ଜ୍ୟୋତିପ୍ରକାଶ ମହାପାତ୍ରଙ୍କ ନିୟମିତ ସ୍ତମ୍ଭ: ପଲିଟିକସ ଫଲିଟିକସ…
ଓଡ଼ିଶା ବିଶ୍ୱବିଦ୍ୟାଳୟ ଆଇନରେ ରାଜ୍ୟ ସରକାର ସଂଶୋଧନ ଆଣିଛନ୍ତି । ଏବେକାର ସମୟକୁ ଦେଖି ପଦକ୍ଷେପ ନିଆଯାଇଛି ବୋଲି କୁହାଯାଉଛି । ଏଥର ଏକାଥରେ ଅନେକ ନୂଆ ବିଷୟ ଏହି ଆଇନରେ ସ୍ଥାନ ପାଇଛି । ଯାହା ଭିତରେ ବିଶ୍ୱବିଦ୍ୟାଳୟର ସ୍ୱୟଂଶାସନକୁ ଅନେକାଂଶରେ ସରକାର ନିଜ ଅଧିନକୁ ନେଇ ଆସିଛନ୍ତି । ଫଳରେ ବିଶ୍ୱବିଦ୍ୟାଳୟ ଗୁଡ଼ିକର ମାନ୍ୟତାରେ ନିଶ୍ଚିତ ଭାବେ ଏହା ପ୍ରଭାବ ପକାଇବ ।
ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗଟି ହେଉଛି- ଏଣିକି ବିଶ୍ୱବିଦ୍ୟାଳୟରେ ଅଧ୍ୟାପକ ନିଯୁକ୍ତି ଓଡ଼ିଶା ଲୋକସେବା ଆୟୋଗ କରିବ । ଆଗରୁ ବିଶ୍ୱବିଦ୍ୟାଳୟଗୁଡ଼ିକ ଏହି କାର୍ଯ୍ୟ କରି ଆସୁଥିଲେ । କିନ୍ତୁ କଥାଟି ହେଉଛି- ବିଶ୍ୱବିଦ୍ୟାଳୟରେ ସହକାରୀ ପ୍ରଫେସର ହୁଅନ୍ତୁ ବା ପ୍ରଫେସର ହୁଅନ୍ତ୍, ସେମାନଙ୍କ ନିଯୁକ୍ତି ପ୍ରକ୍ରିୟା କଲେଜର ଅଧ୍ୟାପକ ନିଯୁକ୍ତିଠାରୁ ଢେର ଗୁଣରେ ଭିନ୍ନ । ଏଥିପାଇଁ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ ଦ୍ୱାରା ପ୍ରଣିତ ଏକାଡେମିକ ପରଫରମାନ୍ସ ଇଣ୍ଡିକେଟର (ଏପିଆଇ) ସହିତ ଗବେଷଣା କାର୍ଯ୍ୟକୁ ସର୍ବାଧିକ ଗୁରୁତ୍ୱ ଦିଆଯାଏ ।
ବିଶ୍ୱବିଦ୍ୟାଳୟର ଅଧ୍ୟାପକ କେବଳ ଶିକ୍ଷାଦାନ କାର୍ଯ୍ୟ ଆଦୌ ନୁହେଁ । ଗବେଷଣା କରିବା, ଗବେଷଣା ନିବନ୍ଧ ଲେଖିବା, ପିଏଚ୍ଡି ସୁପରଭାଇଜର୍ ହେବା ଆଦି ଅନେକ କାମ ଏହା ସହ ଜଡ଼ିତ । ତେଣୁ କଲେଜ ଅଧ୍ୟାପକଙ୍କ ପରି ନିଯୁକ୍ତି ଏଠାରେ ଆଦୌ ଗ୍ରହଣୀୟ ନୁହେଁ ଏବଂ ବିଶ୍ୱବିଦ୍ୟାଳୟର ଢାଞ୍ଚା ବେଶ ଭାବେ ଅଲଗା । କିନ୍ତୁ ଏବେ ଲୋକସେବା ଆୟୋଗକୁ ନିଯୁକ୍ତି ପାଇଁ ଦାୟିତ୍ୱ ଦେବା, ସିଧାସଳଖ ବିଶ୍ୱବିଦ୍ୟାଳୟ କାର୍ଯ୍ୟରେ ହସ୍ତକ୍ଷେପ ନିଶ୍ଚିତ । ପୁଣି ଆଉରି କେତେକ କାରଣ ବି ଅଛି । ଏକରେ- ଲୋକସେବା ଆୟୋଗର ଏ ଦିଗରେ କିଛି ବି ଅଭିଜ୍ଞତା ନାହିଁ । ଦୁଇରେ- ଅନେକ ବିଶ୍ୱବିଦ୍ୟାଳୟରେ ଅନେକ ସ୍ୱତନ୍ତ୍ର ବିଷୟ ପଢାଯାଏ (ସ୍ପେଶାଲାଇଜେସନ୍), ଯାହା ଡିଗ୍ରୀ ପାଠ୍ୟକ୍ରମରେ ଓଡ଼ିଶାରେ ନାହିଁ । ଲୋକସେବା ଆୟୋଗରେ ଏକାଡେମିକ୍ ଲୋକ ଅଧିକ ଅପେକ୍ଷା ସରକାରୀ ଅବସରପ୍ରାପ୍ତ ବାବୁଙ୍କ ସଂଖ୍ୟା ବେଶି । ତେଣୁ, ସେ କାର୍ଯ୍ୟ ତାହା ଦ୍ୱାରା ସଂଭବ ନୁହେଁ କି ସରକାର ସେପରି ପଦକ୍ଷେପ ନେବା ପୂର୍ବରୁ ଢେର ଚିନ୍ତା କରିବାର ଆବଶ୍ୟକତା ଥିଲା ।
ଅବଶ୍ୟ ଅନେକ ବିଶ୍ୱବିଦ୍ୟାଳୟରେ ନିଯୁକ୍ତି ପ୍ରକ୍ରିୟା କାର୍ଯ୍ୟକାରୀ ହୋଇପାରୁ ନାହିଁ । ଉତ୍କଳ ବିଶ୍ୱବିଦ୍ୟାଳୟ ପରି ଅନୁଷ୍ଠାନରେ ଗଲା ତିନି ବର୍ଷ ମଧ୍ୟରେ ଗୋଟିଏ ବି ନିଯୁକ୍ତି ହୋଇନାହିଁ । ରେଭେନ୍ସା ବିଶ୍ୱବିଦ୍ୟାଳୟରେ ପରିସ୍ଥିତି ଆହୁରି ଭୟଙ୍କର । କୁଳପତିମାନେ ବି କେଉଁ କାରଣରୁ ନିଯୁକ୍ତି ଉପରେ ଗୁରୁତ୍ୱ ଆଦୌ ଦେଉ ନାହାନ୍ତି, ତାହା ବି ବେଶ ରହସ୍ୟଜନକ ବ୍ୟାପାର ।
ସେମିତି ଅଣ ଶିକ୍ଷକ ପଦବୀ ନିଯୁକ୍ତି ଏଣିକି ରାଜ୍ୟ ସିଲେକ୍ସନ ବୋର୍ଡ଼ କରିବ । ତାହା ହୁଏତ ଗ୍ରହଣୀୟ । କିନ୍ତୁ ଅଧ୍ୟାପକ ପଦବୀ ନିଯୁକ୍ତି ପାଇଁ ଲୋକସେବା ଆୟୋଗକୁ ଆହୁରି ଢେର ଆଗକୁ ଯିବାକୁ ପଡ଼ିବ ଓ ଏହାର ସ୍ୱତନ୍ତ୍ର ଏକାଡେମିକ୍ ସେଲ୍ ଦରକାର ହେବ । ସେସବୁ ଅପେକ୍ଷା ବିଶ୍ୱବିଦ୍ୟାଳୟ ନିଯୁକ୍ତି ପାଇଁ କୁଳପତିମାନଙ୍କ ଉପରେ ସରକାର ଚାପ ପ୍ରୟୋଗ କରିଥିଲେ ବରଂ ଭଲ ହୋଇ ଥାଆନ୍ତା ।
