Latest Odisha News

BREAKING NEWS

ଭୁବନେଶ୍ୱର ପହଞ୍ଚିଲେ ଇସ୍ରୋ ମୁଖ୍ୟ; କହିଲେ ଚନ୍ଦ୍ରଯାନ ଅଭିଯାନ ସଫଳ ହୋଇଛି ୯୮ ପ୍ରତିଶତ

ଭୁବନେଶ୍ୱର: ଓଡ଼ିଶା ରାଜଧାନୀରେ ପହଞ୍ଚିଲେ ଇସ୍ରୋ ମୁଖ୍ୟ ଡକ୍ଟର କେ ଶିବନ । ସ୍ଥାନୀୟ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ପହଞ୍ଚିବା ମାତ୍ରେ ସାମ୍ବାଦିକମାନେ ତାଙ୍କୁ ଚାନ୍ଦ୍ରାୟଣ ୨ ନେଇ ଅନେକ ପ୍ରଶ୍ନ ପଚାରିଥିଲେ । ଇସ୍ରୋ ମୁଖ୍ୟ ଚାନ୍ଦ୍ରାୟଣ ୨ ଅଭିଯାନ ସମ୍ପର୍କରେ ପ୍ରତିକ୍ରିୟା ରଖି କହିଛନ୍ତି ଯେ, ଏହି ଅଭିଯାନ ୯୮ % ସଫଳ ହୋଇଛି । ଏପର୍ଯ୍ୟନ୍ତ ମଧ୍ୟ ଚନ୍ଦ୍ରପୃଷ୍ଠରେ ଲ୍ୟାଣ୍ଡର୍ ବିକ୍ରମ ସହିତ ଯୋଗାଯୋଗ ରକ୍ଷା କରିବାକୁ ଉଦ୍ୟମ ଜାରି ରହିଛି । ଏନେଇ ଇସ୍ରୋର ବୈଜ୍ଞାନିକମାନେ ରାତି ଦିନ ପ୍ରଚେଷ୍ଠା ଜାରି ରଖିଛନ୍ତି ।

“ଆମର ୮ଟି ବୈଷୟିକ ଯନ୍ତ୍ରପାତି ଏହି ଅରବିଟରରେ ଖଞ୍ଜା ଯାଇଛି, ସେଗୁଡ଼ିକ ଏଯାଏଁ କାର୍ଯ୍ୟକ୍ଷମ ଅଛି ବୋଲି ଆମେ ସୂଚନା ପାଇଛୁ । ଅରବିଟର୍ ଦ୍ୱାରା ପ୍ରେରିତ ହୋଇଥିବା ଫଟୋଗ୍ରାଫ ଗୁଡ଼ିକ ବେଶ୍ ଦେଖିହେଉଛି ଏବଂ ଏଥିରୁ ଆମେ ଆବଶ୍ୟକୀୟ ସୂଚନା ପାଇପାରିଛୁ । ଏହା ଆଗାମୀ ଦିନମାନଙ୍କରେ ଚନ୍ଦ୍ର ଅଭିଯାନରେ ସହାୟତା ପ୍ରଦାନ କରିପାରିବ,”ବୋଲି କହିଛନ୍ତି ଡ଼କ୍ଟର ଶିବନ ।

ଅରବିଟର୍ ସମ୍ପର୍କରେ ଡ଼କ୍ଟର୍ ଶିବନ କହିଛନ୍ତି, ପୂର୍ବରୁ ଆମେ ଯେଉଁ ଅରବିଟର୍ ବ୍ୟବହାର କରିଥିଲୁ ତାହାର ଲାଇଫ୍ ସ୍ପାନ ମାତ୍ର ଏକ ବର୍ଷ ରହିଥିଲା, ମାତ୍ର ଏବେ ଏହାର ଲାଇଫ ସ୍ପାନ ଦୀର୍ଘ ୭ ବର୍ଷ ରହିଛି ।

ଚାନ୍ଦ୍ରାୟଣ ୨ ଅଭିଯାନ ପରେ ଏହା ହେଉଛି ଡ଼କ୍ଟର ଶିବନଙ୍କ ପ୍ରଥମ ଓଡ଼ିଶା ଗସ୍ତ ।

ଇସ୍ରୋ ମୁଖ୍ୟ ଡ଼କ୍ଟର୍ ଶିବନ ଭୁବନେଶ୍ୱର ଆଇଆଇଟିର ୮ମ ସମାବର୍ତ୍ତନ ଉତ୍ସବରେ ଯୋଗ ଦେବାକୁ ଶନିବାର ଦିନ ଭୁବନେଶ୍ୱର ପହଞ୍ଚିଛନ୍ତି । ଏହି ଚର୍ଚ୍ଚିତ ବୈଜ୍ଞାନିକଙ୍କୁ ଭେଟିବାକୁ ଭୁବନେଶ୍ୱବାସୀ ବେଶ୍ ଉତ୍ସୁକତାର ସହିତ ଅପେକ୍ଷା କରିଥିଲେ ।

Leave A Reply

Your email address will not be published.