Latest Odisha News

BREAKING NEWS

ଆପଣଙ୍କ ଆଧାର କାର୍ଡକୁ ନେଇ ହେଉଛି କି ଅପବ୍ୟବହାର, କରନ୍ତୁ ଏହି କାମ…

ଭୁବନେଶ୍ଵର: ଭାରତରେ ରହୁଥିବା ଲୋକଙ୍କ ପାଇଁ ଏମିତି କିଛି କାଗଜପତ୍ର ଅଛି, ଯାହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହି ଡକ୍ୟୁମେଣ୍ଟଗୁଡ଼ିକ ପ୍ରତିଦିନ, କେଉଁଠି ନା କେଉଁଠି, କୌଣସି ବି ମୁହୂର୍ତ୍ତରେ ଅନେକ କାମ ପାଇଁ ଆବଶ୍ୟକ ହୁଏ। ଆଉ ଏହା ବିନା, ଅନେକ କାମ ଅଟକିଯାଇଥାଏ । ଡ୍ରାଇଭିଂ ଲାଇସେନ୍ସ, ଭୋଟର କାର୍ଡ, ପାନ କାର୍ଡ, ରାସନ କାର୍ଡ ଏବଂ ଆଧାର କାର୍ଡ ଭଳି ଡକ୍ୟୁମେଣ୍ଟଗୁଡ଼ିକ ମଧ୍ୟରେ ସବୁଠାରୁ ଅଧିକ ବ୍ୟବହୃତ ଡକ୍ୟୁମେଣ୍ଟ ହେଉଛି ଆଧାର କାର୍ଡ। ଆଜିର ସମୟରେ, ବ୍ୟାଙ୍କିଂ ହେଉ କିମ୍ବା ସିମ୍ କାର୍ଡ କିଣିବା, ପ୍ରତ୍ୟେକ ଛୋଟ ଏବଂ ବଡ ପ୍ରକ୍ରିୟା ପାଇଁ ଆଧାର କାର୍ଡ ନିହାତି ଆବଶ୍ୟକ । କିନ୍ତୁ କିଛି ଲୋକ ୧୨ ଅଙ୍କ ବିଶିଷ୍ଟ ଏହି କାର୍ଡର ଅପବ୍ୟବହାର କରନ୍ତି । ଆଧାର କାର୍ଡ ନାଁରେ ଠକେଇ ଭଳି ଘଟଣା ଅନେକ ଥର ସାମ୍ନାକୁ ଆସିଛି । ତେଣୁ, ଆପଣଙ୍କର ଆଧାର କାର୍ଡ ସୁରକ୍ଷିତ କି ନାହିଁ, ଏହାର ଅପବ୍ୟବହାର ହେଉଛି ନା ନାହିଁ ତାହା ଜାଣିବା ଆପଣଙ୍କ ପାଇଁ ନିହାତି ଆବଶ୍ୟକ ।

ୟୁନିକ୍ ଆଇଡେଣ୍ଟିଫିକେସନ୍ ଅଥରିଟି ଅଫ୍ ଇଣ୍ଡିଆ ଆଧାରର ସୁରକ୍ଷା ପାଇଁ କିଛି ଅନଲାଇନ୍ ଟୁଲ୍ସ ଏବଂ ସେବା ଯୋଗାଇ ଦେଇଛି । ଏହାକୁ ବ୍ୟବହାର କରି ଆପଣଙ୍କ ଆଧାର ସୁରକ୍ଷିତ ଅଛି କି ନାହିଁ ତା’ ଜାଣି ପାରିବେ । ଏଥିପାଇଁ ଆପଣଙ୍କୁ ସର୍ବପ୍ରଥମେ ‘ମାଇଁ ଆଧାର’ ପୋର୍ଟାଲକୁ ଯିବାକୁ ପଡିବ । ପୋର୍ଟାଲ ଖୋଲିବା ପରେ ସେଠାରେ ଆପଣଙ୍କର ଆଧାର ନମ୍ବର ଏବଂ କ୍ୟାପଚା କୋଡ୍ ଏଣ୍ଟ୍ରୀ କରନ୍ତୁ । ଓଟିପି ବିକଳ୍ପ ସହିତ ଲଗଇନ୍ ଉପରେ କ୍ଲିକ୍ କରନ୍ତୁ । ଏହାପରେ ଆପଣଙ୍କର ପଞ୍ଜୀକୃତ ମୋବାଇଲ୍ ନମ୍ବରରେ ଏକ ଓଟିପି ଆସିବ । ସେହି ଓଟିପି ଦେଇ ଲଗ୍ ଇନ୍ କରନ୍ତୁ । ଲଗ୍ ଇନ୍ କରିବା ପରେ, ଅଥେଣ୍ଟିକେସନ ହିଷ୍ଟ୍ରୀ ସେକ୍ସନ ଉପରେ କ୍ଲିକ କରନ୍ତୁ ।

