ଭୁବନେଶ୍ୱର: କର୍ଣ୍ଣାଟକ ସରକାର ମଧ୍ୟରେ କଂଗ୍ରେସ କେନ୍ଦ୍ରୀୟ ନେତୃତ୍ବର ହସ୍ତକ୍ଷେପକୁ ନେଇ ବିବାଦ ଆରମ୍ଭ ହୋଇଛି। କର୍ଣ୍ଣାଟକ ସରକାରଙ୍କ ପକ୍ଷରୁ ଆୟୋଜିତ ଏକ ସରକାରୀ ବୈଠକରେ କଂଗ୍ରେସ ସାଧାରଣ ସମ୍ପାଦକ ରଣଦୀପ ସୂରଜେୱାଲାଙ୍କ ଅଧ୍ୟକ୍ଷତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବିଜେପି ଓ ଜେଡିଏସ।
କର୍ଣ୍ଣାଟକର ବରିଷ୍ଠ ମନ୍ତ୍ରୀ ଓ ଆଇଏଏସ ଅଧିକାରୀଙ୍କ ଉପସ୍ଥିତିରେ ଆୟୋଜିତ ବୈଠକରେ ରଣଦୀପ ଅଧ୍ୟକ୍ଷତା କରିଥିବା ଅଭିଯୋଗ ହୋଇଛି। ବୈଠକରେ କର୍ଣ୍ଣାଟକ ଉପମୁଖ୍ୟମନ୍ତ୍ରୀ ଡି କେ ଶିବକୁମାର, ମନ୍ତ୍ରୀ ରାମଲିଙ୍ଗା ରେଡ୍ଡୀ, କେ ଜେ ଜର୍ଜ, ବି ଜେଡ ଜମିର ଅହମଦ ଖାନ, ବିଡିଏ କମିଶନର ତଥା ଅନ୍ୟ ବରିଷ୍ଠ ସରକାରୀ ଅଧିକାରୀ ମାନେ ଉପସ୍ଥିତ ରହିଥିଲେ।
କିନ୍ତୁ ବୈଠକରେ ସୁରଜେୱାଲା ଯୋଗ ଦେବାକୁ ନେଇ ବିରୋଧୀ କଂଗ୍ରେସକୁ ଟାର୍ଗେଟ କରିଛନ୍ତି। ଗାନ୍ଧୀ ପରିବାର କର୍ଣ୍ଣାଟକକୁ ନିୟନ୍ତ୍ରଣ କରିବାକୁ ଚାହୁଁଥିବା ବିଜେପି ଅଭିଯୋଗ କରିଛି। ଗାନ୍ଧୀ ପରିବାରର ଘନିଷ୍ଠ ସୁରଜେୱାଲାଙ୍କୁ କର୍ଣ୍ଣାଟକରେ ସରକାରୀ ନିଷ୍ପତ୍ତି ନେବାକୁ ପଠାଯାଇଛି ବୋଲି କୁହାଯାଇଛି।
ବିଡିଏ କିମ୍ବା ବିବିଏମପିର କୌଣସି ପଦପଦବୀ କିମ୍ବା ସରକାରୀ ପଦରେ ନ ଥିବା ବେଳେ କେଉଁ ଅଧିକାରରେ ସୁରଜେୱାଲା ସରକାରୀ ବୈଠକରେ ଅଧ୍ୟକ୍ଷତା କଲେ ବୋଲି ପ୍ରଶ୍ନ କରିଛି ବିଜେପି। ଆଗାମୀ ୨୦୨୪ ନିର୍ବାଚନ ପାଇଁ ଫଣ୍ଡ ଯୋଗାଡ଼ କରିବା ପାଇଁ ଡିଲ କରିବାକୁ ଏହି ବୈଠକ କରାଯାଇଥିବା ବିଜେପି କହିଛି।
ବିଜେପି ବିଧାୟକ ବାସନାଗଉଡା ପାଟିଲ ୟାଟନାଲ ଏ ନେଇ ମୁଖ୍ୟମନ୍ତ୍ରୀ ସିଦ୍ଦରମେୟା ଉତ୍ତର ରଖିବାକୁ ଦାବି କରିଛନ୍ତି। ଜେଡିଏସ ମଧ୍ୟ ଏହାକୁ ନେଇ କଂଗ୍ରେସକୁ ଟାର୍ଗେଟ କରିଛି।
କର୍ଣ୍ଣାଟକ ପୂର୍ବତନ ମୁଖ୍ୟମନ୍ତ୍ରୀ ଏଚ ଡି କୁମାରସ୍ୱାମୀ କର୍ଣ୍ଣାଟକ ସରକାର ୧୦ ଜନପଥରୁ ନିୟନ୍ତ୍ରଣ ହେଉଥିବା ଅଭିଯୋଗ କରିଛନ୍ତି। କର୍ଣ୍ଣାଟକବାସୀ କଣ ଏଭଳି ସରକାରକୁ ଭୋଟ ଦେଇଥିଲେ ବୋଲି ପ୍ରଶ୍ନ କରିଛନ୍ତି କୁମାରସ୍ୱାମୀ।
ସେପଟେ ଏସବୁ କଥାକୁ ଶିବକୁମାର ଖଣ୍ଡନ କରିଛନ୍ତି। ଏହା ସେଭଳି କୌଣସି ସରକାରୀ ବୈଠକ ନ ଥିଲା ଓ ଏହାକୁ ନେଇ ବିରୋଧୀ ଯାହା କହିବା କଥା କୁହନ୍ତୁ ବୋଲି ସେ କହିଛନ୍ତି।
Comments are closed.