Latest Odisha News

BREAKING NEWS

ରୁଟ୍ ବଦଳାଉଛନ୍ତି ରାହୁଲ, ଚୁପ୍ ରହିବେ, ଖେଳ କରିବେ

ଭୁବନେଶ୍ୱର: ସୁପ୍ରିମକୋର୍ଟ ରାହୁଲଙ୍କ ଦଣ୍ଡାଦେଶ ଉପରେ ରୋକ ଲଗାଇବା ପରେ ଏବେ ତାଙ୍କ ସଦସ୍ୟତା ଫେରିବା ପ୍ରସଙ୍ଗକୁ ନେଇ ଚର୍ଚ୍ଚା ଜୋର ଧରିଛି। ସର୍ବୋଚ୍ଚ କୋର୍ଟଙ୍କ ରାୟ ଆସିବା ସହ କଂଗ୍ରେସ ପକ୍ଷରୁ ଲୋକସଭା ବାଚସ୍ପତିଙ୍କୁ ରାହୁଲ ଗାନ୍ଧୀଙ୍କ ସଦସ୍ୟତା ଫେରାଇବା ପାଇଁ ଅନୁରୋଧ କରାଯାଇଛି।

କିନ୍ତୁ ବିଧି ବ୍ୟବସ୍ଥା ଅନୁଯାୟୀ ଲୋକସଭା ସଚିବଙ୍କୁ ଏ ନେଇ ଲିଖିତ ଭାବେ ଅବଗତ କରିବାକୁ ପଡିବ। ଏଥିସହିତ କୋର୍ଟଙ୍କ ରାୟର ନକଲ ଲୋକସଭା ସଚିବାଳୟରେ ଦାଖଲ କରିବାକୁ ପଡିବ।

ଆସନ୍ତା ସପ୍ତାହରେ କେନ୍ଦ୍ର ସରକାରଙ୍କ ବିରୋଧରେ ଆଗତ ହେବାକୁ ଥିବା ଅନାସ୍ଥା ପ୍ରସ୍ତାବ ବିତର୍କରେ ରାହୁଲଙ୍କୁ ଭାଗ ନେବାର ସୁଯୋଗ ମିଳିବ କି ବୋଲି ଚର୍ଚ୍ଚା ଆରମ୍ଭ ହୋଇଛି। ସେପଟେ ମାନହାନି ମାମଲା ପ୍ରସଙ୍ଗକୁ ନେଇ ସୁରଟ କୋର୍ଟଙ୍କ ଦଣ୍ଡାଦେଶ ପରେ ୨୪ ଘଣ୍ଟା ମଧ୍ୟରେ ରାହୁଲଙ୍କ ସଦସ୍ୟ ପଦ ରଦ୍ଦ କରାଯାଇଥିବା ବେଳେ ଏବେ ଏହାକୁ ଫେରାଇବା ପ୍ରସଙ୍ଗକୁ ନେଇ ରାଜନୀତି ତୀଵ୍ର ହୋଇଛି।

ସେପଟେ ରାହୁଲଙ୍କୁ ସୁପ୍ରିମକୋର୍ଟରୁ ଆସ୍ୱସ୍ତି ମିଳିବା ପରେ ଦେଶର ବିରୋଧୀ ମେଣ୍ଟ ଇଣ୍ଡିଆ ଓ ବିଜେପି ନେତାଙ୍କ ମଧ୍ୟରେ ରାଜନୈତିକ ବାକଯୁଦ୍ଧ ତୀଵ୍ର ହୋଇଛି।

କିନ୍ତୁ ସବୁଠୁ ବଡ଼ କଥା ହେଲା ରାହୁଲଙ୍କ ରାଜନୈତିକ ଶୈଳୀକୁ ନେଇ ବର୍ତ୍ତମାନ ଚର୍ଚ୍ଚା ଜୋର ଧରିଛି। ଗତ କିଛି ମାସ ହେଲା ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ରାହୁଲଙ୍କ ହାବଭାବ, ମନ୍ତବ୍ୟ ସବୁଥିରେ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି।

ପ୍ରାୟ କୌଣସି ପ୍ରସଙ୍ଗରେ ସେ ରାଜନୈତିକ ଟିପ୍ପଣୀ କିମ୍ୱା କେନ୍ଦ୍ରର ଶାସକ ପକ୍ଷ ବିରୋଧରେ ଟିପ୍ପଣୀ ନ ଦେଇ ଲୋକଙ୍କ ସମସ୍ୟାର କଥା କହୁଛନ୍ତି। ବଡ଼ ବଡ଼ ରାଜନୈତିକ ରାଲି ଓ ଭାଷଣ ବାଜିରେ ସୀମିତ ନ ରହି ଲୋକଙ୍କ ଦରବାରକୁ ରାହୁଲ ଓଲ୍ହାଉଛନ୍ତି।

