Latest Odisha News

BREAKING NEWS

ଇରାନ ପରେ ଟାର୍ଗେଟରେ ପାକିସ୍ତାନ !

ନୂଆଦିଲ୍ଲୀ: ପାକିସ୍ତାନ ସେନାମୁଖ୍ୟ ଅସିମ ମୁନିର ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପଙ୍କ ସହ ମଧ୍ୟାହ୍ନ ଭୋଜନ କରିଛନ୍ତି । ହେଲେ ପାକିସ୍ତାନରେ ଖୁସି ଅପେକ୍ଷା ଚିନ୍ତା ବେଶୀ ଘାରିଛି । ଇସ୍ରାଏଲ୍ ଓ ଇରାନ ମଧ୍ୟରେ ଯୁଦ୍ଧ ଚାଲିଥିବା ବେଳେ, ଆଗକୁ ପଡିବ କି ପାକିସ୍ତାନର ପାଳି? ଇରାନ ପରେ ପଶ୍ଚିମ ଦେଶ ଓ ଇସ୍ରାଏଲର ନିଶାନାକୁ ଆସିବ କି ପାକିସ୍ତାନ? ପାକିସ୍ତାନର ରାଜନେତା, ସାମ୍ବାଦିକ ଓ ସୋସିଅଲ୍ ମିଡିଆରେ ଏନେଇ ଜୋରଦାର ଚର୍ଚ୍ଚା ହେଉଛି । ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କ ଏକ ପୁରୁଣା ବୟାନର ଭିଡିଓ ଭାଇରାଲ୍ ହେଉଛି । ଏଥିରେ ଇରାନ ଓ ପାକିସ୍ତାନ ପାଖରେ ପରମାଣୁ ବୋମା ରହିବା ଉଚିତ୍ ନୁହେଁ ବୋଲି ନେତାନ୍ୟାହୁ କହୁଛନ୍ତି। ବର୍ତ୍ତମାନ ସ୍ଥିତି ସହ ଏହାକୁ ଯୋଡି ଦେଖାଯାଉଛି ।

ଇରାନ-ଇସ୍ରାଏଲ୍ ଯୁଦ୍ଧ…ବଢିଲା ପାକିସ୍ତାନ ଚିନ୍ତା

ଗତ ଜୁନ୍ ୧୩ତାରିଖରେ ଇରାନର ପରମାଣୁ ଓ ସେନା ଠିକଣା ଉପରେ ବଡ଼ ଧରଣର ଆକ୍ରମଣ କରିଥିଲା ଇସ୍ରାଏଲ୍ । ଅପରେସନରେ ଇରାନ ସେନାର ଟପ୍ ଅଫିସରଙ୍କ ସହ ଅନେକ ପରମାଣୁ ବୈଜ୍ଞାନିକ ପ୍ରାଣ ହରାଇଥିଲେ । ଇରାନ ପକ୍ଷରୁ ମଧ୍ୟ ତେଲ ଅବିବ ଉପରେ ଜବାବି ଆକ୍ରମଣ କରାଯାଇଛି । ଇରାନ୍ ଓ ଇସ୍ରାଏଲ୍ ଯୁଦ୍ଧ ଭୟାବହ ହୋଇଥିବା ବେଳେ ପାକିସ୍ତାନ ଇରାନକୁ କୁଟନୈତିକ ସମର୍ଥନ ଜଣାଉଛି । ପାକିସ୍ତାନ ପ୍ରତିରକ୍ଷା ମନ୍ତ୍ରୀ ଖ୍ବାଜା ଆସିଫ ଇସ୍ରାଏଲର ନିନ୍ଦା କରିବା ସହ ସବୁ ମୁସଲିମ ଦେଶ ଏକାଠି ହେବାକୁ ଅପିଲ୍ କରିଥିଲେ । ଏହା ମଧ୍ୟରେ ଇସ୍ରାଏଲ୍ ଇରାନ ଉପରେ ପରମାଣୁ ହମଲା କଲେ ପାକିସ୍ତାନ ଇସ୍ରାଏଲ ଉପରେ ପରମାଣୁ ବୋମା ପକାଇବ ବୋଲି ଇରାନର ଜେନେରାଲ କହିଥିଲେ । ତେବେ ପାକିସ୍ତାନ ଏହାକୁ ଖଣ୍ଡନ କରିଛି । ଏଥିରୁ ପାକିସ୍ତାନର ଇସ୍ରାଏଲ୍ ଭୟ ସ୍ପଷ୍ଟ ଜଣାପଡୁଛି ।