କୁଳପତି ଚୟନ ପ୍ରକ୍ରିୟାରେ ଥିବା ସର୍ଚ୍ଚ କମିଟିରୁ ସରକାର ଏଣିକି ସିଣ୍ଡିକେଟ୍ ସଦସ୍ୟଙ୍କୁ ହଟେଇ ଦେଇଛନ୍ତି । ଏଥିରେ ଏଣିକି ସରକାରଙ୍କ ପ୍ରତିନିଧି ରହିବେ । ଆଗରୁ କୁଳପତି ଚୟନ ପ୍ରକ୍ରିୟା ସର୍ଚ୍ଚ କମିଟିରେ ତିନି ଜଣ ସଦସ୍ୟ ରହୁଥିଲେ । ରାଜ୍ୟପାଳଙ୍କ ପ୍ରତିନିଧି, ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ ପ୍ରତିନିଧି ଓ ସିଣ୍ଡିକେଟର ପ୍ରତିନିଧି । କିନ୍ତୁ ସିଣ୍ଡିକେଟ ପ୍ରତିନିଧି ହଟେଇ ଦେଇ ସରକାର ନିଜ ଲୋକକୁ ସେଥିରେ ସାମିଲ କରିବାର ବ୍ୟବସ୍ଥା କଲେ । ଫଳରେ ସମୁଦାୟ କୁଳପତି ଚୟନ ପ୍ରକ୍ରିୟାରୁ ବିଶ୍ୱବିଦ୍ୟାଳୟକୁ ବାଦ୍ ଦିଆଗଲା ଓ ସରକାର ନିଜେ ସେଥିରେ ସାମିଲ ହୋଇଗଲେ । ଏହା ପଛରେ ଏକ ଯୁକ୍ତି ହୋଇପାରେ ଯେ, ପୁରୁଣା କୁଳପତିଙ୍କୁ ହୁଏତ ସିଣ୍ଡିକେଟ୍ ସଦସ୍ୟ ସାହାଯ୍ୟ କରି ପାରନ୍ତି, ତେଣୁ ତାଙ୍କୁ ସୁଯୋଗ ଦିଆଗଲା ନାହିଁ । କିନ୍ତୁ ସରକାର ସଂଶୋଧନ କରିଥିବା ଆଇନ ଅନୁସାରେ ଏଣିକି ଜଣେ କୁଳପତି ଗୋଟିଏ ବିଶ୍ୱବିଦ୍ୟାଳୟର ଥରେ କୁଳପତି ହୋଇପାରିବେ । ତେଣୁ ସିଣ୍ଡିକେଟ୍ ସଦସ୍ୟ ସେପରି କରିବାର ଆଶଙ୍କା କୁଆଡ଼ୁ ଆସିବ?
ସେହିପରି କୁଳପତିମାନଙ୍କ କାର୍ଯ୍ୟକାଳ ଚାରି ବର୍ଷକୁ ବଢେଇ ଦିଆଗଲା । କାରଣ କୁହାଗଲା ଯେ- ବିଶ୍ୱବିଦ୍ୟାଳୟ ପାଇଁ କାମ କରିବାକୁ ଓ ଯୋଜନା କରି ରୂପାୟନ କରିବାକୁ ତାଙ୍କୁ ଅଧିକ ସମୟ ମିଳିବ । ଏହା ଆଗରୁ ତିନି ବର୍ଷ ଥିଲା । କିନ୍ତୁ ଜଣେ କୁଳପତି ଗୋଟିଏ ବିଶ୍ୱବିଦ୍ୟାଳୟରେ ଦ୍ୱିତୀୟ ଥର ପାଇଁ କୁଳପତି ହୋଇପାରିବେ ନାହିଁ । କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ କୁଳପତିଙ୍କ କାର୍ଯ୍ୟକାଳ ପାଞ୍ଚ ବର୍ଷ । ରାଜ୍ୟ ସରକାର ସେଦିଗକୁ ଧ୍ୟାନ ଦେଲେ ନାହିଁ । ବରଂ ମଝିଆ ମଝି ରାସ୍ତାଟେ ବାହାର କରିଦେଲେ ।