ଏଠାରେ ଆପଣଙ୍କ ଆଧାର କେତେ ଦିନ ବ୍ୟବହୃତ ହୋଇଛି ସେ ବିଷୟରେ ସୂଚନା ଦେଖିପାରିବେ । ଯଦି ଆପଣ କୌଣସି ସନ୍ଦେହଜନକ କାର୍ଯ୍ୟକଳାପ ବିଷୟରେ ସୂଚନା ପାଆନ୍ତି, ତୁରନ୍ତ UIDAI ରେ ଅଭିଯୋଗ ଦାଖଲ କରନ୍ତୁ । ଅଭିଯୋଗ ପାଇଁ ଆପଣଙ୍କୁ ଟୋଲ୍ ଫ୍ରି ହେଲ୍ପଲାଇନ ନମ୍ବର ୧୯୪୭କୁ କଲ କରିବାକୁ ପଡିବ । ଇମେଲ ମାଧ୍ୟମରେ ମଧ୍ୟ ଆପଣ ଅଭିଯୋଗ କରିପାରିବେ । help@uidai.gov.in କୁ ଆପଣ ଇମେଲ କରନ୍ତୁ । ଆପଣ ଚାହିଁଲେ ଆପଣଙ୍କ ବାୟୋମେଟ୍ରିକ୍ ତଥ୍ୟକୁ ଲକ୍ କରି ଆଧାରର ଅପବ୍ୟବହାରକୁ ରୋକି ପାରିବ ।

ଏହି ସେବା UIDAI ୱେବସାଇଟରେ ଉପଲବ୍ଧ ଅଛି । ଏଥିପାଇଁ ଆପଣଙ୍କୁ UIDAI ର ଅଫିସିଆଲ୍ ୱେବସାଇଟ୍ କୁ ଯିବାକୁ ପଡିବ । ଏହାପରେ ଆଧାର ବିଭାଗରେ ଲକ୍ / ଅନଲକ୍ କ୍ଲିକ୍ କରନ୍ତୁ । ଏହାପରେ ଗାଇଡଲାଇନକୁ ଭଲଭାବେ ପଢନ୍ତୁ । ଆପଣଙ୍କର ଭର୍ଚୁଆଲ୍ ଆଇଡି, ନାମ, ପିନ୍ କୋଡ୍ ଏବଂ କ୍ୟାପଚା କୋଡ୍ ପ୍ରବେଶ କରନ୍ତୁ । ଏହାପରେ ଓଟିପି ପଠାନ୍ତୁ ଉପରେ କ୍ଲିକ୍ କରନ୍ତୁ । ଏହାପରେ ଆପଣଙ୍କ ପଞ୍ଜୀକୃତ ମୋବାଇଲ୍ ନମ୍ବରକୁ ଏକ ଓଟିପି ଯିବ | ଓଟିପି ଦେଇ ଆପଣଙ୍କର ବାୟୋମେଟ୍ରିକ୍ ତଥ୍ୟକୁ ଲକ୍ କରନ୍ତୁ । ବାୟୋମେଟ୍ରିକ୍ ତଥ୍ୟ ଲକ୍ କରିବା ପରେ, ଆପଣ ଯେତେବେଳେ ଚାହିଁବେ ଏହାକୁ ଅନଲକ୍ କରାଯାଇପାରିବ । ଏହି ଫିଚର ଦ୍ଵାରା ଆପଣଙ୍କ ଅନୁମତି ବିନା କେହି ଆପଣଙ୍କର ବାୟୋମେଟ୍ରିକ୍ ତଥ୍ୟକୁ ପ୍ରବେଶ କରିପାରିବେ ନାହିଁ ।

Comments are closed.