ଭୁବନେଶ୍ୱର: କଣ ଚାହୁଁଛନ୍ତି ରାଜସ୍ଥାନ କଂଗ୍ରେସ ନେତା ସଚିନ ପାଇଲଟ। ଗେହଲଟ ସରକାରକୁ ବାରମ୍ବାର ଘେରୁଥିବା ପାଇଲଟ ଏବେ ଦୁର୍ନୀତି ପ୍ରସଙ୍ଗକୁ ନେଇ ସରକାରକୁ କାଠଗଡାକୁ ଟାଣିଛନ୍ତି। ତେଣୁ ରାଜସ୍ଥାନରେ କଂଗ୍ରେସର ଗତି କୁଆଡେ ବୋଲି ପ୍ରଶ୍ନ ଉଠିଛି।
ଆଗକୁ ନିର୍ବାଚନ ଥିବାବେଳେ ଗେହଲଟ ପାଇଲଟ ଲଢ଼େଇ ଆହୁରି ତୀବ୍ର ହୋଇଛି। ଏପରିକି କେନ୍ଦ୍ରୀୟ ନେତାଙ୍କ କଥାକୁ ପାଇଲଟ ମାନୁ ନ ଥିବା କୁହାଯାଉଛି। ରାଜସ୍ଥାନ ବିଧାନସଭା ନିର୍ବାଚନକୁ ଆଉ ମାତ୍ର କିଛି ମାସ ବାକି ଅଛି। ଏହା ପୂର୍ବରୁ କଂଗ୍ରେସର ଦୁଇ ପ୍ରମୁଖ ନେତାଙ୍କ ବିବାଦ ଦଳ ପାଇଁ ଅଡୁଆ ସ୍ଥିତି ସୃଷ୍ଟି କରିଛି।
ଏପରିକି ଉଭୟଙ୍କ ମଧ୍ୟରେ ବିବାଦ ବିଭିନ୍ନ ସ୍ଥାନରେ ପ୍ରତିଫଳିତ ହେଉଛି। ରାଜସ୍ଥାନରେ ନିର୍ବାଚନ ପାଇଁ କଂଗ୍ରେସର ବରିଷ୍ଠ ନେତାମାନେ ପ୍ରସ୍ତୁତି ବୈଠକ କରିଥିଲେ। ହେଲେ ଏଥିରେ ପାଇଲଟ ଯୋଗ ନ ଦେବା ଆଲୋଚନାର ବିଷୟ ହୋଇଛି।
ଆସନ୍ନ ନିର୍ବାଚନ ପାଇଁ ମୁଖ୍ୟମନ୍ତ୍ରୀ ଗେହଲଟ, ଦଳର ପ୍ରଭାରୀ ଓ ରାଜସ୍ଥାନ ପ୍ରଦେଶ କଂଗ୍ରେସ କମିଟି ସଭାପତି ବିଧାୟକମାନଙ୍କ ସହ ୱାନ ଟୁ ୱାନ ବୈଠକ କରିଥିଲେ। ସେମାନଙ୍କ ଠାରୁ ବିଭିନ୍ନ ପ୍ରସଙ୍ଗରେ ତଥ୍ୟ ସଂଗ୍ରହ କରିଥିଲେ। କିନ୍ତୁ ପାଇଲଟ ବରିଷ୍ଠ ନେତାଙ୍କ ବୈଠକରେ ଯୋଗଦେଇ ନ ଥିଲେ। ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି।
ସେପଟେ ପାଇଲଟଙ୍କ କହିବା କଥା କାହା ବିରୋଧରେ କିମ୍ବା କଂଗ୍ରେସ ସରକାର ବିରୋଧରେ ସେ ନାହାଁନ୍ତି। କିନ୍ତୁ ସବୁ କିଛି ଦୁର୍ନୀତି ବିରୋଧରେ କରାଯାଉଛି। ଏହି ଦୁର୍ନୀତି ବସୁନ୍ଧରା ରାଜେଙ୍କ ସରକାର ସମୟରେ ହୋଇଥିଲା।
ରାଜସ୍ଥାନ ସରକାର ଯେତେବେଳେ ୩ ବର୍ଷ ପୁରୁଣା ହୋଇଥିଲା ସେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ତାଙ୍କ ହସ୍ତକ୍ଷେପ ଲୋଡ଼ିଥିଲେ ବୋଲି କହିଛନ୍ତି। ଉଭୟ ପ୍ରମୁଖ ନେତାଙ୍କ ବିବାଦ ଯୋଗୁଁ ରାଜସ୍ଥାନ କଂଗ୍ରେସ କ୍ଷତି ସହିପାରେ ବୋଲି କୁହାଯାଉଛି।
ଏପରିକି ପୂର୍ବରୁ ମୁଖ୍ୟମନ୍ତ୍ରୀ ପଦ ପାଇଁ ଆଶାୟୀ ଥିବା ପାଇଲଟ ଦଳୀୟ ନେତୃତ୍ୱଙ୍କ ନିଷ୍ପତ୍ତିକୁ ନେଇ ଅସନ୍ତୁଷ୍ଟ ଅଛନ୍ତି। ତେଣୁ ଦୁର୍ନୀତିକୁ ପ୍ରସଙ୍ଗ କରି ଗେହଲଟଙ୍କୁ ଘେରିବାର ପ୍ରକୃତ ଉଦେଶ୍ୟ କଣ ତାକୁ ନେଇ କଳ୍ପନାଜଳ୍ପନା ଆରମ୍ଭ ହୋଇଛି।
Comments are closed.