ରାଜ୍ୟରେ ପୁଣି ସରକାର ଏକକ ସିଲାବସ୍ ବ୍ୟବସ୍ଥା ପ୍ରଚଳନ କରିଛନ୍ତି । ଫଳରେ ସବୁ ବିଶ୍ୱବିଦ୍ୟାଳୟରେ ବିଦ୍ୟାର୍ଥୀମାନେ ଗୋଟିଏ ସିଲାବସ୍ ପଢିବେ । ସେଥିରେ ଅବଶ୍ୟ ୧୦ ପ୍ରତିଶତ ଅଦଳବଦଳ କରିବାର କ୍ଷମତା ବିଶ୍ୱବିଦ୍ୟାଳୟ ଗୁଡ଼ିକୁ ଦିଆଯାଇଛି । କିନ୍ତୁ ସ୍ନାତକୋତ୍ତର ପାଠ୍ୟକ୍ରମ ଏକ ବିଶେଷ ପାଠ୍ୟକ୍ରମ । ଏଥିରେ କଣ ପଢାଯିବ, ନ ପଢାଯିବ ଓ କେତେ ଅଧିକ ବିଷୟ ସାମିଲ କରାଯିବ, ସେସବୁର କ୍ଷମତା ନିହାତି ଭାବେ ବିଶ୍ୱବିଦ୍ୟାଳୟ ପାଖରେ ରହିବା ଦରକାର ।
ଏବେ ଆସିଥିବା ଜାତୀୟ ନୂଆ ଶିକ୍ଷାନୀତି ବିଶ୍ୱବିଦ୍ୟାଳୟଗୁଡ଼ିକର ସଂୟଂଶାସନ ଓ ସାର୍ବଭୌମତ୍ୱ ଉପରେ ଗୁରୁତ୍ୱ ଦେଇଛି । ଯେଉଁଥିରେ ବିଶ୍ୱବିଦ୍ୟାଳୟ ପ୍ରଶାସନଠାରୁ ଆରମ୍ଭ କରି ଆର୍ଥିକ କାରବାର, ଶିକ୍ଷାଦାନ, ଗବେଷଣା ଆଦି ଅନେକ ବିଷୟରେ ବିଶ୍ୱବିଦ୍ୟାଳୟ ସ୍ୱୟଂଶାସିତ ରହିବା ଉଚିତ ବୋଲି ମତବ୍ୟକ୍ତ କରିଛି । କିନ୍ତୁ ରାଜ୍ୟ ସରକାର ସେ ଦିଗରେ ନ ଯାଇ, ତା’ଠାରୁ ବିପରୀତ ଦିଗରେ ଯାଉଛନ୍ତି ।
ଅବଶ୍ୟ ବିଶ୍ୱବିଦ୍ୟାଳୟଗୁଡ଼ିକ ବି ନିଜ କାର୍ଯ୍ୟରେ ବ୍ୟାପକ ଅବହେଳା କରୁଛନ୍ତି । ପିଏଚ୍ଡି କାମ ସେଠାରେ ବେଶ ମନ୍ଥର ଓ ନ ଚାଲିବା ପରି ଗତିରେ ଚାଲିଛି । ଉତ୍କଳ ବିଶ୍ୱବିଦ୍ୟାଳୟରେ ନୂଆ ନିଯୁକ୍ତ ଅଧ୍ୟାପକମାନଙ୍କୁ ଗବେଷଣା ପାଇଁ ୨ ଲକ୍ଷ ଟଙ୍କା ଦେବାକୁ ବ୍ୟବସ୍ଥା ହୋଇଥିଲା । ଗଲା ୩ ବର୍ଷ ହେଲାଣି ତା ବନ୍ଦ ହୋଇଯାଇଛି । ବିଶ୍ୱବିଦ୍ୟାଳୟରେ ଗବେଷଣା କରୁଥିବା ଛାତ୍ରକୁ ତାର ଅର୍ଥ ବା ଫେଲୋସିପ୍ ଠିକଣା ସମୟରେ ମିଳୁନାହିଁ ।
ଯେଉଁ କାରଣରୁ ରାଜ୍ୟ ସରକାର ଫେଲୋସିପ୍ ପାଇଁ ପଦକ୍ଷେପ ନେଇଥିଲେ । ବିଶ୍ୱବିଦ୍ୟାଳୟରେ ନିଯୁକ୍ତି ହେଉନାହିଁ, କେଉଁ କୁଳପତି ସେ ରିସ୍କ ନେବାକୁ ପ୍ରସ୍ତୁତ ନୁହଁନ୍ତି । ଏହା ବଦଳରେ କୁହାଯାଇପାରେ ଯେ- ବାହ୍ୟ ଚାପ ରହୁଛି । କିନ୍ତୁ ଓଡ଼ିଶାରେ ତ ସେ ଚାପ, ଅନ୍ୟସବୁ ରାଜ୍ୟ ତୁଳନାରେ ନଗଣ୍ୟ । ଏନ୍ଆଇଆର୍ଏଫ୍ ର୍ୟାଙ୍କରେ ଉତ୍କଳ ବିଶ୍ୱବିଦ୍ୟାଳୟ କଷ୍ଟେମଷ୍ଟେ ତଳ ଆଡ଼ୁ ଶହେ ସ୍ଥାନରେ ରହିଛି । ଅନ୍ୟ କୌଣସି