ଭାରତ ଯୋଡୋ ଯାତ୍ରା ତାର ଏକ ବଡ଼ ଉଦାହରଣ ହୋଇଥିବା ବେଳେ ଟ୍ରକ ଡ୍ରାଇଭରଙ୍କ ସହ ଯାତ୍ରା, ଛାତ୍ରଛାତ୍ରୀଙ୍କ ସହ ଆଲୋଚନା, ଡେଲିଭରି ବୟ, ବାଇକ ମେକାନିକ, ପରିବା ମଣ୍ଡିର ବ୍ୟବସାୟୀ ଆଦି ସାଧାରଣ ବର୍ଗ ନିକଟରେ ଉପସ୍ଥିତ ହୋଇ ସେମାନଙ୍କ ସମସ୍ୟା ବୁଝୁଛନ୍ତି।

ସେମାନଙ୍କ ସମସ୍ୟା ସମାଧାନ ପାଇଁ ଉଦ୍ୟମ କରିବା କଥା କହିବା ସହ କେବଳ ସରକାରକୁ ଦୋଷ ଦେଉ ନାହାନ୍ତି। ଏପରିକି ମଣିପୁର ଦଙ୍ଗା ପ୍ରଭାବିତ ଗସ୍ତ ବେଳେ ମଧ୍ୟ ହିଂସାକୁ ନିନ୍ଦା କରିବା ସହ ଶାନ୍ତିର କଥା କହିଥିବା ବେଳେ ପ୍ରଧାନମନ୍ତ୍ରୀ ମୋଦି କିମ୍ବା କେନ୍ଦ୍ର ସରକାରଙ୍କ ବିରୋଧରେ କୌଣସି ଟିପ୍ପଣୀ ଦେଇ ନ ଥିଲେ।

ସୁପ୍ରିମକୋର୍ଟଙ୍କ ରାୟ ପରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ରାହୁଲଙ୍କ ସରଲପଣ ଓ ନମ୍ରତା ଦେଖିବାକୁ ମିଳିଥିଲା। ନିଜର ମାତ୍ର ୩୬ ସେକେଣ୍ଡର ମନ୍ତବ୍ୟରେ ସେ ବିଜେପି କିମ୍ବା କୌଣସି ନେତାଙ୍କୁ ଆକ୍ଷେପ କରି ନ ଥିଲେ।

ଯାହା ହେଉ ପଛେ ତାଙ୍କ କର୍ତ୍ତବ୍ୟ ସେୟା ରହିବ ଓ ଭାରତର ବିଚାରକୁ ରକ୍ଷା କରିବା ତାଙ୍କ କର୍ତ୍ତବ୍ୟ ବୋଲି ସେ ଟ୍ୱିଟ ମାଧ୍ୟମରେ କହିଥିଲେ। ଏପରିକି ସାମ୍ବାଦିକ ସମ୍ମିଳନୀରେ ସତ୍ୟର ଯେ ହୁଏ ବୋଲି କହିବା ସହ ଲୋକଙ୍କ ସାହାଯ୍ୟ, ସମର୍ଥନ ଓ ଭଲ ପାଇବା ପାଇଁ ଧନ୍ୟବାଦ ଦେଇଥିଲେ ରାହୁଲ।

ତେଣୁ ରାହୁଲ ଗାନ୍ଧୀଙ୍କ ରାଜନୈତିକ ଷ୍ଟାଇଲ ପରିବର୍ତ୍ତନ ହୋଇଥିବା ଆଲୋଚନା ହେଉଛି। ଆକ୍ଷେପ ପ୍ରତି ଆକ୍ଷେପ ଓ ଲଢେଇ ରାଜନୀତି ଛାଡି ରାହୁଲ ଲୋକଙ୍କ ରାଜନୀତିକୁ ଓଲ୍ହାଇଥିବା କୁହାଯାଉଛି।

ଏପରିକି ସୁପ୍ରିମକୋର୍ଟଙ୍କ ରାୟ ପରେ ରାହୁଲଙ୍କ ଅଳ୍ପ କେତୋଟି ବାକ୍ୟ ମଧ୍ୟ ସମାନ କଥା ବୟାନ କରୁଛି। କିଛି ଦିନ ଧରି ରାହୁଲଙ୍କ କାର୍ଯ୍ୟକ୍ରମକୁ ଦେଖିଲେ ସେ ସବୁବେଳେ ଘୃଣା ନୁହେଁ ପ୍ରେମ, ହିଂସା ନୁହେଁ ଶାନ୍ତିର କଥା କହୁଛନ୍ତି।

ଏପରିକି ନିଜର କାର୍ଯ୍ୟକଳାପ ରେ ମଧ୍ୟ ଏହା ପ୍ରତିଫଳିତ ହେଉଛି। ତେଣୁ ଆଗାମୀ ନିର୍ବାଚନ ପାଇଁ ଏହା ରାହୁଲଙ୍କ ଏକ ବଡ଼ ଷ୍ଟ୍ରାଟେଜିର ଅଂଶ ବୋଲି କୁହାଯାଉଛି।

Leave A Reply

Your email address will not be published.