Latest Odisha News

କଂଗ୍ରେସର ନୂଆ ନିର୍ବାଚନୀ ଫର୍ମୁଲା, ଦଳ ସାଜିଛି ଅନାଥର ନାଥ !

ଭୁବନେଶ୍ୱର: ନିର୍ବାଚନ ପୂର୍ବରୁ କଂଗ୍ରେସ ଆଗ୍ରେସିଭ ଢଙ୍ଗରେ ପ୍ରଚାରକୁ ଜୋରଦାର କରିଛି। ଯେଉଁଠି ଦଳର ସରକାର ଅଛି ସେସବୁ ସ୍ଥାନରେ କିଭଳି ଦଳ ବିଭିନ୍ନ ପ୍ରତିଶ୍ରୁତି ପୂରଣ କରୁଛି ଓ ଆଗକୁ ଅନ୍ୟ ରାଜ୍ୟରେ ଯେଉଁ ପ୍ରତିଶ୍ରୁତି ଦିଆଯାଇଛି ତାହା ତୁରନ୍ତ ପୂରଣ ହେବ ବୋଲି ପ୍ରଚାର ମାଧ୍ୟମରେ କୁହାଯାଉଛି।

BjdElectrycity

ସାମାଜିକ ଗଣମାଧ୍ୟମରେ ଏ ସମ୍ପର୍କିତ ପୋଷ୍ଟରକୁ ବହୁଳ ଭାବେ ପୋଷ୍ଟ କରାଯିବା ସହ ଦେଶର କୋଣ ଅନୁକୋଣରେ ଏହି ବାର୍ତା ପହଞ୍ଚାଇବାକୁ ଦଳ ଉଦ୍ୟମ କରୁଛି। ଏହି ଅବସରରେ ଅନାଥ ଶିଶୁଙ୍କ ପାଇଁ କଂଗ୍ରେସ ଶାସିତ ରାଜ୍ୟର ସରକାର ବଡ଼ ସହାୟତା ଘୋଷଣା କରିଛନ୍ତି।

ଏକାସାଙ୍ଗରେ ହିମାଚଳ ପ୍ରଦେଶ, ଛତିଶଗଡ଼ ଓ ରାଜସ୍ଥାନରେ ଏହି ଯୋଜନା ଘୋଷଣା ହୋଇଛି। ଯାହାକୁ ନେଇ ସାମାଜିକ ଗଣମାଧ୍ୟମରେ ବ୍ୟାପକ ପ୍ରଚାର କରାଯାଉଛି।

ବଚପନ ଅଵ ନେହିଁ ବେସାହାରା ନାମରେ କଂଗ୍ରେସ ଶାସିତ ରାଜ୍ୟର ସରକାର ଅନାଥ ଶିଶୁମାନଙ୍କ ପାଇଁ ସହାୟତା ଘୋଷଣା କରିଛନ୍ତି। ହିମାଚଳ ପ୍ରଦେଶ ସରକାର ମାସିକ ଚାରି ହଜାର ଟଙ୍କା ସହାୟତା ଦେବାକୁ ନିଷ୍ପତ୍ତି ନେଇଛନ୍ତି।

ସେହିଭଳି ଛତିଶଗଡ଼ରେ କରୋନା କାଳରେ ବାପା ମାଙ୍କୁ ହରାଇଥିବା ଶିଶୁଙ୍କୁ ମାଗଣା ପାଠପଢା ସହ ମାସିକ ହଜାରେ ଟଙ୍କା ଓ ରାଜସ୍ଥାନରେ ଅନାଥ ଶିଶୁଙ୍କ ପାଇଁ ମାସିକ ୨୫୦୦ ଟଙ୍କା ସହାୟତା ଘୋଷଣା ହୋଇଛି।