ଇରାନ, ପାକିସ୍ତାନ…ଏତେ ସମାନତା

ପଶ୍ଚିମ ଦେଶ ଓ ଇସ୍ରାଏଲ ନଜରରେ ଇରାନ ଓ ପାକିସ୍ତାନ ମଧ୍ୟରେ ଅନେକ ସମାନତା ରହିଛି । ଆଇଏଇଏ ଇରାନ ପରମାଣୁ ଅପ୍ରସାର ସନ୍ଧିର ଉଲ୍ଲଂଘନ କରିଥିବା ଘୋଷଣା କରିଥିଲା । ସେପଟେ ପାକିସ୍ତାନ ପାଖରେ ୧୫୦ରୁ ୧୭୦ ପରମାଣୁ ହତିଆର ରହିଛି । ତେବେ ପରମାଣୁ ହତିଆର ଆତଙ୍କୀଙ୍କ ହାତକୁ ଯିବା ନେଇ ଆଶଙ୍କା ରହିଛି । ପରମାଣୁ ହତିଆର ଆତଙ୍କୀ ସମୂହ ବା ଦାୟିତ୍ବହୀନ ଦେଶ ପାଖରେ ରହିବା ନେଇ ଆଶଙ୍କା ପ୍ରକାଶ କରିଛନ୍ତି ଆମେରିକା ଓ ଇସ୍ରାଏଲ୍ । ଇରାନ ପରମାଣୁ ଶକ୍ତି ହେବାକୁ ଉଦ୍ୟମ କରୁଥିବା ବେଳେ ପାକିସ୍ତାନ ଏକ ପରମାଣୁ ଶକ୍ତିସଂପନ୍ନ ଦେଶ । ତେଣୁ ପାକିସ୍ତାନକୁ ନିଶାନା କରାଯାଇପାରେ ।

ଆତଙ୍କବାଦକୁ ସମର୍ଥନ ଅଭିଯୋଗ

ହିଜବୁଲ୍ଲାହ, ହମାସ, ହୁତି ବିଦ୍ରୋହୀ, ଇରାକର ସିୟା ମିଲିସିଆଙ୍କୁ ଫଣ୍ଡିଂ କରିବା ସହ ହତିଆର ଯୋଗାଇବା ନେଇ ଇରାନ ଉପରେ ଅଭିଯୋଗ ହୋଇଛି । ସେହିପରି ପାକିସ୍ତାନ ଉପରେ ଲସ୍କର-ଏ-ତୋଏବା, ଜୈସ-ଏ-ମୋହମ୍ମଦ ଓ ତାଲିବାନ ପରି ଆତଙ୍କବାଦୀ ସଂଗଠନକୁ ସମର୍ଥନ କରିବା ଅଭିଯୋଗ ରହିଛି । ୨୦୦୮ ମୁମ୍ବାଇ ଆକ୍ରମଣ ହେଉ କି ୨୦୧୯ରେ ପୁଲଓ୍ବାମା ହମଲା, ଆତଙ୍କୀଙ୍କ ସିଧା ସଂପୃକ୍ତି ରହିଛି । ଉଭୟ ଆମେରିକା ଓ ଇସ୍ରାଏଲ୍ ଆଞ୍ଚଳିକ ସ୍ଥିରତା ଚାହୁଁଛନ୍ତି । ଆଉ ଏଥିପାଇଁ ଇରାନ ଓ ପାକିସ୍ତାନକୁ ବିପଦ ମନେ କରନ୍ତି । ତେଣୁ ଏବେ ହେଉ କି ପରେ ପାକିସ୍ତାନ ପଶ୍ଚିମ ଦେଶଙ୍କ ଟାର୍ଗେଟକୁ ଆସିପାରେ ।

କାହିଁକି ପାକିସ୍ତାନ ଡରିବା ଜରୁରୀ?

ପାକିସ୍ତାର ପରମାଣୁ ବୋମା କବଜା କରିବା ନେଇ ଆମେରିକାର ସ୍ନାଚ ଆଣ୍ଡ ଗ୍ରାବ୍ ଯୋଜନାକୁ ନେଇ ନିକଟରେ ଚର୍ଚ୍ଚା ହୋଇଥିଲା । ଇସ୍ରାଏଲ୍ ମଧ୍ୟ ପାକିସ୍ତାନ ପରମାଣୁ ବୋମା ପ୍ରସ୍ତୁତ କରିବା ପୂର୍ବରୁ ଏହାକୁ ଶେଷ କରିବାକୁ ଯୋଜନା କରୁଛି । ଅସିମ ମୁନିରଙ୍କ ସହ ରୁଦ୍ଧଦ୍ବାର ଲଞ୍ଚ କରିଥିଲେ ମଧ୍ୟ ଟ୍ରମ୍ପଙ୍କ ଉପରେ ଭରସା କରାଯାଇ ପାରିବନି । କାରଣ ଆମେରିକାର ଫାଇଦା ପାଇଁ ମୁନିରଙ୍କ ସହ ଟ୍ରମ୍ପ ବୈଠକ କରିଥିବା କୁହାଯାଉଛି । ତେଣୁ ନିଜ ସ୍ବାର୍ଥ ପାଇଁ ଯେକୌଣସି ମୁହୁର୍ତ୍ତରେ ପଲଟି ମାରି ପାରନ୍ତି ଟ୍ରମ୍ପ । ବିଶେଷ କରି ଇରାନକୁ ନେଇ ପାକିସ୍ତାନ ନିରବ ରହିବା ଏହାକୁ ଆଗାମୀ ଟାର୍ଗେଟ୍ ବନାଇପାରେ ବୋଲି ଆଶଙ୍କା କରାଯାଉଛି ।

Comments are closed.