Latest Odisha News

BREAKING NEWS

ଗଳ୍ପ : ଦେଖି ନଥିବା ଚିତ୍ର

ବିଷ୍ଣୁପ୍ରିୟା କରସୁଧା ପଟ୍ଟନାୟକ 

ବହୁତ ଦିନ ପରେ ମନ କଥା ପୂର୍ଣ୍ଣ ହେବାକୁ ଯାଉଥିଲା ସଂଗ୍ରାମର । କେତେ ଉତ୍ସାହ ଉଦ୍ଦୀପନା ରେ ଧାଇଁ ଯାଉଥିଲା ମନ । ଯେମିତି ଶୁଣିଲା ନିଜ ସମ୍ପର୍କୀୟଙ୍କ ପାଖରୁ ..ଜଣେ ଅଛି ଯାହାର ମୁହଁ ଅବିକଳ ସେ ଖୋଜୁଥିବା ସବୁଠୁ ପ୍ରିୟ ମଣିଷଙ୍କ ପରି । ସଙ୍ଗେସଙ୍ଗେ ଅନୁରୋଧ କରିଥିଲା ତାଙ୍କ ଫୋଟଟେ ପଠେଇବା ପାଇଁ । ଫଟୋ ଟେ ପାଇଲା ଭିତରେ ସେ କେତେ କଣ ଭାବି ଦେଇଥିଲା ନିଜ ସେଲ ଫୋନରୁ । ଚିତ୍ରକାର ବନ୍ଧୁ ସତ୍ୟବ୍ରତଙ୍କ ନମ୍ବରକୁ ରିଙ୍ଗ କଲା । ଥରେ ଦେଖିଲେ ଯିଏ ଅବିକଳ ଆଙ୍କି ଦିଅନ୍ତି ତାଙ୍କ ଯାଦୁଇ ଆଙ୍ଗୁଳିରେ । ବାସ ଫୋଟ ଦେଲେ ହେଲା । ତଥାପି ତାଙ୍କୁ ସାଥିରେ ଯିବା ପାଇଁ ଅନୁରୋଧ କରିଥିଲା । ଆଉ ସେପଟୁ ହଁ ଉତ୍ତରରେ ନାଚି ଉଠିଥିଲା ତା’ ମନ ।

କାଳବିଳମ୍ବ ନକରି ନିଜର ସ୍କୋରପିଓ ଧରି ବାହାରି ପଡିଲା ସତ୍ୟବ୍ରତ ଘରକୁ ସେଇଠୁ ଯାତ୍ରା ଆରମ୍ଭ ହେବ ଘରଠୁ ମାତ୍ର ଶହେ ଚାଳିଶ କିଲୋମିଟର ଦୂର ଆମ୍ବଡା । ସାଥିରେ ଅନେକ ବ୍ୟାକୁଳତା । ଆଜି ପ୍ରଥମ ଥର ଦେଖିବ , ଯାହାକୁ ଦେଖିବା ପାଇଁ ଟିକେ ବୁଦ୍ଧି ହେବାଠାରୁ ଏଯାବତ ଖୋଜିଛି । କେମିତି ବା ନ ଖୋଜିବ ; ଯାହା ପାଇଁ ସେ ଦୁନିଆକୁ ଆସିଛି, ଯାହା ବିଷୟରେ ଶୁଣିବା ପାଇଁ କେବେ ସାରା ରାତି ଅନିଦ୍ରା ତ କେବେ ନିଘୋଡ଼ ନିଦ ଆଉ ସ୍ୱପ୍ନରେ ହଜିଛି ଆଉ ଖୋଜିଛି । କେତେ ଇଚ୍ଛା ନ କରିଛି ଶୁଣିବା ପାଇଁ କେମିତି ସେ ଭୂମିଷ୍ଠ ହେଲା, କେମିତି ସେ ମାର କୋମଳ କୋଳରେ ଖେଳୁଥିଲା, ମା ତାକୁ କେମିତି ଗେଲ କରୁଥିଲେ ? ସବୁ ମା ପରି ତା ପଛରେ ଧାଉଁଥିଲେ କି ? ଦୃଷ୍ଟ ହେଉଥିଲା କି ସେ…?