ତେଣୁ ଏକା ସାଙ୍ଗରେ ଗୋଟିଏ ପ୍ରକାର ନାରା ଦେଇ କଂଗ୍ରେସ ଶାସିତ ରାଜ୍ୟରେ ବିଭିନ୍ନ ବର୍ଗ ପାଇଁ ସ୍ୱତନ୍ତ୍ର ସ୍କିମ ଘୋଷଣା କରି ମାହୋଲ ତିଆରି କରୁଛି ଦଳ। ଯାହାକୁ ନେଇ ରାଜନୈତିକ ଚର୍ଚ୍ଚା ଜୋର ଧରିଛି।

ପୂର୍ବରୁ ମଧ୍ୟ ଦେଶର ଆଉ ଏକ ପ୍ରମୁଖ ପ୍ରସଙ୍ଗ ପୁରୁଣା ପେନସନ ସ୍କିମ ଲାଗୁ କରି କଂଗ୍ରେସ ଚର୍ଚ୍ଚାରେ ରହିଛି। ଏକାସାଙ୍ଗରେ ଦଳ ଦ୍ୱାରା ଶାସିତ ରାଜ୍ୟରେ ସରକାର ମାନେ ଏହି ଓପିଏସ ଲାଗୁ ନେଇ ଘୋଷଣା କରିଛନ୍ତି।

ସେହିପରି ମହିଳାଙ୍କୁ ସୁବିଧା, ମାଗଣା ଓ ବିଜୁଳି ବିଲ ଅଧା ସହ ଅନ୍ୟାନ୍ୟ ସ୍କିମକୁ ନେଇ ବ୍ୟାପକ ପ୍ରଚାର ପ୍ରସାର କରୁଛି ଦଳ। ଏପରିକି ଯେଉଁଠି କଂଗ୍ରେସ ସରକାର ଅଛି ସେଠି ଦଳ ଏ ସବୁ ଦେଉଥିବା ବେଳେ ଯେଉଁଠି ସରକାର ଆସିବ ତୁରନ୍ତ ଅନ୍ୟ ରାଜ୍ୟ ଭଳି ସେସବୁ ରାଜ୍ୟରେ ଦେବ ବୋଲି କୁହାଯାଉଛି।

ଯାହାକି ଏକ ବଡ଼ ବାତାବରଣ ତିଆରି କରିବାରେ ସକ୍ଷମ ହେଉଥିବା ଚର୍ଚ୍ଚା ହେଉଛି। ଅନ୍ୟପକ୍ଷରେ ଲୋକେ ଯେହେତୁ ସିଧାସଳଖ ଲାଭ ପାଉଛନ୍ତି କିମ୍ବା ଲାଭ ପାଇବାର ଭରସା ପାଉଛନ୍ତି ସେତେବେଳେ ଅନ୍ୟ ଦଳ ଗୁଡିକ ଯେତେ ଯାହା ପ୍ରସଙ୍ଗ ଉଠାଇଲେ ମଧ୍ୟ ତାହା ଗୌଣ ହେଉଥିବା ମନେ ହେଉଛି।

ଏପରିକି କଂଗ୍ରେସର ଏହି ଫଣ୍ଡା ହିମାଚଳ ଓ କର୍ଣ୍ଣାଟକରେ କାମ ଦେବା ପରେ ଏବେ ସବୁ ଆଡେ ଦଳ ଏଭଳି ଢଙ୍ଗରେ କାର୍ଯ୍ୟକୁ ଜୋରଦାର କରିଛି। ତେଣୁ ଏହାଦ୍ୱାରା କଂଗ୍ରେସ ସପକ୍ଷରେ ଏକ ବାତାବରଣ ତିଆରି ହୋଇଥିବା ବେଳେ ଏହାକୁ ରୋକିବାକୁ ବିଜେପି ଓ ଅନ୍ୟ ଦଳ କିଭଳି ରଣନୀତି ଆପଣାଇବେ ତା ଉପରେ ନଜର।

Leave A Reply

Your email address will not be published.