Latest Odisha News

ଧାରାବାହିକ ଉପନ୍ୟାସ : ଦେବୀ (୨୪)

କାମଦେବ ମହାରଣାଙ୍କ ଧାରାବାହିକ ଉପନ୍ୟାସ “ଦେବୀ” : ଭାଗ ୨୪

କେଜାଣି କାହିଁକି ପିଲାଟି ଦିନରୁ ହିଁ ଦେବୀକୁ ଭଲ ଲାଗେ ଦେବଭାଇ। ଧୂଳି ଖେଳରୁ ହିଁ ଦେବୀର ଚେତନା ଭିତରେ ଦେବ ଭାଇ ବାସ କରେ। ଦେବ ଭାଇର ହସ ଖୁବ୍ ଭଲ ଲାଗେ। ଆହୁରି ଭଲ ଲାଗେ ତା ଚଞ୍ଚଳପଣ। କଥାର ଯାଦୁଗରୀ ମାୟାରେ ସେ ସମସ୍ତଙ୍କୁ ବଶ କରିପାରେ।

ଦେବଭାଇ ସବୁଦିନ ତାଙ୍କ ଘରକୁ ଆସେ। ବିନୟ ଭାଇ ସହିତ କଥା ହୁଏ। ଚା ସହିତ ମସଲା ମୁଢ଼ି ଖାଇଲା ବେଳେ ବୋଉକୁ ପ୍ରଶଂସାରେ ପୋତି ପକାଏ। ଦେବକୁ ଏ ସବୁ ଭଲ ଲାଗେ। ସେ ଯେତେବେଳେ ଘରେ ଋଷେ ସେତେବେଳେ ବୋଉ ଖବର ଦିଏ ଦେବ ଭାଇକୁ। ଦେବୀ ରାଗ ତମତମ ହୋଇ କହେ, ଯିଏ ବି ଆସୁ ମୁଁ ଖାଇବି ନାହିଁ। ହେଲେ ଦାଣ୍ଡ ଦୁଆରୁ ଯେତେବେଳେ ଦେବ ଭାଇର ପାଟି ଶୁଭେ, ଦେବୀ ର ରାଗ କୁଆଡେ ଉଭେଇ ଯାଏ।

ଦେବ ଭାଇ ଘରକୁ ଆସି ବୋଉକୁ କୁହନ୍ତି – କୁଆଡେ ଗଲା ସେ କୁନି ଝିଅ ,ଖୁଡି ଖାଇବା ବଢିଲ! ମତେ ଖୁବ୍ ଭୋକ ଲାଗିଲାଣି। ବୋଉ ଘର ଭିତରେ ଦୁଇଟି ଆସନ ପକାଏ । ଗମ୍ଭୀରା ଭିତରୁ ଦେବୀ ଚାହିଁ ବସିଥାଏ ।ଦେବ ଭାଇ ଖୁବ୍ ଧିରେ ମହୁବୋଳା ସ୍ୱରରେ ଡାକନ୍ତି , “କୁଆଡେ ଗଲୁ ଦେବୀ ମାଆ ! ” ଭୋଗ ପରା ବଢ଼ା ହେଲାଣି।

ଅନିୟନ୍ତ୍ରତ ହୁଏ ଦେବୀର ପାଦ।ସେ ଧାଇଁ ଯାଇ ଦେବ ଭାଇ ଆଗରେ ବସିଯାଏ।ଦେବ ଭାଇ ଥାଳିରୁ ଭାତ ତରକାରୀ ଗୁଳେଇ ତାକୁ ଖୁଆଇ ଦିଅନ୍ତି ।ବୋଉ ହାଣ୍ଡିଶାଳରୁ ହସୁଥାଏ । ଯେତେବେଳେ ବୟସ ଆସି ନିଜକୁ ଡାକିଲା କେଉଁ ଏକ ନିଭୃତ କାନନକୁ ସେତେବେଳେ ଦେବୀ ଜାଣିଲା ତା ଭିତରେ କେହିଜଣେ ରହିଛି।ସେ ଏକ କଥା କୁହା ଠାକୁର। ହୃଦୟର ସବୁତକ ଶୂନ୍ୟତାକୁ ତା ପାଦତଳେ ଅର୍ଘ୍ୟ ଦେଇ ଦେବୀ ଷୋଡ଼ଶ ଉପଚାରରେ ପୂଜା କରେ।