ଏମିତି ଅନେକ ପ୍ରଶ୍ନ ତାଙ୍କୁ ଦେଖିଥିବା ଲୋକଙ୍କୁ ପଚାରି ପଚାରି ବିରକ୍ତ କରି ଆସିଛି । କଳ୍ପନାରେ ମାଆର ସୁନ୍ଦର ଚିତ୍ର ଆଙ୍କିଛି ହେଲେ । କେତେ ହତଭାଗା ସେ…ବାପାଙ୍କ ପାଖରୁ ମା ବିଷୟରେ କେବଳ ମାତ୍ର ଶୁଣିଛି କିନ୍ତୁ ପିମ୍ପି ମାରିଥିବା ବ୍ଲାକ ଏଣ୍ଡ ହ୍ଵାଇଟ ଫୋଟଟେ ସୁଧା ପାଇନି। ଯେତେ ଆଗ୍ରହରେ ମାଆକୁ ଖୋଜିଛି ସେତେ ନିରାଶରେ ଛଟପଟ ହେଇଛି ।

ବେଶୀ ବେଶୀ ମାଆକୁ ଝୁରି ହେଲା ଯେଉଁ ଦିନ ସାନ ମାଆର କୋଳରେ ଛୁଆଟେ ଖେଳିଲା । ଯେତେବେଳେ ଗୋଟି ଗୋଟି କରି ତିନୋଟି ସନ୍ତାନର ମାଆ ହେଲା ସାନ ମାଆ । ସେଇ ଦିନଠୁ ହିଁ ସଂଗ୍ରାମର ମାଆ କୋଳ ପରି ବାପା କୋଳ ଶୂନ୍ୟ ହେଇଯାଇଥିଲା ।

ଛୋଟ ପେନ୍ସିଲ ହେଉ କି ଶସ୍ତା ଡ୍ରେସ ଖଣ୍ଡେ, ମୁଢି ମୁଠେ କି ଭାତ ଗଣ୍ଡେ କେବଳ ସାନ ମା’ର ଦୟା ଉପରେ ନିର୍ଭର କରୁଥିଲା । ସର୍ବ ପଛରେ ହେଉ ପଛେ କେମିତି ଖଣ୍ଡେ ଦେଇ ଦେଉଥିଲା । ଦାଣ୍ଡରେ ପଡିଥିବା କୁକୁରକୁ ବି ତ ଅଇଁଠା ଗଣ୍ଡେ ଦେଇ ଦିଅନ୍ତି । ସେଥିପାଇଁ ଲୋକଲଜ୍ଜାକୁ କେମିତି ଟିକେ ଦେଖି ଦେଉଥିଲା ବୋଧେ । ନହେଲେ କେବେ ଠାରୁ ସଂଗ୍ରାମର ବି ଚିହ୍ନ ନଥାନ୍ତା । ତେବେ ସାନ ମାର କଟାକ୍ଷ ଚାହାଣି ହେଉ କି କଟୁକ୍ତି ବେଶ ସାହାଯ୍ୟ କରିଥିଲା ସଂଗ୍ରାମର ଲୁହକୁ ଲୁହା କରି ଆଗକୁ ବଢ଼ିବାରେ, ଲଢ଼ିବାରେ ଜୀବନ ସଂଗ୍ରାମରେ ଜିତିବାରେ ।