ସରକାରୀ ବିଶ୍ୱବିଦ୍ୟାଳୟ ସେ ତାଲିକାରେ ନାହାନ୍ତି । ବିଶ୍ୱବିଦ୍ୟାଳୟ ନିଜେ ଏହାର କାରଣ କେବେ ଖୋଜୁ ବି ନାହିଁ ସମ୍ଭବତଃ । ତେଣୁ, ଯେତେବେଳେ ବ୍ୟବସ୍ଥା ଅକାମୀ ବା ଏକପ୍ରକାର ଅଚଳ ହୋଇଯାଏ, ସେଠି ଅନ୍ୟ ଲୋକ ଜବରଦଖଲ କରେ । ଓଡ଼ିଶାରେ ବିଶ୍ୱବିଦ୍ୟାଳୟ ଗୁଡ଼ିକ ଠିକଣା ଭାବେ କାର୍ଯ୍ୟ କରୁନାହିଁ- ଏକଥା ସମସ୍ତେ ଜାଣିଛନ୍ତି । କିନ୍ତୁ ସମସ୍ତେ ଚୁପ ବସିଛନ୍ତି । ଉତ୍କଳ ବିଶ୍ୱବିଦ୍ୟାଳୟରେ ପିଏଚ୍ଡି ପଞ୍ଜୀକରଣ ଚାରି ବର୍ଷରୁ ଅଧିକ ସମୟ ହେଲା ହୋଇପାରୁ ନାହିଁ । ସାମ୍ବାଦିକତା ପରି ବିଭାଗରେ ଅଧ୍ୟାପକ ନ ଥାଇ ବି ଉତ୍କଳ ବିଶ୍ୱବିଦ୍ୟାଳୟ ସେଥିରେ ପିଏଚ୍ଡି କାର୍ଯ୍ୟକ୍ରମ ଚଳାଇଛି । ଫଳରେ ଛାତ୍ରଛାତ୍ରୀ ବିଶେଷ କ୍ଷତିଗ୍ରସ୍ତ ହେଉଛନ୍ତି । ସେମାନଙ୍କ ଜୀବନର ମୂଲ୍ୟବାନ ସମୟ ନଷ୍ଟ ହେଉଛି । କୁଳପତି କି ପ୍ରଫେସର କ୍ଷତିଗ୍ରସ୍ତ ହେଉ ନାହାନ୍ତି ।
ତେବେ, ସବୁ ଭିତରେ ବିଶ୍ୱବିଦ୍ୟାଳୟକୁ କଲେଜ ଢଙ୍ଗରେ ପରିଚାଳନା କରିବା ଆଦୌ ଗ୍ରହଣୀୟ ନୁହେଁ । ବିଶ୍ୱବିଦ୍ୟାଳୟ ଶିକ୍ଷାଦାନ ଅଲଗା, ଗବେଷଣା ଓ ରାଜ୍ୟକୁ ଶିକ୍ଷାକ୍ଷେତ୍ରରେ ଅବଦାନ କ୍ଷେତ୍ରରେ ବିଶ୍ୱବିଦ୍ୟାଳୟ ଗୁଡ଼ିକ ଆଗୁଆ ରହିବା ଦରକାର । ନ ହେଲେ ସରକାର ଧୀରେଧୀରେ ସବୁ ବ୍ୟବସ୍ଥା ଆପଣା ହାତକୁ ନେଇଯିବେ । ବିଶ୍ୱବିଦ୍ୟାଳୟ କେବଳ ସ୍ୱୟଂଶାସିତ କହି ଗର୍ବ କରୁଥିବ । କିନ୍ତୁ, ବାସ୍ତବରେ ଗୋଟିଏ ସ୍ୱୟଂଶାସିତ କଲେଜରେ ପରିଣତ ହୋଇଯାଇଥିବ ।
ଇମେଲ୍: jpm.iimc@gmail.com
ବିଶେଷ ଦ୍ରଷ୍ଟବ୍ୟ: ଏହି ସ୍ତମ୍ଭରେ ପ୍ରକାଶିତ ହୋଇଥିବା ବିଚାର ବା ମତ ସମ୍ପୂର୍ଣ୍ଣ ଭାବେ ଲେଖକଙ୍କର ନିଜସ୍ୱ ଅଟେ । ଏହି ସ୍ତମ୍ଭରେ ପ୍ରକାଶିତ କୌଣସି ଅଂଶ ଲାଗି www.odishasambad.in ର ସମ୍ପାଦନା ମଣ୍ଡଳୀ ଦାୟୀ ନୁହଁନ୍ତି ।
Comments are closed.