରାଜ୍ୟ ବଜେଟରେ ୭୫୦ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି। ସେହିପରି ଆମ ବସଷ୍ଟାଣ୍ଡ ପାଇଁ ୧୫୦ କୋଟିର ବୟବରାଦ ଚର୍ଚ୍ଚାର କାରଣ ସାଜିଛି। କୃଷି କ୍ଷେତ୍ରରେ ମହିଳା ଏସଏଚଜିଙ୍କ ପାଇଁ ଅର୍ଥବରାଦ ସହ ମିଲେଟ ମିଶନ ପାଇଁ ବ୍ୟୟବରାଦ କରାଯାଇଛି।

ଆଗକୁ ନିର୍ବାଚନ ଥିବାରୁ ଏହି ବଜେଟକୁ ନେଇ ବିରୋଧୀ ଶାସକ ଦଳକୁ ଟାର୍ଗେଟ କରିଥିବା ବେଳେ ଲୋକେ ବଜେଟକୁ କିଭଳି ଭାବେ ଗ୍ରହଣ କରୁଛନ୍ତି ତା ଉପରେ ରାଜନୈତିକ ଦଳ ଗୁଡ଼ିକର ନଜର ରହିଛି।

Leave A Reply

Your email address will not be published.