ମନେ ମନେ ଭାବେ କେତେ ଆଶ୍ଚର୍ଯ୍ୟର କଥା ନୁହେଁ କି ?ଏତେ ପାୱାର ହାତରେ ରଖି..ମୋ ମାର ଫୋଟଟେ ରଖିବାକୁ ଦେଲାନି ସାନ ମା…. ଏତେ ଇନସିକ୍ୟୁର ଫିଲ କରୁ ଥିଲା ,ଏତେ ଈର୍ଷ୍ୟା ମୋ ମା ପ୍ରତି ଥିଲା ଧିକ । ଜେଜେ ଠିକ କହିଥିଲା ମୋ ମା ‘ର ସୁନା ଘରକୁ ଚୁନା କରିଦେଲା…ଡାହାଣୀ ପରି ମୋ ମାଆ ସହ ମୋର ପିଲାଦିନ ଖାଇଦେଲା … କୋଉଠି ବଞ୍ଚିଲା ବି ଯେ ,ମୋ ବାପାଙ୍କ ବ୍ୟକ୍ତତ୍ୱ…ଅସ୍ତିତ୍ୱ ?ପୁରୁଷତ୍ୱ କଣ ପୋଷାକରେ ଥାଏ…?ସେ ତ ଥାଏ ବଳ, ବିର୍ଯ୍ୟ, ସାହସ ଧର୍ଯ୍ୟରେ,କର୍ମ,ଧର୍ମ ରେ..ବାପ ଜେଜେବାପଙ୍କ ପୃଷ୍ଟପୋଷକରେ..ଯାହା ପଶା ମାନି ସାରିଥିଲା ସାନ ମାଆର ବହୁରୂପୀ ରଙ୍ଗରେ ଢଙ୍ଗରେ..

ତେବେ ସବୁ କଥାକୁ ପଛ କରି ଆଗେଇ ଯାଇଥିବା ସଂଗ୍ରାମ ଆଜି କିନ୍ତୁ ବହୁତ ଖୁସି ।ଫୋନରେ ଆସିଥିବା ଫଟୋଟିକୁ ବାରମ୍ବାର ନିରେଖି ଦେଖୁଛି । ହଁ ଠିକ ଏମିତି ତ ଶୁଣିଥିଲା ଜେଜେ ପାଖରୁ ପତଳା ଦେହ , ନୀଳ ଆଖି , ଅଳ୍ପ ଚେପଟାନାକ , ଲମ୍ବା ମୁହଁ… ଆଉ ଶାବନା ରଙ୍ଗ ବୋଲି ମାଆର ନାଁ ଥିଲା ଶ୍ୟାମଳି । ଫଟୋରେ ଯଦିଓ ଲମ୍ବା ଚୁଟି ନାହିଁ ସେ ଶୁଣିଛି ମାଆର ଲମ୍ବା ଚୁଟି ଥିଲା । ମୁଣ୍ଡ ଧୋଇଲା ଦିନ ତଳେ ବସି ଗାଧେଇ ପାରୁ ନଥିଲା । ସେ ଯା ହେଉ ଏଥର ସେ ମାଆର ଫୋଟ ତ ପାଇବ । ସ୍ତ୍ରୀ ପିଲା ଛୁଆ ସମେତ ଖାଲି ଖାଲି ଲାଗୁଥିବା ତା ନୂଆ ଘରଟି ଏଥର ମାଆର ଫଟୋରେ ସୁନ୍ଦର ଦିଶିବ । ପୁରି ଉଠିବ ଘର । କିଏ କହିଥିବ ଘରକୁ ସୁନ୍ଦର ଘରଣୀ…ମୁଁ କହିବି ଘରକୁ ସୁନ୍ଦର ମୋ ମାଆ…ମାଆ..ମାଆ ।

ଏଇ ଉଠ କହି ଦେହକୁ ଟିକେ ହଲେଇ ଦେଇ କହିଲା ସୋନାଲି । “ପୁଣି ସ୍ୱପ୍ନ ଦେଖିଲ ନା କ’ଣ ଯେ…?”

ସ୍ତ୍ରୀର ସ୍ନେହ ସ୍ପର୍ଶ, ପ୍ରୀତି ଭରା ସୁକୋମଳ ସ୍ୱରରେ ଗଭୀର ନିଦରୁ ଚେଇଁ ଉଠିଲେ ସିନା ସଂଗ୍ରାମ..ହେଲେ ସାରାରାତି ପଇଁତରା ମାରୁଥିବା ଆଖି ଖୋଜୁଥିଲା ସେଇ ଅଧା ଅଧୁରା ସ୍ୱପ୍ନକୁ ….ଏକ ଅପୁରଣୀୟ ଶୂନ୍ୟସ୍ଥାନକୁ । ସବୁଦିନ ପରି ସେଇ ଦେଖି ନଥିବା ଚିତ୍ରକୁ…..।

ମେଦେନା
ଡାବୁଗାଁ
ନବରଙ୍ଗପୁର

Leave A Reply

Your email address will not be published.