ଆଗକୁ ଆଗକୁ ଯେତେ ବଢୁଥିଲା ବୟସ, ସେତେ ନିଜର ଲାଗୁଥିଲା ଦେବ ଭାଇ। ଏଇ ଯେମିତି ଦିନେ ନଦେଖିଲେ ଦେବୀକୁ ଲାଗୁଥିଲା ବର୍ଷକର ବିରହ ପରି। ଅନ୍ତର୍ମନରେ ସେ ସଜଉଥିଲା ଏକ ଫୁଲ ବେଦୀ। ସେଥିରେ ବସାଉଥିଲା ତାର ଇଷ୍ଟ ଦେବକୁ। ନିଜ ଭିତରର ସବୁ କାମନା କଳ୍ପନାକୁ ଅର୍ଘ୍ୟ ଦେଇ ଦେବୀ ମାଗୁଥିଲା କେବଳ ଗୋଟିଏ ମୁହୂର୍ତ୍ତ।

ସେ ମୁହୂର୍ତ୍ତ କେବଳ ତା’ର। ସେଇ ମୁହୂର୍ତ୍ତକୁ ସେ କେମିତି ଧରିରଖିବ ସେଇ କଳ୍ପନାରେ ସରିଯାଉଥିଲା ସହସ୍ର ରାତି। ବେଳେବେଳେ ଖୁବ୍ କାନ୍ଦଲାଗୁଥିଲା ତାକୁ। ହେଲେ କାହିଁକି କାନ୍ଦୁଥିଲା ତାର ଉତ୍ତର ଦେବୀ ପାଖରେ ନଥିଲା।

ଦିନେ ଦିନେ ଦେବ ଭାଇ କୁଆଡେ ଉଭାନ ହୋଇଯାଉଥିଲା।ଦେବୀକୁ ଲାଗୁଥିଲା ସତେ ଯେମିତି ତା ଭାଗର ପୃଥିବୀରେ ପବନକୁ ମନା। ରଙ୍ଗକୁ ମନା । ଫୁଲ ନାଆଁରେ ନାଲିସ କରୁଥିଲା ପ୍ରଜାପତି। ମେଘ ବିରୁଦ୍ଧରେ ପାଟି କରୁଥିଲା ମୟୁରୀ। ଦେବୀ ଜାଣି ପାରୁଥିଲା ତା ଭିତରେ କିଛି ଗୋଟେ ପରିବର୍ତ୍ତନ ହେଉଛି। ଠିକ୍ ସଂବାଳୁଆ ପରି। ଧିରେ ଧିରେ କଅଁଳି ଉଠୁଥିଲା ପର।ତାକୁ ଶୁଣା ଯାଉଥିଲା ପକ୍ଷୀଙ୍କ କଣ୍ଠରେ ପ୍ରଣୟର ସାତତାନ।

ସକାଳ ହେବାକୁ ଆଉ କେତେ ବେଳ ବାକି। ଚଢେଇ କେତୋଟି ପରସ୍ପରକୁ ଡକାଡକି କରି ନିର୍ଦ୍ଧାରଣ କରୁଥିଲେ ନିଜନିଜର ଗନ୍ତବ୍ୟ ପଥ।

ମାଆ ତୁ ଶୋଇନୁ ନା ! ରାତି ବୋଧେ ପାଇବଣି। ଝର୍କା ଦେଇ ଦିଗନ୍ତକୁ ଚାହୁଁଥିଲା ଦେବୀ ।

କ୍ରମଶଃ…….

Comments are closed.